ଭୁବନେଶ୍ବର: ଆଣ୍ଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସ(ଏଏମ୍ଆର୍) ବା ସାଧାରଣ ଭାବେ ଡ୍ରଗ୍ ରେଜିଷ୍ଟାଣ୍ଟସ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଏଏମ୍ଆର ପାଇଁ ବିଶ୍ବର ଯେଉଁ କେତୋଟି ଦେଶରେ ସର୍ବାଧିକ ମୃତ୍ୟୁ ହେଉଛି ତହିଁରେ ଭାରତ ରହିଛି। ସାଧାରଣ ଥଣ୍ଡା ଜ୍ବରରେ ଲୋକମାନେ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ସ୍କୁ ଖାଇବା ଲାଗି ଘୋଷି ପକାଇଛନ୍ତି। ଏହା କେବଳ ଭାରତର ସମସ୍ୟା ନୁହେଁ, ଆମେରିକା ଓ ୟୁରୋପରେ ମଧ୍ୟ ଏଭଳି ସଙ୍ଗିନ୍ ସ୍ଥିତି ରହିଛି। ଭାରତରେ ପ୍ରତି ୯ ମିନିଟ୍ରେ ଗୋଟିଏ ଶିଶୁ ଆଣ୍ଟିବାୟୋଟିକ୍ସ୍ ରେଜିଷ୍ଟାନ୍ସ କାରଣରୁ ପ୍ରାଣ ହରାଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ଡ୍ରଗ୍ ରେଜିଷ୍ଟାନ୍ସ୍ ଏବେ ଏକ ଅଘୋଷିତ ମହାମାରୀ ପାଲଟିଛି। ଆଣ୍ଟିବାୟୋଟିକ୍ସ୍ର ଅପବ୍ୟବହାର ହିଁ ଏଭଳି ସମସ୍ୟାର କାରଣ। ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ, ସବୁଠି ଆଣ୍ଟିବାୟୋଟିକ୍ସ୍ର ବ୍ୟବହାର କାରଣରୁ ଡ୍ରଗ୍ ରେଜିଷ୍ଟାନ୍ସ ବଢ଼ିବାରେ ଲାଗିଛି। ଆଣ୍ଟିବାୟୋଟିକ୍ସ୍ର ବ୍ୟବହାର କେବଳ ମଣିଷଙ୍କଠାରେ ନୁହେଁ ବରଂ ପ୍ରାଣୀସଂପଦ ଓ ମାଛ ଚାଷରେ ମଧ୍ୟ କରାଯାଉଛି। ତେଣୁ ମନୁଷ୍ୟର ଖାଦ୍ୟ ଶୃଙ୍ଖଳ ଭିତରେ ଏହା ପ୍ରବେଶ କରୁଛି। ଯେହେତୁ ବିଶ୍ବରେ କୌଣସି ନୂଆ ଆଣ୍ଟିବାୟୋଟିକ୍ସ୍ର ଉଦ୍ଭାବନ ହୋଇନାହିଁ, ଏ ଦୃଷ୍ଟିରୁ ଡ୍ରଗ୍ ରେଜିଷ୍ଟାନ୍ସ ଭଳି ସମସ୍ୟାକୁ ଏହା ବଢ଼ାଇଦେଇଛି। ଆଣ୍ଟିବାୟୋଟିକ୍ସ୍ ରେଜିଷ୍ଟାନ୍ସର ପ୍ରମୁଖ କାରଣ ହେଉଛି ଓଭରଡୋଜ୍ ବା ମାତ୍ରାଧିକ ବ୍ୟବହାର ଓ ଅଣ୍ଡରଡୋଜ୍ ବା ଧାର୍ଯ୍ୟ ମାତ୍ରାଠାରୁ କମ୍ ସେବନ। ଯେଉଁ ରୋଗ ପାଇଁ ଆଣ୍ଟିବାୟୋଟିକ୍ସ୍ର କୌଣସି ଆବଶ୍ୟକତା ନାହିଁ ସେଠାରେ ଲୋକମାନେ ଏହାକୁ ଖାଉଛନ୍ତି। ବିଶେଷକରି ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଦୋକାନ କିମ୍ବା କ୍ବାକ୍ଙ୍କ ପାଇଁ ଆଣ୍ଟିବାୟୋଟିକ୍ସ୍ ବ୍ୟବହାର ବଢ଼ି ବଢ଼ି ଚାଲିଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଗତ କିଛିବର୍ଷ ହେବ ରାଜ୍ୟରେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସ ଦେଖିବାକୁ ମିଳିଥିବା ଜଣାପଡ଼ିଛି।
ନିକଟରେ ଜର୍ମାନୀର ଡଏସବର୍ଗ-ଏସେନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ଥୋମାସ ରାମ୍ପ ଭାରତ ଆସିଥିବା ବେଳେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସକୁ ନେଇ ଚିନ୍ତାପ୍ରକଟ କରିଥିଲେ। ପ୍ରଫେସର ରାମ୍ପଙ୍କ କହିବା କଥା ୧୯୨୮ ମସିହାରେ ପେନସିଲିନ୍ର ବ୍ୟବହାର ଆରମ୍ଭ ହୋଇଥିବା ବେଳେ ୧୯୪୦ ମସିହାରେ ଏହାର ରେଜିଷ୍ଟାନ୍ସ ସଂପର୍କରେ ଜଣାପଡ଼ିଥିଲା। ତେଣୁ ବୈଜ୍ଞାନିକମାନେ ନୂଆ ଆଣ୍ଟିବାୟୋଟିକ୍ସର ଉଦ୍ଭାବନ ଉପରେ ଜୋର ଦେଇଥିଲେ। ମାତ୍ର ଗତ ୩ ଦଶନ୍ଧି ଧରି ବିଶ୍ବରେ କୌଣସି ନୂଆ ଆଣ୍ଟିବାୟୋଟିକ୍ସ ବିକଶିତ ହୋଇନାହିଁ। ଦୁର୍ବଳ ପରିମଳ ବ୍ୟବସ୍ଥା, ହସ୍ପିଟାଲରେ ସଂକ୍ରମଣ ନିୟନ୍ତ୍ରଣ ନ ହୋଇପାରିବା, ମାଛ ଓ ଫାର୍ମିଂରେ ମାତ୍ରାଧିକ ବ୍ୟବହାର, ଆଣ୍ଟିବାୟୋଟିକ୍ସର ଅପବ୍ୟବହାର ଯୋଗୁ ରେଜିଷ୍ଟାନ୍ସ ଦେଖାଦେଉଛି। ତେଣୁ ଏହାର ବିକଳ୍ପ ଭାବେ ଆୟୁର୍ବେଦକୁ ଗ୍ରହଣ କରାଯାଇପାରିବ। ଆୟୁର୍ବେଦରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଆଣ୍ଟିବାୟୋଟିକ୍ସର ଅଯଥା ବ୍ୟବହାର ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ସେ କହିଛନ୍ତି।
ଆଇସିଏମ୍ଆର ଅନୁବନ୍ଧିତ କର୍ଣ୍ଣାଟକସ୍ଥିତ ଜାତୀୟ ପାରମ୍ପରିକ ଔଷଧ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ସୁବର୍ଣ୍ଣ ରୟଙ୍କ କହିବା କଥା ଏଏମ୍ଆର ପାଇଁ ଦେଶର ଅନେକ ସ୍ଥାନରେ ଡିପ୍ଥେରିଆ ଭଳି ରୋଗ ଦେଖିବାକୁ ମିଳିଲାଣି। ଦେଶରେ ଏଭଳି ୧୦ଟି ପାଥୋଜେନ୍ ଚିହ୍ନଟ କରାଯାଇଛି ଯେଉଁମାନେ ଘାତକ ସାବ୍ୟସ୍ତ ହେଉଛନ୍ତି। ଅନେକ ସମୟରେ ଆଣ୍ଟିବାୟୋଟିକ୍ସ୍କୁ ରୋଗ ଭଲ କରିବା ବଦଳରେ ଲକ୍ଷଣ ହ୍ରାସ କରିବା ପାଇଁ ଦିଆଯାଉଛି। ଜାତୀୟ ସ୍ବାସ୍ଥ୍ୟ ନୀତିରେ ସଂକ୍ରମିତ ରୋଗର ବିକଳ୍ପ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ଆୟୁର୍ବେଦରେ ଆଣ୍ଟିବାୟୋଟିକ୍ସ୍ ବଦଳରେ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଡା.ରୟ କହିଛନ୍ତି। ରାଜ୍ୟରେ ଆଣ୍ଟିବାୟୋଟିକ୍ସ୍ ରେଜିଷ୍ଟାନ୍ସରେ କେତେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି ତାହାର କିଛି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ନିକଟରେ ଏଏମ୍ଆର ସଂପର୍କରେ ଆରଏମ୍ଆରସି ଭୁବନେଶ୍ବର ପକ୍ଷରୁ କଟକ ଜିଲ୍ଲା ତିଗିରିଆରେ ଏକ ଗବେଷଣା କରାଯାଇଛି। ଯେହେତୁ ସହରାଞ୍ଚଳରେ ବିଭିନ୍ନ ଡାକ୍ତରଖାନା ଏଏମ୍ଆର ଉପରେ ଗବେଷଣା କରୁଛନ୍ତି, ସେ ଦୃଷ୍ଟିରୁ ଗ୍ରାମାଞ୍ଚଳରେ ଆରଏମ୍ଆରସି ପକ୍ଷରୁ ଗବେଷଣା କରାଯାଇଛି। ଆରଏମ୍ଆରସିର ବୈଜ୍ଞାନିକ ଦେବଦତ୍ତ ଭଟ୍ଟାଚାର୍ଯ୍ୟ କହିଛନ୍ତି, ତିଗିରିଆରେ ୟୁରିନାରି ଟ୍ରାକ୍ ସଂକ୍ରମଣ(ୟୁଟିଆଇ), ଡାଇରିଆରେ ଆକ୍ରାନ୍ତ ଲୋକଙ୍କ ଉପରେ ଏହି ଗବେଷଣା ହୋଇଛି। ଏଠାରେ ଆଣ୍ଟିବାୟୋଟିକ୍ସର ଓଭରଡୋଜ୍ ଓ ଅଣ୍ଡରଡୋଜ୍ ସହିତ ବିନା ପ୍ରେସକ୍ରିପସନ୍ରେ ଲୋକମାନେ ଆଣ୍ଟିବାୟୋଟିକ୍ସ କିଭଳି ଖାଉଛନ୍ତି ତାହାକୁ ଅନୁଧ୍ୟାନ କରାଯାଇଛି। ଗବେଷଣାର ଅନୁଧ୍ୟାନ ପାଇଁ ଆଇସିଏମ୍ଆରକୁ ପଠାଯାଇଛି। କିଛିଦିନ ଭିତରେ ଏ ସଂପର୍କିତ ରିପୋର୍ଟ ମିଳିପାରିବ ବୋଲି ସେ କହିଛନ୍ତି।
କଟକସ୍ଥିତ ଏସ୍ସିବି ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ପ୍ରଫେସର ଧରିତ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶାରେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସ ବଢ଼ିଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏମ୍ଆର ସର୍ଭେଲାନ୍ସ ଚାଲିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଜିଷ୍ଟାନ୍ସ ସଂପର୍କରେ ସୂଚନା ଦିଆଯାଉଛି। ମାତ୍ର ଓଡ଼ିଶା ଭିତ୍ତିକ କୌଣସି ସୂଚନା ଆସିନାହିଁ। ରାଜ୍ୟରେ ମଧ୍ୟ ଡିପ୍ଥେରିଆ ମାମଲା ନିକଟ ଅତୀତରେ ଦେଖିବାକୁ ମିଳିନାହିଁ। କେବଳ ସ୍ବାସ୍ଥ୍ୟ କ୍ଷେତ୍ର ନୁହେଁ ମାଛ ଓ ପ୍ରାଣୀସଂପଦରେ ମଧ୍ୟ ଆଣ୍ଟିବାୟୋଟିକ୍ସ ବ୍ୟବହାର କରାଯାଉଛି। ଏ ଦୃଷ୍ଟିରୁ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସକୁ ଏଡ଼ାଇ ଦେଇ ହେବନାହିଁ ବୋଲି ଡା.ମହାପାତ୍ର କହିଛନ୍ତି। ଆୟୁର୍ବେଦିକ ମେଡିସିନ୍ ବିଶେଷଜ୍ଞ ଡା.ଖଗେଶ୍ବର ନାୟକଙ୍କ କହିବା କଥା କୌଣସି ସଂକ୍ରମଣ ନ ଥିଲେ ଆଣ୍ଟିବାୟୋଟିକ୍ସର ବ୍ୟବହାର କରିବା ଉଚିତ ନୁହେଁ। ଯଦିଓ ଡାକ୍ତରମାନେ ଆଣ୍ଟିବାୟୋଟିକ୍ସକୁ କମ୍ ବ୍ୟବହାର କରୁଛନ୍ତି, ହେଲେ ସାଧାରଣରେ ଆଣ୍ଟିବାୟୋଟିକ୍ସର ମନଇଚ୍ଛା ବ୍ୟବହାର ହେଉଛି। ଆୟୁର୍ବେଦିକ ଚିକିତ୍ସାର ପଦ୍ଧତି ଅଲଗା। ଆୟୁର୍ବେଦ ମୁଖ୍ୟତଃ ଡୋସିକ୍(doshic) ପ୍ରିନ୍ସିପଲ ଉପରେ ପର୍ଯ୍ୟବସିତ। ଏଥିରେ ଆଣ୍ଟିବାୟୋଟିକ୍ସର ବ୍ୟବହାର ନ ଥାଏ। ତେଣୁ ପାରମ୍ପରିକ ଚିକିତ୍ସା ପଦ୍ଧତି ଭାବେ ଆୟୁର୍ବେଦିକ ଚିକିତ୍ସା ଭଲ ବୋଲି ଡା.ନାୟକ କହିଛନ୍ତି।