ରାଜ୍ୟ

ମହଙ୍ଗା ପଡ଼ିଲା ମହିଳା ଇନ୍‌ସ୍ପେକ୍ଟରଙ୍କ ଘରେ ହଙ୍ଗାମା: ହୋମ୍‌ଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ

ଭୁବନେଶ୍ବର: ଜଣେ ବିବାହିତା ମହିଳା ଇନ୍‌ସ୍ପେକ୍ଟରଙ୍କ କ୍ବାର୍ଟର୍ସରେ ଧସେଇ ପଶି ତାଙ୍କୁ ବିବାହ କରିବାକୁ ଜିଦ୍‌ କରି ହଙ୍ଗାମା କରିବା ମାମଲା ଆଇପିଏସ୍‌ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଏକପାଖିଆ ପ୍ରେମ ମାମଲାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଶେଷରେ ତାହା ପଦାକୁ ଫୁଟି ବାହାରିଛି। ଏଭଳି ଅଶୋଭନୀୟ ଆଚରଣ ପାଇଁ ଆଇପିଏସ୍‌ ଅଧିକାରୀ ତଥା ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ (ରାଜେଶ ପଣ୍ଡିତ ଭାବେ ଜଣାଶୁଣା)ଙ୍କୁ କର୍ତ୍ତବ୍ୟରୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଡିଜିପିଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ ହୋଇ ମଧ୍ୟ ସେ ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ସହ ଗୃହ ବିଭାଗକୁ ସର୍ବସାଧାରଣରେ ନିନ୍ଦିତ କରିଥିବାରୁ ତାଙ୍କ ବିରୋଧରେ ଆଗକୁ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭାବନା ରହିଛି।
ଆଇପିଏସ୍‌ ଅଧିକାରୀଙ୍କ ଏହି ବିଶୃଙ୍ଖଳିତ ଆଚରଣ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଦିଲ୍ଲୀରୁ ନିତି ଆୟୋଗ ବୈଠକରୁ ଫେରିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଧିକ ତଦନ୍ତ କରିବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାର ନିଜ କ୍ଷମତା ବଳରେ ସବ୍‌ ରୁଲ୍‌ (୧) ଅଫ୍ ରୁଲ୍‌ ୩ ଓ ସର୍ବଭାରତୀୟ ସେବା ରୁଲ୍‌ ୧୯୬୯ ଆଧାରରେ ରାଜେଶ ପଣ୍ଡିତଙ୍କୁ ନିଲମ୍ବନ କରିଛନ୍ତି। ଏବେ ସେ କଟକ ରାଜ୍ୟ ପୁଲିସ ମୁଖ୍ୟାଳୟରେ ନିୟୋଜିତ ହେବେ। ଡିଜିପିଙ୍କ ବିନା ଅନୁମତିରେ ସେ ରାଜ୍ୟ ପୁଲିସ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି। ଏହାପରେ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ନେଇ ତଦନ୍ତ କରାଯିବ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କରିବେ। ଏହାପରେ ତାଙ୍କ ବିରୋଧରେ ପୁଲିସ ଚାର୍ଜଫ୍ରେମ୍‌ କରିବ। ଏହି ଦୋଷ ପାଇଁ କାହିଁକି ଦଣ୍ଡ ନ ମିଳିବ ବୋଲି ତାଙ୍କୁ ଜବାବ ମାଗି ନୋଟିସ୍ କରାଯିବ। ଅଫିସରଙ୍କ ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ ଏବଂ ଏହାପରେ ଦଣ୍ଡବିଧାନ କଥା ବିଚାରକୁ ନିଆଯିବ।

ସୂଚନାଯୋଗ୍ୟ ଯେ ଗତ ଶନିବାର ରାତିରେ ଏହି ଅଘଟଣ ଘଟିଥିଲା। ଶ୍ରୀ ପଣ୍ଡିତ ମହିଳା ଇନ୍‌ସ୍ପେକ୍ଟରଙ୍କ ଘରକୁ ଯାଇ ତାଙ୍କୁ ବିବାହ କରିବାକୁ ଜିଦ୍‌ କରିଥିଲେ। ମହିଳା ଇନ୍‌ସ୍ପେକ୍ଟର ରାଜି ନ ହେବାରୁ ପାଟିତୁଣ୍ଡ କରିଥିଲେ। ମହିଳାଙ୍କ ସ୍ବାମୀ ପ୍ରତିବାଦ କରିବାରୁ ରାଗରେ ଶ୍ରୀ ପଣ୍ଡିତ କ୍ବାର୍ଟର୍ସରେ ଭଙ୍ଗାରୁଜା କରିବା ସହ ମହିଳାଙ୍କ ସ୍ବାମୀଙ୍କୁ ଧକ୍କା ଓ ମୁଥ ମାରିଥିଲେ। ଘଟଣା ପରେ ମହିଳା ଇନ୍‌ସ୍ପେକ୍ଟର ଓ ମୁଥ ମାଡ଼ରେ ଆହତ ହୋଇଥିବା ତାଙ୍କ ସ୍ବାମୀ ଡରିଯାଇଥିଲେ। ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କ ବିରୋଧରେ କ୍ୟାପିଟାଲ୍‌ ଥାନାକୁ ଯାଇ ଅଭିଯୋଗ କରିବାକୁ ତାଙ୍କର ଜୁ’ ନଥିଲା। କେବଳ ସେତିକି ନୁହେଁ, ଘଟଣା ଜାଣିବା ପରେ ବି ଖୋଦ୍‌ ପୀଡ଼ିତା ଅଭିଯୋଗ କରି ନଥିବା ବାହାନାରେ କ୍ୟାପିଟାଲ୍‌ ଥାନା ପୁଲିସ ହାତବାନ୍ଧି ଚୁପ୍‌ ବସିଗଲା। କିନ୍ତୁ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାମାଜିକ କର୍ମୀ ଜୟନ୍ତ ଦାସ ଏହି ମାମଲାକୁ ଜାତୀୟ ମାନବାଧିକାର କମିସନଙ୍କ ନଜରକୁ ଆଣିଥିଲେ। ଏମିତିରେ ମାମଲା ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।