ଇମ୍ଫାଲ : ମଣିପୁରରେ ଜାତିଆଣ ହିଂସା ପୁଣି ଭୟାନକ ହୋଇଉଠିଛି। ପ୍ରତିଦିନ ରାଜ୍ୟରେ ପୋଡ଼ାଜଳା ଓ ଗୁଳିକାଣ୍ଡ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶାନ୍ତି ପ୍ରକ୍ରିୟା ବିଫଳ ହୋଇଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ବାସଭବନକୁ ଦଙ୍ଗାକାରୀମାନେ ଜାଳି ଦେଇଛନ୍ତି। ଇମ୍ଫାଲର କଙ୍ଗବାସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ ଘରେ ୧୨୦୦ରୁ ଅଧିକ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନେ ଉକ୍ତ ଘରକୁ ଚାରିପଟୁ ପେଟ୍ରୋଲ ବୋମାମାଡ଼ ଜାଳି ଦେଇଛନ୍ତି। ମଣିପୁର ମନ୍ତ୍ରୀ ନେମଚା କିପଗେନଙ୍କ ବାସଭବନ ଉପରେ ଆକ୍ରମଣ କରିବାର ଦିନକ ପରେ ହିଂସାକାରୀଙ୍କ ଏହି ଆକ୍ରମଣ ଆତଙ୍କ ସୃଷ୍ଟି କରିଛି। ମନ୍ତ୍ରୀଙ୍କ ଘର ବାହାରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ସେମାନେ ନଷ୍ଟ କରିଦେଇଛନ୍ତି।
ଗତରାତି ପ୍ରାୟ ୧୧ଟା ସମୟରେ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନକୁ ଦଙ୍ଗାକାରୀ ଘେରିଯାଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ଇମ୍ଫାଲ ପୁଲିସ ଟିୟର ଗ୍ୟାସ ସେଲ୍ ପ୍ରୟୋଗ କରିଥିଲା। ତେବେ, ଉଗ୍ର ଭିଡ଼କୁ ଏହା ନିୟନ୍ତ୍ରଣ କରିପାରିନଥିଲା। ଆକ୍ରମଣ ସମୟରେ ମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ କେହି ବି ଘରେ ନଥିଲେ। ଉଲ୍ଲେଖଯୋଗ୍ୟ, ଇମ୍ଫାଲରେ କର୍ଫ୍ୟୁ ସତ୍ତ୍ବେ ୧ ହଜାରରୁ ଅଧିକ ଲୋକ ସଂଘବଦ୍ଧ ହୋଇ ମନ୍ତ୍ରୀଙ୍କ ଘର ନିକଟରେ ପହଞ୍ଚିବା ଏବଂ ଚାରିପଟୁ ଆକ୍ରମଣ କରିବା ଘଟଣା ସୁରକ୍ଷା ବାହିନୀ ଓ ଗୁଇନ୍ଦା ବିଭାଗର ବିଫଳତାକୁ ପଦାରେ ପକାଇଦେଇଛି। ଆକ୍ରମଣ ସମୟରେ ମନ୍ତ୍ରୀଙ୍କ ବାସଭବନରେ ୧୪ ସୁରକ୍ଷାକର୍ମୀ ଏବଂ ୮ ଅତିରିକ୍ତ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ। ଉପସ୍ଥିତ ଥିବା ଜଣେ ଏସକର୍ଟ କମାଣ୍ଡ ଏଲ୍ ଦିନେଶ୍ବର ସିଂହ କହିଛନ୍ତି, ବିଶୃଙ୍ଖଳ ଜନତା ସବୁଦିଗରୁ ପେଟ୍ରୋଲ ବୋମା ନିକ୍ଷେପ କରିବାରୁ ଆମେ ସ୍ଥିତିକୁ ନିୟନ୍ତ୍ରଣ କରିପାରିଲୁନି। ଏସକର୍ଟ କମାଣ୍ଡର କହିଛନ୍ତି, ଏକସଂଗରେ ୧୨ ଶହ ଲୋକଙ୍କ ଆକ୍ରମଣ ଅତି ଭୟାନକ ଥିଲା। ଗତ ମେ’ରେ ମଧ୍ୟ ମନ୍ତ୍ରୀଙ୍କ ଘରେ ଆକ୍ରମଣ ହୋଇଥିଲା। ଏହିସମୟରେ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରି ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇଥିଲେ।
ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ପାଇଁ ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପାଖାପାଖି ୪୦୦ ଲୋକ ଆହତ ହୋଇଛନ୍ତି। ୨ ଦିନ ତଳେ ରାଜ୍ୟରେ ପୋଡ଼ାଜଳା ଏବଂ ଗୁଳିମାଡ଼ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।