ରାଜ୍ୟ

ଭୁବ‌ନେଶ୍ବର-ସିଙ୍ଗାପୁର ବିମାନସେବା: କ’ଣ ଥିଲା, କ’ଣ ହେଲା ସିଙ୍ଗାପୁର

ସିଙ୍ଗାପୁର/ଭୁବନେଶ୍ବର : ସିଙ୍ଗାପୁରକୁ ଗଲେ ଏବେ ୟୁରୋପର ଭ୍ରମ ସୃଷ୍ଟି ହୁଏ। ସବୁ କିଛି ବ୍ୟବସ୍ଥିତ। ହେଲେ ଅଶୀ ଦଶକରେ ସିଙ୍ଗାପୁରର ଅବସ୍ଥା ଭଲ ନଥିଲା। ବର୍ଷା ହେଲେ ରାସ୍ତାଘାଟ କାଦୁଅ ପଚପଚ। ଚୀନୀୟ ବଂଶୋଦ୍ଭବ ଲୋକ ଉଠା ପାଇଖାନାରୁ ମଇଳା ଉଠାଇ ମୁଣ୍ଡ ଉପରେ ରଖି ବୋହି ନେବାର ଦୃଶ୍ୟ ସାଧାରଣ ଥିଲା। ଏବେ ଦକ୍ଷିଣ ଏସିଆର ଅନ୍ୟତମ ସମୃଦ୍ଧ ରାଷ୍ଟ୍ର ସିଙ୍ଗାପୁର। ପେଟପାଟଣା ପାଇଁ ଓଡ଼ିଶାରୁ ସିଙ୍ଗାପୁର ଯାଇ ସ୍ଥାୟୀ ଭାବେ ରହିଯାଇଥିବା କିଛି ପ୍ରବାସୀଙ୍କ ସହ ‘ସମ୍ବାଦ’ର ଆଲୋଚନା।

ସୂଚନାଯୋଗ୍ୟ, ଭୁବନେଶ୍ବରକୁ ସିଧାସଳଖ ବିମାନସେବା ଆରମ୍ଭ ହେବା ପରେ ସିଙ୍ଗାପୁରରେ ରହୁଥିବା ୫ ଶହରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ପରିବାର ମଧ୍ୟରେ ଏବେ ଉତ୍ସାହ ବଢ଼ିଯାଇଛି। ଏହି ପରିବାରଗୁଡ଼ିକ ମଧ୍ୟରୁ ପାଖାପାଖି ସାଢ଼େ ୩ଶହ ପରିବାର ସେଠାକାର ସ୍ଥାୟୀ ବାସିନ୍ଦା। କାମ ଅନ୍ବେଷଣରେ ଆସି କିଏ ୧୯୮୧ ତ କିଏ ୨୦୦୦ ମସିହାରୁ ଏଠାରେ ରହିଲେଣି। ଓଡ଼ିଆ ସୋସାଇଟି ଆନୁକୂଲ୍ୟରେ ସେମାନେ ଏକାଠି ହୋଇ ଓଡ଼ିଶାର ପ୍ରାୟ ସବୁ ପର୍ବ ପାଳନ କରି ନିଜ ମନକୁ ସାନ୍ତ୍ବନା ଦେଇଥା’ନ୍ତି। କିନ୍ତୁ ମାଟିର ମୋହ ସବୁବେଳେ ସେମାନଙ୍କୁ ଓଡ଼ିଶା ଟାଣେ। ତେଣୁ ବର୍ଷକୁ ଦୁଇରୁ ତିନିଥର ସେମାନେ ବୁଲି ଆସନ୍ତି, ପରିବାର ଓ ପ୍ରିୟଜନଙ୍କ ସହ ସମୟ ବିତାନ୍ତି। ଏବେ ସିଧାସଳଖ ଭୁବନେଶ୍ବରକୁ ବିମାନସେବା ଆରମ୍ଭ ହେବା ପରେ ସେମାନଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି। ସମୟ ଓ ଖର୍ଚ୍ଚ କମ୍‌ ଥିବାରୁ ସେମାନଙ୍କ ଓଡ଼ିଶା ଆଗମନ ବୃଦ୍ଧି ପାଇବ ବୋଲି କହିଛନ୍ତି। ଏହାଦ୍ବାରା ଉଚ୍ଚଶିକ୍ଷା, ନିଯୁକ୍ତି ଓ ପର୍ଯ୍ୟଟନ କ୍ଷେତ୍ର‌ରେ ସୁଯୋଗ ବୃଦ୍ଧି ପାଇବ ଓ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ଉନ୍ନତ ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି।

ଖାଲି ଓଡ଼ିଆ ନୁହେଁ, ଭାରତୀୟ ବି ଉପକୃତ ହେବେ
ଭୁବନେଶ୍ବରକୁ ସିଧାସଳଖ ବିମାନସେବା ଦ୍ବାରା ଖାଲି ଓଡ଼ିଶାବାସୀ କିମ୍ବା ପ୍ରବାସୀ ଓଡ଼ିଆମାନେ ଉପକୃତ ହେବେନି, ଭାରତୀୟମାନେ ଉପକୃତ ହୋଇପାରିବେ। ପୁରୀ ଜଗନ୍ନାଥ ମନ୍ଦିରକୁ ଯିବା ପାଇଁ ସମସ୍ତଙ୍କ ଭିତରେ ଗୋଟିଏ ଅଭିଳାଷ ଥାଏ। ଭାରତରେ ଥାଇ ବି ସେମାନେ ଯାଇପାରନ୍ତିନି। ଏ ବିମାନସେବା ତାହା ପୂରଣ କରିପାରିବ। ଓଡ଼ିଶାର ଅନ୍ୟ ଦର୍ଶନୀୟ ସ୍ଥାନ ବି ବୁଲିପାରିବେ। ଏହାଦ୍ବାରା ପ୍ରକାରାନ୍ତରେ ଓଡ଼ିଶାର ଟୁରିଜିମ୍‌ କ୍ଷେତ୍ର ଆହୁରି ବିସ୍ତୃତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଆଉ ଟିକିଏ ଉଦ୍ୟମ କରିବାକୁ ପଡ଼ିବ। ସ୍ଥାୟୀ ଓ ଅସ୍ଥାୟୀଙ୍କୁ ମିଶାଇଲେ ଏଠି ୫ଶହରୁ ଊର୍ଦ୍ଧ୍ବ ଓଡ଼ିଆ ପରିବାର ରହୁଛନ୍ତି। ସେମାନେ ଆଗରୁ ବର୍ଷକୁ ୨/୩ଥର ଓଡ଼ିଶା ଯାଉଥିଲେ। ଏବେ ନିଶ୍ଚିତ ଭାବେ ଅଧିକଥର ଯିବେ ବୋଲି ଆଶା। ଆଉ ଗୋଟିଏ କଥା ହେଲା, ଦକ୍ଷିଣ-ପୂର୍ବ ଏସିଆର ଏକ ପ୍ରମୁଖ ସ୍ଥଳ ସିଙ୍ଗାପୁର। ତେଣୁ ଇଣ୍ଡୋନେସିଆ, ଭିଏତ୍‌ନାମ, ଫିଲିପିନ୍ସରେ ରହୁଥିବା ଓଡ଼ିଆ ତଥା ଭାରତୀୟମାନେ ବି ଏହି ବାଟ ଦେଇ ଓଡ଼ିଶାକୁ ଯିବା ପାଇଁ ଚାହିବେ। ତେଣୁ ପରବର୍ତ୍ତୀ ସମୟରେ ସରକାର ଭଡ଼ା ବାବଦ ସବ୍‌ସିଡି ପ୍ରତ୍ୟାହାର କରିନେଲେ ବି ବିମାନ ଚଳାଚଳ ଜାରି ରହିବ।

-ଆଲୋକ ପଣ୍ଡା, ସଭାପତି, ସିଙ୍ଗାପୁର ଓଡ଼ିଆ ସୋସାଇଟି

୨୦ରୁ ୨୨ ଘଣ୍ଟା ବରବାଦ୍‌ ହେଉଥିଲା, ଏବେ ୪ ଘଣ୍ଟାରେ ପହଞ୍ଚି ହେବ
୨୦୦୬ ମସିହାରୁ ଏଠି ରହୁଛି। ୧୭ବର୍ଷ ହୋଇଗଲାଣି। ଓଡ଼ିଶା ଗଲା ବେଳେ ଭାରି ତକଲିଫ ହେଉଥିଲା। କେବେ ବିଶାଖାପାଟନମ୍ ତ କେବେ କୋଲକାତା, ହାଇଦ୍ରାବାଦ ଦେଇ ବୁଲି ବୁଲି ଯିବାକୁ ପଡ଼ୁଥିଲା। ସମୟ ନଷ୍ଟକୁ ଦାମ୍‌ ଅଧିକ, ବାଧୁଥିଲା। ଏବେ ସୁବିଧା ହୋଇଗଲା। ତୁଳନାତ୍ମକ ଭାବେ ବିମାନ ଭଡ଼ା କମ୍‌ ଥିବାରୁ ଓଡ଼ିଆଙ୍କ ସହ ପଡ଼ୋଶୀ ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର ଲୋକ ବି ଏଇପଟ ଦେଇ ଯା’ଆସ କରିବାକୁ ଆଗ୍ରହ ଦେଖାଇବେ। ପରେ ଯଦି ସରକାର ସବ୍‌ସିଡି ବି କାଟି ଦିଅନ୍ତି, ବିମାନସେବା ଚାଲୁ ରହିବାରେ ବିଶେଷ ଅସୁବିଧା ହେବନି। କାରଣ ଲୋକଙ୍କ ପାଖରେ ଟଙ୍କା ଅପେକ୍ଷା ସମୟ ଗୁରୁତ୍ବପୂର୍ଣ୍ଣ। ଅନ୍ୟ ରୁଟ୍‌ ଦେଇ ବୁଲିବୁଲି ଗଲେ ୨୦ରୁ ୨୨ଘଣ୍ଟା ବରବାଦ୍‌ ହେଉଥିଲା। ଏବେ ୪ ଘଣ୍ଟାରେ ଆରାମରେ ପହଞ୍ଚି ହେବ। ପ୍ରିୟଜନଙ୍କ ସହ ଅଧିକ ସମୟ ବିତାଇ ହେବ।

-ସୁବ୍ରତ ନାୟକ, ପ୍ରବାସୀ ଓଡ଼ିଆ, ସିଙ୍ଗାପୁର‌

ଏବେ ଜଗା ଡୋରି ବେଶି ଲାଗିବ
୨୦୦୨ ମସିହାରୁ ମୁଁ ସିଙ୍ଗାପୁରରେ ରହିଆସୁଛି। ସେତେବେଳର ଓ ଏବେର ସିଙ୍ଗାପୁର ମଧ୍ୟରେ ବିଶେଷ ଫରକ୍‌ ନାହିଁ। କହିପାରିବା ଯେ ସେତେବେଳେ କଙ୍କାଳ ଥିଲା, ଏବେ ସେଥିରେ ମାଂସ ଲାଗିଛି। ବିଦେଶରେ ରହିଲେ ବି ଓଡ଼ିଆ ସଂସ୍କୃତିକୁ ଆଦୌ ଭୁଲିନି। ଓଡ଼ିଆ ସୋସାଇଟି ଆନୁକୂଲ୍ୟରେ ଆମେ ଏଠି ପ୍ରାୟ ସବୁ ଓଡ଼ିଆ ପର୍ବପର୍ବାଣୀ ପାଳୁ। ଉତ୍କଳ ଦିବସଠାରୁ ଆରମ୍ଭ କରି ରଜ, ରଥଯାତ୍ରା ଆଦି ଧୁମ୍‌ଧାମ୍‌ରେ ପାଳିଥାଉ। ତଥାପି ମାଟିର ମୋହ ଆମକୁ ସବୁବେଳେ ଟାଣିଥାଏ। ବର୍ଷକୁ ୨ରୁ ୩ଥର ଓଡ଼ିଶା ଯାଉ। ଏବେ ଏ ବିମାନସେବା ଆରମ୍ଭ ହୋଇଗଲା ପରେ ମୋର ବହୁ ସଂପର୍କୀୟମାନେ ଏଠାକୁ ସହଜରେ ଆସିପାରିବେ। ମୋ ସ୍ତ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପାଗଳ। ବାରିପଦାରେ ଘର ହୋଇଥିବାରୁ କୋଲକାତା ବାଟ ଦେଇ ଯାଉଥିଲୁ। ସେଠୁ ପୁରୀ ଆସିବା ଟିକେ କଷ୍ଟ ଥିଲା। କିନ୍ତୁ ଏବେ ଜଗାଡୋରି ଅଧିକ ଲାଗିବ ବୋଲି ଆଶା। ଭୁବନେଶ୍ବରରେ ଓହ୍ଲାଇ ଆରାମରେ ପୁରୀ ଯାଇପାରିବୁ।

-ସଂଗ୍ରାମ କାନୁନ୍‌ଗୋ, ମେରାଇନ୍‌ ଇଂଜିନିୟର୍‌,ପ୍ରବାସୀ ଓଡ଼ିଆ, ସିଙ୍ଗାପୁର

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।