ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବା ପାଇଁ କାଲ୍କାଟା ହାଇକୋର୍ଟଙ୍କ ଆଦେଶକୁ ମଙ୍ଗଳବାର କାଏମ୍ ରଖିଛନ୍ତି ସୁପ୍ରିମ୍କୋର୍ଟ। ରାଜ୍ୟ ନିର୍ବାଚନ କମିସନକୁ ମଧ୍ୟ ତାଗିଦ କରି କହିଛନ୍ତି, ନିର୍ବାଚନ ମାନେ ନୁହେଁ ହିଂସାକୁ ଲାଇସେନ୍ସ ମିଳିଗଲା। ମୁକ୍ତ ଓ ଅବାଧ ନିର୍ବାଚନ କରାଇବା ରାଜ୍ୟ ନିର୍ବାଚନ କମିସନଙ୍କ ଦାୟିତ୍ବ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ରୀୟ ବାହିନୀ ମୁତୟନକୁ ରାଜ୍ୟ ସରକାର ଦ୍ବାରା ବିରୋଧ କରାଯିବାକୁ ସୁପ୍ରିମ୍କୋର୍ଟ ଅଯୌକ୍ତିକ ଦର୍ଶାଇବା ସହ ଏଥିରେ ସମସ୍ୟା କ’ଣ ରହିଛି ବୋଲି ସରକାରକୁ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ କାଲ୍କାଟା ହାଇକୋର୍ଟ ଆଦେଶ ଦେଇଥିବା ବେଳେ ଏହା ବିରୋଧରେ ମମତା ବାନାର୍ଜୀ ସରକାର ଓ ରାଜ୍ୟ ନିର୍ବାଚନ କମିସନ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ୍ ବିଭି ନାଗରତ୍ନା ଓ ମନୋଜ ମିଶ୍ର ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
ସର୍ବୋଚ୍ଚ ଅଦାଲତ କହିଲେ ଯେ, ହାଇକୋର୍ଟଙ୍କ ଆଦେଶ ଉପରେ କୌଣସି ହସ୍ତକ୍ଷେପର ଆବଶ୍ୟକତା ନାହିଁ। କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ କହି ହାଇକୋର୍ଟ କିଛି ଭୁଲ୍ କରିନାହାନ୍ତି। ହାଇକୋର୍ଟଙ୍କ ଆଦେଶର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା। ଯେହେତୁ ସରକାର ଗୋଟିଏ ଦିନରେ ନିର୍ବାଚନ ପରିଚାଳନା କରୁଛନ୍ତି ଏବଂ ଅସଂଖ୍ୟ ବୁଥ୍ ଗାଁଗହଳରେ ଅଛି, ସେ ଦୃଷ୍ଟିରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅଧିକ ଫୋର୍ସର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି। ତେଣୁ ପଡ଼ୋଶୀ ରାଜ୍ୟରୁ ଫୋର୍ସ ମଗାଇବା ଅପେକ୍ଷା କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ହାଇକୋର୍ଟ ଉଚିତ ମନେକରିଛନ୍ତି। ଏହାର ଖର୍ଚ୍ଚ ମଧ୍ୟ କେନ୍ଦ୍ର ସରକାର ବହନ କରିବେ।
ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସମୟରେ ବହୁସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ନିର୍ବାଚନ କମିସନର କୋର୍ଟଙ୍କୁ କହିଥିଲେ- ନିର୍ବାଚନ ସମୟରେ ଏକ ପ୍ରଚାର ଅବଧି ରହିବ। ଆମେ ଆବଶ୍ୟକ ଫୋର୍ସ ମଗାଇଥାନ୍ତୁ। ରାଜ୍ୟ ସରକାରଙ୍କୁ ଫୋର୍ସ ଦେବାକୁ ଆମେ କହିଛୁ। ଏହାର ଉତ୍ତରରେ କୋର୍ଟ କହିଲେ- ମୁକ୍ତ ଓ ଅବାଧ ନିର୍ବାଚନ କରାଇବା ଆପଣଙ୍କର ଦାୟିତ୍ବ। ହାଇକୋର୍ଟଙ୍କ ଆଦେଶରେ ନିର୍ବାଚନ କମିସନଙ୍କର ଅସୁବିଧା କେଉଁଠି ହେଲା? ଫୋର୍ସ କେଉଁଠୁ ଆସିବ, ରାଜ୍ୟ ଦେବ କି କେନ୍ଦ୍ର ଦେବ, ତାହା ନିର୍ବାଚନ କମିସନଙ୍କ ମୁଣ୍ଡବ୍ୟଥାର କାରଣ ନୁହେଁ। ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ଅବାଧ ନିର୍ବାଚନ ପରିଚାଳନା କରିବା ସେମାନଙ୍କ ଦାୟିତ୍ବ ଏବଂ ସେମାନେ ଯଥେଷ୍ଟ ଫୋର୍ସ ଯୋଗାଇଦେବେ। ଆସନ୍ତା ଜୁଲାଇ ୮ରେ ପଞ୍ଚିମବଙ୍ଗରେ ପ୍ରାୟ ୭୫,୦୦୦ ଆସନ ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଗଣତି ୧୧ରେ ହେବ। ଏଥିପାଇଁ ସାରା ରାଜ୍ୟରେ ପ୍ରାୟ ୬୧,୦୦୦ ବୁଥ୍ ପ୍ରତିଷ୍ଠା ହୋଇଛି।