ଭୁବନେଶ୍ବର: ଛଦ୍ମବେଶୀ ପାଇଲଟ୍ ସହ ଫେସ୍ବୁକ୍ରେ ବନ୍ଧୁତା ଯୋଡ଼ିବା ଜଣେ ବିବାହିତା ମହିଳାଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଦେଶରେ ରହୁଥିବା ଜଣେ ଓଡ଼ିଆ ପାଇଲଟ୍ଙ୍କ ଭଳି ଦାମୀ ଲୋକ ସହ ବନ୍ଧୁତା ଯୋଡ଼ୁଯୋଡ଼ୁ ମହିଳା ଜଣକ ସାଇବର ଠକ ରୢାକେଟ୍ରେ ଫସିଯାଇଥିବା ଜଣାପଡ଼ିଛି। ବିଦେଶୀ ମୁଦ୍ରା ଉପହାର ଲୋଭରେ ମହିଳା ଜଣକ ଦେଢ଼ ଲକ୍ଷ ଟଙ୍କା ହରାଇବା ପରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଘଟଣାଟି ଆଜି ଖଣ୍ଡଗିରି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ମହିଳାଙ୍କ ଅଭିଯୋଗ ଅନୁସାରେ ପାଇଲଟ୍ ବୋଲି ପରିଚୟ ଦେଇଥିବା ଯୁବକ ଜଣକ ଫେସ୍ବୁକ୍ରେ ତାଙ୍କୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ପଠାଇଥିଲା। କିନ୍ତୁ ନକଲି ପାଇଲଟ୍ ବୋଲି ଜାଣିନପାରି ସେ ତା’ ବନ୍ଧୁତା ଗ୍ରହଣ କଲେ। ମେସେଞ୍ଜର ଚାଟ୍ ଜରିଆରେ ପାଇଲଟ୍ ବେଶରେ ସେ ଅନେକ ଫଟୋ ଓ ବିଭିନ୍ନ ଦାମୀ ଆୱାର୍ଡ ପାଉଥିବାର ଭିଡିଓ ପଠାଇବାରୁ ତାକୁ ସେ ବିଶ୍ବାସ କରିନେଇଥିଲେ। ପରେ ସେମାନେ ଫୋନ୍ ନମ୍ବର ମଧ୍ୟ ଦିଆନିଆ ହୋଇଥିଲେ। ଗତ ଏପ୍ରିଲ୍ ୧୬ ତାରିଖ ଦିନ ସେ ଏକ ଗିଫ୍ଟ ପଠାଇବେ ବୋଲି ଫୋନ୍ କରି କହିଥିଲା। ମେ’ ୨ ତାରିଖ ଦିନ ଦିଲ୍ଲୀରୁ ଜଣେ ଯୁବତୀ ତାଙ୍କୁ ଫୋନ୍ କରି ଜର୍ମାନୀରୁ ଏକ ପାର୍ସଲ୍ ଥିବା କହିଥିଲେ। ପାର୍ସଲ୍ରେ କିଛି ଫରେନ୍ କରେନ୍ସି ରହିଛି ଓ ଏଥିପାଇଁ ତାଙ୍କୁ ଟିକସ ବାବଦରେ ୩୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଯୁବତୀ ଜଣକ କହିଥିଲେ। ମହିଳାଙ୍କ କହିବା କଥା ଏତେ ଟଙ୍କା ପଡ଼ିବ ବୋଲି ଜାଣିବା ପରେ ସେ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ।
ତାଙ୍କ ସ୍ବାମୀ ଯୁବତୀ ଦେଇଥିବା ଠିକଣାରେ ୩୫ ହଜାର ଟଙ୍କା ପଠାଇ ଦେଇଥିଲେ। ମାତ୍ର ବିଦେଶୀ ମୁଦ୍ରା ମିଳିବ କ’ଣ ସେପଟୁ ଆଉ ଅଧିକ ୯୦ ହଜାର ଟଙ୍କା ପଇଠ କରିବାକୁ ସେହି ଯୁବତୀ ଫୋନ୍ କରିଥିଲେ। ପୁଣି ୯୦ ହଜାର ଟଙ୍କା କଥା ଶୁଣିବା ପରେ ମହିଳା ଓ ତାଙ୍କ ସ୍ବାମୀ କ’ଣ କରିବେ, ବୁଝିପାରିନଥିଲେ। ଏତିକିବେଳେ ନକଲି ପାଇଲଟ୍ ମହିଳାଙ୍କୁ ଫୋନ୍ କରି ଉପହାର ଗ୍ରହଣ କରିବାକୁ ଅୁନରୋଧ କରିଥିଲା। ତାଙ୍କ ସମ୍ମାନ ରଖିବା ପାଇଁ କହି ତାଙ୍କୁ ଇ ମୋସନାଲ୍ ବ୍ଲାକ୍ମେଲ୍ କରିଥିଲା। ସେହିଭଳି ବାରମ୍ବାର ଫୋନ୍ କରୁଥିବା ଯୁବତୀ ବି ଗିଫ୍ଟ ପାର୍ସଲ୍ରେ ବହୁ ଅଧିକ ବିଦେଶୀ ମୁଦ୍ରା ଥିବା କଥା କହି ପ୍ରଲୋଭିତ କରିଥିଲା। ତେଣୁ ମହିଳାଙ୍କ ସ୍ବାମୀ ପୁଣି ୯୦ ହଜାର ଟଙ୍କା ପଠାଇଥିଲେ। ଏମିତିରେ ଥରକୁ ଥର ସେ ଦେଢ଼ ଲକ୍ଷ ଟଙ୍କା ଦେବା ପରେ ନକଲି ପାଇଲଟ୍ ଓ ଫୋନ୍ କରୁଥିବା ଯୁବତୀଙ୍କ ମୋବାଇଲ୍ ସବୁଦିନ ପାଇଁ ଅଫ୍ ହୋଇଯାଇଥିଲା।