ରାଜ୍ୟ

ଭେଟମଣ୍ଡପରେ ମା’, ଚାରମାଳରେ ମହାବାହୁ

ପୁରୀ: ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀରେ ସ୍ନାନବେଦିକୁ ବିଜେ କରିଥିଲେ। ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ଘରେ ଗୋପନ ଉପଚାରରେ ରହିଲେ। ସୁସ୍ଥ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ନବବିବାହିତା ମା’ ଲକ୍ଷ୍ମୀ ସାଆନ୍ତାଣୀ (ରୁକ୍ମିଣୀ)ଙ୍କ ଅଜାଣତରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଯାଇଥିଲେ। ସେପଟେ ମା’ଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ବି ଫିଟିନି। ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀ ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶକ୍ରମେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଅପମାନ ଓ ରାଗରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗି ନିରାଡ଼ମ୍ବରରେ ଶ୍ରୀମନ୍ଦିର ଫେରି ଆସିଥିଲେ। ସେବେଠୁ ମହାପ୍ରଭୁଙ୍କ ଉପରେ ମାନ କରିଥିଲେ ମା’।

ଏଣୁ ଆଜି ଶ୍ରୀମନ୍ଦିରକୁ ଫେରିବା ବେଳେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ କରିଛନ୍ତି ମହାବାହୁ। ରଥରେ ଥିବା ସ୍ବୟଂ ନାରାୟଣଙ୍କୁ ଭେଟଭଣ୍ଡପରୁ ମା’ ଲକ୍ଷ୍ମୀ ଭେଟ କରିଛନ୍ତି। ମା’ଙ୍କ ଆଖି ସହ ମହାପ୍ରଭୁଙ୍କ ଆଖି ମିଶିବା ପରେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନୀରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି।

ଆଜି ନୀଳାଦ୍ରିବିଜେ ସମୟରେ ଏହି ଅପୂର୍ବ ଦୃଶ୍ୟ ଭକ୍ତମାନଙ୍କୁ ବିହ୍ବଳିତ କରିଛି। ବଡ଼ଠାକୁର ଓ ମା’ ସୁଭଦ୍ରା ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିସାରିବା ପରେ ଆରମ୍ଭ ହୋଇଥିଲା କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି। ପହଣ୍ଡିର ଆଦ୍ୟ ପର୍ବରେ ମହାପ୍ରଭୁ ଚାରମାଳ ଉପରେ ଉପସ୍ଥିତ ଥିବା ବେଳେ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଆଗମନ ଖବର ପାଇ ଭେଟମଣ୍ଡପକୁ ଆସିଥିଲେ। ହୃଦୟରେ ଅଜସ୍ର ଶ୍ରଦ୍ଧା ଓ ମନରେ ଗଭୀର ଅଭିମାନ ରଖି ମା’ ଭେଟମଣ୍ଡପରୁ ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅବଲୋକନ କରିଛନ୍ତି। ମହାପ୍ରଭୁ ଫେରିଆସୁଥିବାର ଆନନ୍ଦ ସହିତ ହେରାପଞ୍ଚମୀରେ ଦର୍ଶନ କରି ନପାରିବାର ଅଭିମାନ ବି ମନରେ ରଖିଛନ୍ତି ମା’ ଲକ୍ଷ୍ମୀ ସାଆନ୍ତାଣି। ଏହି ସମୟରେ ମହାପ୍ରଭୁ ବି ପହଣ୍ଡି ବେଳେ ଚାରମାଳ ଉପରେ ଅଟକି ଭେଟମଣ୍ଡପରେ ଦର୍ଶନ ଅପେକ୍ଷାରେ ଥିବା ମହାଲକ୍ଷ୍ମୀଙ୍କ ଆଖିରେ ଆଖି ମିଳାଇଛନ୍ତି। ପିତାମାତାଙ୍କ ଚାରିଆଖିର ଅପୂର୍ବ ମିଳନ ଦୃଶ୍ୟ ଅବଲୋକନ କରି ଅଗଣିତ ଶ୍ରଦ୍ଧାଳୁ ଜୟ ଜଗନ୍ନାଥ, ଜୟ ମା’ ମହାଲକ୍ଷ୍ମୀ ଡାକରେ ଗଗନ ପବନ ପ୍ରକମ୍ପିତ କରିଛନ୍ତି।

ସେପଟେ ଆଖି ସହ ଆଖିର ମହାମିଳନ ପରେ ମାନ କରିଥିବା ମହାଲକ୍ଷ୍ମୀଙ୍କ ରୋଷ ସାମାନ୍ୟ ପ୍ରଶମିତ ହୋଇଛି। ଭେଟମଣ୍ଡପରୁ ଭେଟ ପରେ ଅଭିମାନୀ ମା’ଙ୍କ ଆଦେଶ ରକ୍ଷା କରି ସହଚରୀମାନେ ସିଂହଦ୍ବାର କବାଟ ଫିଟାଇଛନ୍ତି। ଭେଟ କରି ମା’ ଫେରିଯିବା ପରେ ମହାବାହୁ ପୁନର୍ବାର ଗୋଟି ପହଣ୍ଡିରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ମାନବ ସମାଜକୁ ଶୃଙ୍ଖଳିତ ଜୀବନର ବାର୍ତ୍ତା ଦେଇଛି। ଏହି ମାନବୀୟ ଲୀଳା ସ୍ବରୂପ ମା’ ଲକ୍ଷ୍ମୀ ସାଆନ୍ତାଣୀ ଓ ମହାପ୍ରଭୁ ମାନବ ସମାଜକୁ ଶୃଙ୍ଖଳିତ ଜୀବନ ଉପରେ ଅନେକ କିଛି ବାର୍ତ୍ତା ଦେଇଛନ୍ତି। ଭେଟମଣ୍ଡପରେ ଭେଟ ସମୟରେ ମହାପ୍ରଭୁଙ୍କ ବାଡ଼ରୁ ପତି ମହାପାତ୍ର କର୍ପୁର ଆଳତି ସମର୍ପଣ ସହ ବନ୍ଦାପନା କରିଥିଲେ। ମା’ଙ୍କ ତରଫରୁ ଭିତରଚ୍ଛ ମହାପାତ୍ର କର୍ପୁର ଆଳତି ସମର୍ପଣ ସହ ବନ୍ଦାପନା କରିଥିଲେ। ଏହି ସମୟରେ ମହାପ୍ରଭୁଙ୍କୁ ବିଡ଼ିଆ ପାନ ସମର୍ପଣ କରାଯାଇଥିଲା। ମା’ଙ୍କ ନିକଟରେ ବି ରସଗୋଲା ଭୋଗ କରାଯାଇଥିଲା। ମହାପ୍ରଭୁଙ୍କ ଘସାଜଳ ପାଇ ସେବକ ଓ ଭକ୍ତମାନେ କୃତାର୍ଥ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।