ରାଜ୍ୟ

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବ ‘ସୁଭଦ୍ରା’

ଓଡ଼ିଶାରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତାର ମହାନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଣୀ ସୁଭଦ୍ରାଦେବୀଙ୍କ ନାମାନୁସାରେ ଏହି ଯୋଜନାକୁ ନାମିତ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ଦେବୀତୁଲ୍ୟା ମା’, ଭଉଣୀମାନଙ୍କ ଆର୍ଥିକ ମାନଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓଡ଼ିଶାର ମା’, ଭଉଣୀମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଚଳିତ ମାସ ୧୭ ତାରିଖ ଦିନ ନିଜର ଜନ୍ମତିଥିରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ। ଏହା ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଯେ ଆମର ଭାଷା, ସଂସ୍କୃତି ଓ ପରମ୍ପରାକୁ ନିବିଡ଼ ଭାବରେ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କର ଏହା ଏକ ଉଲ୍ଲେଖନୀୟ ଉପହାର। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ ତାଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଏକାଧିକବାର ଓଡ଼ିଶାର ମହିଳାମାନଙ୍କ ଶକ୍ତି, ସାମର୍ଥ୍ୟ ଓ ଗରିମାର ଉଦାହରଣ ଦେଇ ସେମାନଙ୍କ ମଧ୍ୟରେ ଥିବା ଅପାର ସମ୍ଭାବନାକୁ ଲକ୍ଷ୍ୟକରି ଆସିଛନ୍ତି। ଓଡ଼ିଶାର ମାତୃଜାତି ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କର ଏହା ହେଉଛି ସାର୍ଥକ ସମ୍ମାନ। 

‘ସୁଭଦ୍ରା’ ଯୋଜନାରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜ ବିଚାରରେ ଅର୍ଥ ବ୍ୟୟ କରିବାର ସ୍ୱାଧୀନତା ପାଇବେ। ସେମାନଙ୍କ ନିଜ ବ୍ୟାଙ୍କ୍ ଆକାଉଣ୍ଟରେ କିଛି ଟଙ୍କା ଥିଲେ ବା କିଛି ଟଙ୍କା ଆସିବାର ପ୍ରତିଶ୍ରୁତି ଥିଲେ ହିଁ ସେମାନେ ଅଧିକା କିଛି କରିବାର ସ୍ୱପ୍ନ ଦେଖିବା ପାଇଁ ସାହସ ସଞ୍ଚୟ କରିପାରିବେ। ମହିଳାଙ୍କ ନିଜ ନଁାରେ ଆକାଉଣ୍ଟ, ଏଟିଏମ୍ କାର୍ଡ ଇତ୍ୟାଦି ସେମାନଙ୍କ ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିବ। ସୁଦୂର କୋରାପୁଟର ଡଙ୍ଗରିଆ ଆଦିବାସୀ ଜନଜାତି ମହିଳାଟି ହେଉ ଅବା ସହର ଅଞ୍ଚଳରେ ସିଲେଇ କାର୍ଯ୍ୟ କରି ଜୀବକା ଅର୍ଜନ ପାଇଁ ସଂଗ୍ରାମ କରୁଥିବା ମହିଳାଟି ହେଉ, ସମସ୍ତ ମହିଳାଙ୍କ ମନରେ ଲୁଚିରହିଥିବା ସ୍ୱପ୍ନଗୁଡ଼ିକ ପୂରଣ କରିବାରେ ସାହାଯ୍ୟ କରିବ ‘ସୁଭଦ୍ରା’ ଯୋଜନା। ଏହି ଯୋଜନାରେ ମହିଳାମାନେ ନିଜର କୌଳିକ ବୃତ୍ତିକୁ ଆଗେଇ ନେବେ ଓ ନିଜେ କିଛି ନୂଆ ଆରମ୍ଭ କରିବାର ସୁଯୋଗ ପାଇବେ। ‘ସୁଭଦ୍ରା’ ଯୋଜନା ତାଙ୍କ ପାଇଁ ଆଣିଦେବ କ୍ରମବର୍ଦ୍ଧମାନ ଉନ୍ନତି ପଥର ନୂତନ ସମ୍ଭାବନା।  ଓଡ଼ିଶା ସରକାର ଲୋକଙ୍କ ସରକାର, ଜନତା ଜନାର୍ଦ୍ଦନଙ୍କ ସରକାର। ଓଡ଼ିଶାର ମା’ ଭଉଣୀମାନଙ୍କର ଆର୍ଥିକ ଓ ସାମାଜିକ ସଶକ୍ତୀକରଣକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ତାଙ୍କ ପ୍ରଥମ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଥିଲେ। ସରକାର ଗଠନର ୧୦୦ ଦିନ ମଧ୍ୟରେ ରାଜ୍ୟ ସରକାର ଏହି ଯୁଗାନ୍ତକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି। ମା’ ଭଉଣୀମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନପୂର୍ବକ ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିବା ଲକ୍ଷ୍ୟରେ ଏହି ଯୋଜନା ପାଇଁ ଚଳିତ ଆର୍ଥିକ ବର୍ଷ ବଜେଟ୍‌ରେ ୧୦,୦୦୦ କୋଟିର ବ୍ୟୟ ବରାଦ କରାଯାଇଛି। ରାଜ୍ୟର ୨୧ରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୧ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି। ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଫର୍ମ ରାଜ୍ୟର ୧,୧୪,୦୦୦ କେନ୍ଦ୍ରରେ ଉପଲବ୍‌ଧ ହେଉଛି। ଏଥିରେ ୭୪ ହଜାର ୧୯୨ ଅଙ୍ଗନୱାଡ଼ି କେନ୍ଦ୍ର ସାଙ୍ଗକୁ ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ ଓ ପୌର କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ। 

ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କ ପାଖରେ ସଠିକ୍ ଖବର ପହଞ୍ଚାଇବା ନିମନ୍ତେ ବିଭିନ୍ନ ସ୍ତରରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆବେଦନକାରୀମାନଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ସହ ଆବେଦନ ପ୍ରକ୍ରିୟାକୁ ଯଥାର୍ଥ ନିର୍ବାହ କରି ମାର୍ଗଦର୍ଶିକା ଅନୁସାରେ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ ମନୋନୟନ ଉପରେ ଗୁରୁତ୍ୱ ଦିଆଯାଇଛି। ଅନୁରୂପ ଭାବରେ ହିତାଧିକାରୀମାନେ ସୁବିଧାରେ ଫର୍ମ ପାଇବାରେ ସୁଯୋଗ ପ୍ରସ୍ତୁତି, ଫର୍ମ ସଂଗ୍ରହ ଓ ବିତରଣ, ଫର୍ମ ପୂରଣ ପରେ ପଞ୍ଜୀକରଣ ଇତ୍ୟାଦି ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବରେ ତାଲିମ ପ୍ରଦାନ କରାଯାଉଛି। ମୁଁ ନିଜେ ପୁରୀର ଏକ ଅଙ୍ଗନୱାଡ଼ି କେନ୍ଦ୍ରକୁ ପରିଦର୍ଶନରେ ଯାଇ ଫର୍ମ ବିତରଣ କାର୍ଯ୍ୟ ତଦାରଖ କରିଛି। ‘ସୁଭଦ୍ରା’ ଯୋଜନା ବିଷୟରେ ଅଧିକ ସୂଚନା ପାଇଁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ପୋର୍ଟାଲ୍ ଓ ଟୋଲ୍ ଫ୍ରି (ନିଶୁଳ୍କ) ନମ୍ବର- ୧୪୬୭୮କୁ ବ୍ୟବହାର କରିହେବ। ମୁଁ ବ୍ୟକ୍ତିଗତ ଭାବରେ ଭୁବନେଶ୍ୱରସ୍ଥିତ କଲ୍ ସେଣ୍ଟରକୁ ଯାଇ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରିଛି ଓ କଟକ ଜିଲ୍ଲା ଆଠଗଡ଼ର ଜଣେ ବ୍ୟକ୍ତିଙ୍କ ସହ କଥାହୋଇ ଯୋଜନା ସମ୍ପର୍କରେ ରହିଥିବା ତାଙ୍କ ସନ୍ଦେହ ଦୂର କରିଛି। ଗଁା ଗଁା, ଘରେ ଘରେ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତାକୁ ସୁଦୂରପ୍ରସାରୀ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ସଚେତନତା ରଥ ଏହି ଯୋଜନାର ପ୍ରଚାର, ପ୍ରସାର ଓ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ। ‘ସୁଭଦ୍ରା’ ଯୋଜନା ମହିଳା ସଶକ୍ତୀକରଣ କ୍ଷେତ୍ରରେ ନୂଆ ଜାଗରଣ ସୃଷ୍ଟି କରିବ, ଏହି ଯୋଜନାର ସୁଫଳ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିଶ୍ଚୟ ମିଳିବ। ଚଳିତ ମାସ ୧୭ ତାରିଖରେ ଏହି ପ୍ରକ୍ରିୟାର ଶୁଭାରମ୍ଭ ହେଉଥିଲେ ମଧ୍ୟ ରାଜ୍ୟର ଶେଷତମ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା ନ ମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଅବ୍ୟାହତ ରହିବ। ପ୍ରତି ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇ ଏହି ଯୋଜନାକୁ ଘରେ ଘରେ ପହଞ୍ଚାଇବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। 

ପ୍ରତି ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦,୦୦୦ ଲେଖାଏଁ ସମୁଦାୟ ୫୦ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବ। ଏହି ଯୋଜନାର ସମସ୍ତ ପ୍ରକ୍ରିୟାକୁ ଦେୟମୁକ୍ତ କରାଯାଇଛି। ଏହି ଯୋଜନାରେ ଦୁର୍ନୀତି ପ୍ରତି ଶୂନ୍ୟସହନଶୀଳତା ନୀତି ଲାଗୁ କରାଯିବ। ‘ସୁଭଦ୍ରା’ ଆବେଦନ ଫର୍ମ ପାଇଁ ଏକ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମଚାରୀ କିଛି ଅର୍ଥ ଦାବି କରୁଥିବାର ଖବର ପାଇଲା ମାତ୍ରେ ସେ କର୍ମଚାରୀ ବିରୋଧରେ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଆବେଦନ କରିବାର କୌଣସି ଶେଷ ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ଏହିପରି ଅତ୍ୟଧିକ ଭିଡ଼କୁ ରୋକିବା ପାଇଁ ଆଧାର-ମୋବାଇଲ୍ ଲିଙ୍କକୁ ମଧ୍ୟ ବାଧ୍ୟତାମୂଳକ କରାଯାଇ ନାହିଁ। କେବଳ ‘ସୁଭଦ୍ରା’ ଫର୍ମରେ ଥିବା ସାଧାରଣ ପ୍ରଶ୍ନର ଉତ୍ତର ଦେଇ ହିତାଧିକାରୀମାନେ ଫର୍ମଟିକୁ ଉପଯୁକ୍ତ କାର୍ଯ୍ୟଳୟରେ ଦାଖଲ କରିବେ। ରାଜ୍ୟର ସମସ୍ତ ମା’ ଭଉଣୀମାନଙ୍କୁ ମୋର ଅନୁରୋଧ, ସେମାନେ କୌଣସି ଭାବେ ବ୍ୟସ୍ତ ନ ହୋଇ ସହଜରେ ଓ ନିଜ ସୁବିଧାରେ ଫର୍ମ ପୂରଣ କରି ଉଦ୍ଦିିଷ୍ଟ କେନ୍ଦ୍ରମାନଙ୍କରେ ଦାଖଲ କରନ୍ତୁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋଦୀଜୀଙ୍କ ଡିଜିଟାଲ୍ ଭାରତ ସ୍ୱପ୍ନକୁ ଆଗେଇ ନେବା ଲକ୍ଷ୍ୟରେ ‘ସୁଭଦ୍ରା’ ଯୋଜନାରେ ଡିଜିଟାଲ୍ କାରବାର ଓ ଡିଜିଟାଲ୍ ଆର୍ଥିକ ସାକ୍ଷରତାକୁ ଗୁରୁତ୍ୱ ଦିଆଯାଇଛି। ଅଧିକ ଡିଜିଟାଲ୍ କାରବାର କରୁଥିବା ୧୦୦ ଜଣ ମହିଳାଙ୍କୁ ପୁରସ୍କାର ଆକାରରେ ଅଧିକ ୫୦୦ ଟଙ୍କା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ପଠାଯିବ। 

ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟରେ ଆଗଧାଡ଼ିରେ ନେତୃତ୍ୱ ନେବେ ଓଡ଼ିଶାର ମା’ ଭଉଣୀମାନେ। ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରିତାରେ ବିକଶିତ ଭାରତ ବିକଶିତ ଓଡ଼ିଶା ଓ ବିକଶିତ ମହିଳା ଲକ୍ଷ୍ୟ ଫଳବତୀ ହେବ। ସେଥିପାଇଁ ମୁଁ ଓଡ଼ିଶାର ସମସ୍ତ ମା’ ଭଉଣୀମାନଙ୍କ ଠାରୁ ସହଯୋଗ ଆଶା କରୁଛି। ସମସ୍ତଙ୍କ ସହଭାଗିତାରେ ସମଗ୍ର ଭାରତରେ ଆମ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ରୂପେ ପ୍ରତିଷ୍ଠିତ କରିବାର ସ୍ୱପ୍ନକୁ ଆସନ୍ତୁ ସାକାର କରିବା। ‘ସୁଭଦ୍ରା’ ଯୋଜନା ସଫଳ ହେବ ଓଡ଼ିଶାର ମା’ ଭଉଣୀମାନଙ୍କ ବିଜୟ ଗାଥା। 
ଉପମୁଖ୍ୟମନ୍ତ୍ରୀ (ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି, ପର୍ଯ୍ୟଟନ)

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।