ରାଜ୍ୟ ସ୍ପେଶାଲ ରିପୋର୍ଟ

ମଶାକୁ ନେଇ ତନାଘନା; ୨୩ରୁ ଉଡ଼ିବ ଡ୍ରୋନ୍‌, ଖୋଜିବ ଉତ୍ପତ୍ତି ସ୍ଥଳ

ଭୁବନେଶ୍ୱର : ମଶାଙ୍କ ଉତ୍ପାତକୁ ନେଇ ତନାଘନା ଆରମ୍ଭ ହୋଇଛି। ଯେତେ ଯାହା କଲେ ବି ମଶାଙ୍କ ଉପଦ୍ରବ କମୁନଥିବାରୁ ବିଏମ୍‌ସି ମୁଣ୍ଡ ବିନ୍ଧିଛି। ଆଜି ଗଣମାଧ୍ୟମରେ ମଶା ନିୟନ୍ତ୍ରଣ‌ରେ ବିଏମ୍‌ସିର ଦୋଷ ଦୁର୍ବଳତା ପଦାରେ ପଡ଼ିବା ପରେ ମେୟର ଓ କମିସନର ତତ୍ପରତା ପ୍ରକାଶ କରିଛନ୍ତି। ମଶା ନିୟନ୍ତ୍ରଣ ପାଇଁ କ’ଣ କରାଯାଇ ପାରିବ, ସେ ନେଇ ବିଶେଷଜ୍ଞମାନଙ୍କର ଏକ ଟିମ୍‌ ସହ ‌ଆଲୋଚନା କରି ବିଏମ୍‌ସି ପରାମର୍ଶ ଗ୍ରହଣ କରିଛି। ମଶା ଧୂଆଁ ଓ ତେଲ ନିୟମିତ ସ୍ପ୍ରେ କରାଯାଉଥିଲେ ମଧ୍ୟ ମଶାଙ୍କ ବଂଶ ବୃଦ୍ଧି ରୋକାଯାଇ ପାରୁ ନଥିବାରୁ ମଶାଙ୍କ ଉତ୍ପତ୍ତି ସ୍ଥଳରେ ବିଏମ୍‌ସି ପହଞ୍ଚି ପାରିନାହିଁ। ଏଣୁ ସେହିସବୁ ସ୍ଥଳ ଚିହ୍ନଟ କରିବା ପାଇଁ ଡ୍ରୋନ୍‌ ବ୍ୟବହାର ହେବ। କୋଲକାତା ମହାନଗର ନିଗମ ଭଳି ମଡେଲ୍‌ ବିଏମ୍‌ସି ଆପଣେଇବ। ଡ୍ରୋନ୍‌ ଉଡ଼ି ମଶାଙ୍କ ଉତ୍ପତ୍ତି ସ୍ଥଳ ଚିହ୍ନଟ କରିବାପରେ ସେଠାରେ ମଶା ତେଲ ସ୍ପ୍ରେ ହେବ। ଦୁର୍ଗମ ଅଞ୍ଚଳ ହୋଇଥିଲେ ଏହି ଡ୍ରୋନ୍‌ ଜରିଆରେ ତେଲ ସ୍ପ୍ରେ ହେବ। ପ୍ରଥମେ ତିନିଟି ଜୋନ୍‌ର ଗୋଟିଏ ଗୋଟିଏ ୱାର୍ଡରେ ପରୀକ୍ଷାମୂଳକ ଭାବରେ କରାଯିବା ପରେ ସଫଳ ହେଲେ ପ୍ରତ୍ୟେକ ୱାର୍ଡରେ ଏହି ଡ୍ରୋନ୍‌ ବ୍ୟବହାର ହେବ। ଆସନ୍ତା ୨୩ ତାରିଖରୁ ଏହି ଡ୍ରୋନ୍‌ ଉଡ଼ାଇବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

ପୂର୍ବରୁ ବିଏମ୍‌ସି ଗୁରୁବାର ଓ ରବିବାର ଡ୍ରାଏ ଡେ’ ପାଳନ କରୁଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ମଶାଙ୍କ ଉତ୍ପତ୍ତି ସ୍ଥଳ ଚିହ୍ନଟ କରି ନଷ୍ଟ କରିବା। ଛୋଟ ଛୋଟ ଜାଗାରେ ରହୁଥିବା ପାଣିରେ ସାଧାରଣତଃ ମଶା ଜନ୍ମ ନେଉଥିବାରୁ ସେଗୁଡ଼ିକରୁ ପାଣି ଶୁଖାଇବାକୁ ଯୋଜନା ରହିଥିଲା‌। ଏଥିପାଇଁ ପରିମଳ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କମିସନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘର ଘର ବୁଲି ସେଚତନତା ସୃଷ୍ଟି କରିବା ସହ ଏହି ଉତ୍ପତ୍ତି ସ୍ଥଳ ନଷ୍ଟ କରୁଥିଲେ। ଏହି ଯୋଜନା ପ୍ରାୟ ୪ ମାସ ଚାଲିଥିଲା। ଯେଉଁଥିରେ ବିଏମ୍‌ସି ପାଖାପାଖି ୨୦ ଲକ୍ଷ ଖର୍ଚ୍ଚ ମଧ୍ୟ କରିଥିଲା। କିନ୍ତୁ ଏବେ ଯଦି ଡ୍ରୋନ୍‌ ମଶାଙ୍କ ଉତ୍ପତ୍ତି ସ୍ଥଳ ଖୋଜିବ ତେବେ ଏହି ଡ୍ରାଏ ଡେ’ରେ ହେଉଥିଲା କ’ଣ? ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ଦାସଙ୍କ କହିବା କଥା ହେଲା, ଡ୍ରାଏ ଡେ’ କେମିତି ଚାଲିଥିଲା ପ୍ରତ୍ୟେକ ଭୁବନେଶ୍ବର ବାସିନ୍ଦା ଜାଣନ୍ତି। କେବଳ ବ୍ୟାନର ଧରି ଫଟୋ ଉଠାଇବା ପରେ ଯିଏ ଯୁଆଡ଼େ ଚାଲି ଯାଆନ୍ତି। ଘରେ କହିଦେଇ ଯାଆନ୍ତି, ପାଣି ଦୀର୍ଘଦିନ ରହିଥିଲେ ଶୁଖାଇ ଦିଅନ୍ତୁ, ପଇଡ଼ ଖୋଳ ପଡ଼ିଥିଲେ ଓଲଟାଇ ଦିଅନ୍ତୁ। ଘରେ କଣ ମଶା ହୁଅନ୍ତି? ଯେଉଁଠି ହୁଅନ୍ତି, ସେଠାରେ ନ ଖୋଜି ଟ୍ବିଟର୍ ପାଇଁ କେବଳ ଫଟୋ ଉଠାହୁଏ। ଏବେ ଡ୍ରୋନ୍‌ ଉଡ଼ାଇ କିଛି ଅର୍ଥ ଶ୍ରାଦ୍ଧ କରିବା ଯୋଜନା ହୋଇଛି।

ଏ ନେଇ ମେୟର ସୁଲୋଚନା ଦାସ କହିଛନ୍ତି, ଡ୍ରାଏ ଡେକୁ ଏଥର କଡ଼ାକଡ଼ି ପାଳନ କରାଯିବ। ମଶା ତେଲ ଅଧିକା ପଡ଼ିବା ସହ ଧୂଆଁ ମଧ୍ୟ ଅଧିକ ସ୍ପ୍ରେ ହେବ। ଏଥିପାଇଁ ଘରୋଇ ସଂସ୍ଥାମାନଙ୍କ ଠାରୁ ଅଧିକ ଟିଫା ମେସିନ୍‌ ଅଣାଯିବ। ମେସିନ୍‌, ତେଲ ଓ କର୍ମଚାରୀ ଅଭାବରୁ ପ୍ରତ୍ୟେକ ଗଳିକନ୍ଦିରେ ପ୍ରତ୍ୟେକ ଦିନ ମଶା ତେଲ କିମ୍ବା ଧୂଆଁ ସ୍ପ୍ରେ କରିବା ସମ୍ଭବ ହେଉନାହିଁ। ଏଣୁ ଡ୍ରୋନ୍‌ ଯଦି ମଶାଙ୍କ ଉତ୍ପତ୍ତି ସ୍ଥଳ ଚିହ୍ନଟ କରିବାରେ ସଫଳ ହେଲା ତେବେ ମଶା ଦମନ ସମ୍ଭବ ହୋଇ ପାରିବ। ୨୩ରୁ ୭ ଦିନ ପର୍ଯ୍ୟନ୍ତ ଡ୍ରୋନ୍‌ ଉଡ଼ି ଉତ୍ପତ୍ତି ସ୍ଥଳ ଚିହ୍ନଟ କରିବ ବୋଲି ସେ କହିଛନ୍ତି। ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି, ତିନିଟି ଘରୋଇ ସଂସ୍ଥାରୁ ଟିଫା ମେସିନ୍ ଆସିବାକୁ ଯୋଜନା ହୋଇଛି। ୧୮୦ ଆଣ୍ଟି ଲାର୍ଭା କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ୱାର୍ଡରେ ପ୍ରତ୍ୟେକ ସମ୍ବେଦନଶୀଳ ଅଞ୍ଚଳରେ ତେଲ ସ୍ପ୍ରେ କରିବେ। ସେମାନେ କାମ ଆରମ୍ଭ କରିବା ପୂର୍ବରୁ କର୍ପୋରେଟରଙ୍କୁ ଅବଗତ କରାଇବେ। ଫଳରେ କର୍ପୋରେଟରମାନେ କାମ ଉପରେ ନଜର ରଖିପାରିବେ। ଦୁଇ ୱାର୍ଡ ପାଇଁ ଗୋଟିଏ ଟିଫା ମେସିନ୍‌ ଅନୁପାତରେ ଆଉ ଅଧିକ ଟିଫା ମେସିନ୍‌ ମଧ୍ୟ କିଣାଯିବ।

ଅନ୍ୟପଟେ, ମଶା ଦମନରେ ବିଏମ୍‌ସି ବିଫଳ ହେବା ଘଟଣାକୁ ନେଇ ବିରୋଧୀ ପ୍ରସଙ୍ଗ କରିବାକୁ ଯାଉଛନ୍ତି। ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ବିଏମ୍‌ସି କାର୍ଯ୍ୟାଳୟ ଘେରିବାକୁ ଯୋଜନା କରିଛି। ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି, ମଶା ଅଣ୍ଡା କେଉଁଠି ଦେଉଛନ୍ତି ବିଏମ୍‌ସି ଡ୍ରୋନ୍‌ ଲଗାଇ ଖୋଜିବା ଅତ୍ୟନ୍ତ ହାସ୍ୟାସ୍ପଦ। ଏହା କେବଳ ହରିଲୁଟ୍‌ ଯୋଜନା। ଡ୍ରୋନ୍‌ ଲଗାଇବା ଆଳରେ ଅଫିସରମାନେ କିଛି ପଇସା ହଡ଼ପ କରିବେ। ‌କିଭଳି ଏଭଳି ଏକ କାମକୁ ମେୟର ଓ କମିସନର ସମର୍ଥନ କରୁଛନ୍ତି ଆଶ୍ଚର୍ଯ୍ୟର କଥା। ପୂର୍ବରୁ ବିଭିନ୍ନ ଯୋଜନାରେ ଜନସାଧାରଣଙ୍କ ଅର୍ଥ ହରିଲୁଟ୍‌ ‌ହେବା ନେଇ ବିଜେପି ପ୍ରତିବାଦ କରି ଆସିଛି। ଆସନ୍ତାକାଲି ବିଜେପି ବିଏମ୍‌ସି କାର୍ଯ୍ୟାଳୟ ଘେରିବ।

ଜଟଣୀ ବିଧାୟକ ସୁରେଶକୁମାର ରାଉତରାୟ କହିଛନ୍ତି, ସରକାର ଦୁର୍ନୀତିରେ ବୁଡ଼ିଛନ୍ତି। ଏଣେ ବିଏମ୍‌ସି ବି ପଛରେ ନାହିଁ। ମଶା ଅଥୟ କଲେଣି। ଏବେ କହୁଛନ୍ତି ଡ୍ରୋନ୍‌ ଖୋଜିବ ମଶା କେଉଁଠି ଅଣ୍ଡା ଦେଉଛନ୍ତି। ଏତେ ଦିନ ଯାଏ ଅଫିସରମାନେ କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିବା ସହ ପ୍ରଚାର ପ୍ରସାରରେ ନ ମାତି ଲୋକଙ୍କୁ ମୌଳିକ ସୁବିଧା ଦେବା ପାଇଁ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।