ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୋଗବର୍ଦ୍ଧନ ମଠକୁ ମହାପ୍ରଭୁ ସାହା: ପୁନରୁଦ୍ଧାର ପାଇଁ ଲୋଡ଼ା ୫କୋଟି, ଆସିଲା ୫ଲକ୍ଷ

ପୁରୀ : ଭୋଗବର୍ଦ୍ଧନ ମଠର ଭବିଷ୍ୟତ ଏବେ ବି ଅନ୍ଧାରରେ। ଶ୍ରୀକ୍ଷେତ୍ରର ଏହି ସର୍ବପ୍ରାଚୀନ ମଠ ଅଧୀନରେ ଦିନେ ୨୬ ହଜାର ଏକର ଜମିର ମାଲିକାନା ଥିଲେ ବି ଅସ୍ତିତ୍ବ ପାଇଁ ଏବେ ଯେମିତି ସଂଘର୍ଷ କରୁଛି। କିଛି ମାସ ତଳେ ‌ଜିଲ୍ଲାପାଳ ଏହି ମଠ ପରିଦର୍ଶନ କରି ତହସିଲଦାରଙ୍କୁ ରିପୋର୍ଟ ମାଗୁଥିଲେ। ଶ୍ରୀଶଙ୍କରାନନ୍ଦ ମଠ ଦେବୋତ୍ତର ଟ୍ରଷ୍ଟବୋର୍ଡ ପକ୍ଷରୁ ସଂସ୍କୃତି ବିଭାଗକୁ ଚିଠି ଲେଖି ମଠର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମଠର ସ୍ଥିତି ଏତେ ଦୟନୀୟ ଯେ ଏହାର ପୁନରୁଦ୍ଧାର ପାଇଁ କୋଟିକୋଟି ଟଙ୍କାର ଆବଶ୍ୟକତା ରହିଛି। ମାତ୍ର ସଂସ୍କୃତି ବିଭାଗ ପକ୍ଷରୁ ମଞ୍ଜୁର ହୋଇଛି ମାତ୍ର ୪ଲକ୍ଷ ୯୯ ହଜାର ୯୭୮ ଟଙ୍କା। ଏଥିରେ ମଠର କେଉଁ‌ ଗୋଟିଏ ମନ୍ଦିର ବି ସମ୍ପୂର୍ଣ୍ଣ ପୁନରୁଦ୍ଧାର ହେବା ସମ୍ଭବ ନୁହେଁ ବୋଲି ଟ୍ରଷ୍ଟବୋର୍ଡର ସଦସ୍ୟମାନେ କହିଛନ୍ତି।

ରାଜା ଅନଙ୍ଗଭୀମ ଦେବ ଦେବ କାର୍ଯ୍ୟ ପରିଚାଳନା ପାଇଁ ତତ୍କାଳୀନ ସ୍ବାମୀ ଶଙ୍କରାନନ୍ଦ ସରସ୍ବତୀଙ୍କୁ ୧୧ ଏକର ଜମି ‌ପ୍ରଦାନ କରିଥିଲେ। ରାଜା ଅନଙ୍ଗଭୀମ ଦେବ ତୃତୀୟଙ୍କ କାର୍ଯ୍ୟକାଳ ୧୨୧୧ରୁ ୧୨୩୫ ଖ୍ରୀଷ୍ଟାବ୍ଦ ହୋଇଥିବାରୁ ଏହି ମଠର କାଳଖଣ୍ଡ ମଧ୍ୟ ଏହି ସମୟର ବୋଲି ବିବେଚନା କରାଯାଉଛି। ମଠ ମଧ୍ୟରେ ଜଗମୋହନ, ମୁଖ୍ୟମନ୍ଦିର ସହ ୧୫ଟି କୋଠରି ରହିଛି। ମାତ୍ର କୋଠରିଗୁଡ଼ିକ ଅର୍ଧଭଗ୍ନ ଅବସ୍ଥାରେ ପଡ଼ିରହିଛି। ମଠ ମଧ୍ୟରେ ଥିବା ୩୦ ଫୁଟ ଉଚ୍ଚର ମୁଖ୍ୟ ମନ୍ଦିର ମଧ୍ୟରେ ଏବେ ବି ୫୫ ବିଗ୍ରହ ପୂଜା ପାଉଛନ୍ତି। ନୃସିଂହଙ୍କ ସମେତ ହନୁମାନ, ମହାଦେବଙ୍କ ସମେତ ଅନ୍ୟ ବିଗ୍ରହ ପୂଜା ପାଉଛନ୍ତି। କାନ୍ଥରେ କାଞ୍ଚି ଅଭିଯାନ ସମେତ ବହୁ ଐତିହ୍ୟ କିର୍ତ୍ତିରାଜି ଶୋଭାପାଉଛି। ମାତ୍ର ମୁଖ୍ୟମନ୍ଦିରର ଛାତରେ ଗଛ ଉଠି କାନ୍ଥରେ ଚେର ପ୍ରବେଶ କରି ଫଟାଇ ଦେଇଛି। ଫଳରେ ଏହା ଭଗ୍ନ ଅବସ୍ଥାରେ ଥିବାରୁ ଗଳିପଡ଼ିବାର ଆଶଙ୍କା ସୃଷ୍ଟିହୋଇଛି।

ଏନେଇ ଟ୍ରଷ୍ଟବୋର୍ଡର ଅନ୍ତରୀଣ ପରିଚାଳନା ଟ୍ରଷ୍ଟି ଡ.ଦୁର୍ଗାପ୍ରସାଦ ମିଶ୍ର କହିଛନ୍ତି, ମଠ ଦିନେ ୧୧ ହଜାର ଏକର ଜମିରେ ପ୍ରତିଷ୍ଠିତ ଥିଲା। ମାତ୍ର ଏବେ ଏହା ଜବରଦଖଲ ହୋଇ ୧ ଏକରରେ ସୀମିତ ରହିଛି। ଏହା ମଧ୍ୟରେ ଟେଣ୍ଟ୍‌ ଜିନିଷ ରଖାଯାଇଛି। ମଠ ମଧ୍ୟରେ ଆଚାର୍ଯ୍ୟ କୋଠରିର ପ୍ରାଚୀନ ପଲଙ୍କ ଓ ଅଭିଷେକ ପାତ୍ର ସବୁ ନାରଖାର ହୋଇ ପଡ଼ିରହିଛି। ମଠର ପୁନରୁଦ୍ଧାର ପାଇଁ ଅନ୍ୟୁନ ୫କୋଟି ଟଙ୍କାର ଆବଶ୍ୟକତା ରହିଛି। କିନ୍ତୁ ମିଳିଛି ୫ଲକ୍ଷ ଟଙ୍କାରୁ କମ୍‌। ବିଶେଷକରି ମୁଖ୍ୟ ମନ୍ଦିରରେ ୫୫ ବିଗ୍ରହ ଏବେ ବି ପୂଜା ପାଉଥିବାରୁ ପ୍ରଥମେ ଛାତ ଫାଟିଯାଇଥିବା ଅଂଶର ମରାମତି ପାଇଁ ପ୍ରକ୍ରିୟାର ଆରମ୍ଭ ହୋଇଛି।

ଶ୍ରୀମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, କପିଳାସ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଭଳି ଓଡ଼ିଶାର କେତେକ ଶିବ ମନ୍ଦିରର ପରିଚାଳନା ଭାର ଏହି ମଠ ଉପରେ ନ୍ୟସ୍ତ ଥିଲା। ଦିନେ ଏହି ମଠ ଅତିଥି ସତ୍କାର ପାଇଁ ଖ୍ୟାତି ଅର୍ଜନ କରିଥିଲା। ଏହି ମଠ ସୃଷ୍ଟି ହେବା ପଛରେ ମଧ୍ୟ ସେଇ ଉଦ୍ଦେଶ୍ୟ ନିହିତ ଥିଲା। ଶିକ୍ଷା, ଧର୍ମ ଓ ମୋକ୍ଷର ପୀଠ ଭାବେ ଏହି ମଠ ପ୍ରସିଦ୍ଧି ଅର୍ଜନ କରିଥିଲା। ମଠରେ ସମସ୍ତ ସାଧୁ ସନ୍ନ୍ୟାସୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ରହିବାର ବ୍ୟବସ୍ଥା ହୋଇଥିଲା। ସେମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ ମଧ୍ୟ ମଠ ପକ୍ଷରୁ କରାଯାଉଥିଲା। ମଠର ପରିଚାଳନା ପାଇଁ ୨୬ ହଜାର ଏକର ଜମି ସହ ସେଠାରେ ନଡ଼ିଆ, ଫଳ, ଫୁଲ ବଗିଚା, ପୁଷ୍କରିଣୀ ରହିଥିଲା। ସେଥିରୁ ମିଳୁଥିବା ରାଜସ୍ବରୁ ମଠର ପରିଚାଳନା ହେଉଥିଲା। ମାତ୍ର ଏବେ ମଠ ଅଧୀନରେ ଥିବା ଜମି କେଉଁଠି ଅଛି, ସେଠାରେ କିଏ ରହୁଛନ୍ତି, ସେସବୁ ଏବେ ପ୍ରଶ୍ନବାଚୀ। ଶ୍ରୀକ୍ଷେତ୍ରରେ ଏବେ ଆଧୁନିକୀକରଣ ପାଇଁ ଶହଶହ‌ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମଠ ପ୍ରତି କାହାର ଆନ୍ତରିକତା ନାହିଁ ବୋଲି ଅଭିଯୋଗ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।