ରାଜ୍ୟ

ଭୀଷଣ ଗ୍ରୀଷ୍ମପ୍ରବାହ: କୋଟାରେ ୨ ଦିନରେ ୨୧ ମୃତ

ନୂଆଦିଲ୍ଲୀ: ଉତ୍ତରଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ରାଜସ୍ଥାନରେ ପ୍ରବଳ ଗରମ ମଧ୍ୟରେ କୋଚିଂ ସହର କୋଟାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେବଳ କୋଟା ଜିଲ୍ଲାରେ ଅପ୍ରତ୍ୟାଶିତ ଭାବେ ଗତ ୪୮ ଘଣ୍ଟାରେ ରାସ୍ତା କଡ଼ରୁ ୨୧ ଜଣଙ୍କର ମୃତଦେହ ମିଳିଲାଣି। ଗତ ଦୁଇ ଦିନ ମଧ୍ୟରେ କୋଟାସ୍ଥିତ ନ୍ୟୁ ମେଡିକାଲ କଲେଜ ହସ୍ପିଟାଲ ଓ ଏମବିଏସ୍‌ ହସ୍ପିଟାଲର ଶବଗୃହକୁ ୨୧ଟି ମୃତଦେହ ଅଣାଯାଇଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଲଗାତାର ମୃତଦେହ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଏକ ଜରୁରୀ ବୈଠକରେ ସତର୍କତା ପଦକ୍ଷେପ ନେଇ ସମୀକ୍ଷା କରିଛି।

ସୋମବାର କୋଟାରେ ସର୍ବୋଚ୍ଚ ତାପମାତ୍ରା ୪୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କୋଟା ସହରର ଫୁଟପାଥରୁ ପ୍ରାୟ ଏକ ଡଜନ ମୃତଦେହ ଉଦ୍ଧାର କରାଯାଇଛି। ରବିବାର ଅପରାହ୍ନରୁ ମୃତଦେହ ମିଳିବା ଆରମ୍ଭ ହୋଇଥିଲା, ଯାହା ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କର ଘର ନାହିଁ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଜଣଙ୍କ ନାଁ ମୁନ୍ନା ଖାନ୍‌। ସେ କୋଟାର ନାୟପୁରା ଦରଘା ବାହାରେ ଅଧିକାଂଶ ସମୟ କାଟନ୍ତି। ତାଙ୍କ ସମ୍ପର୍କୀୟମାନେ କହିଛନ୍ତି, ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଛି। ତେବେ କୋଟା ଜିଲ୍ଲାପାଳ ରବୀନ୍ଦ୍ର ଗୋସ୍ବାମୀ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅଂଶୁଘାତ ବୋଲି କହିହେବନାହିଁ। ଇତିମଧ୍ୟରେ ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ହସ୍ପିଟାଲମାନଙ୍କୁ
ପ୍ରସ୍ତୁତ ରହିବାପାଇଁ କହିଛନ୍ତି। ଅଂଶୁଘାତ ଲକ୍ଷଣ ଥିଲେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅଂଶୁଘାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିମସର କହିଛନ୍ତି। ଗତ ରବିବାର ପଶ୍ଚିମ ସୀମାରେ ମୁତୟନ ହୋଇଥିବା ଜଣେ ବିଏସ୍‌ଏଫ୍‌ ଯବାନଙ୍କର ମଧ୍ୟ ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଛି। ଉକ୍ତ ଯବାନ ହଠାତ ଅସୁସ୍ଥ ହୋଇପଡ଼ିବ‌ାରୁ ତାଙ୍କୁ ହସ୍ପିଟାଲ ନିଆଗଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ବିଏସଏଫ୍‌ ପକ୍ଷରୁ ତାଙ୍କ ମୃତ୍ୟୁର କାରଣ ଅଂଶୁଘାତ ବୋଲି ସ୍ପଷ୍ଟ କରାଯାଇନି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି ଯେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଜି ଦିଲ୍ଲୀର ମୁଙ୍ଗେଶପୁରରେ ସର୍ବୋଚ୍ଚ ତାପମାତ୍ରା ୪୯.୯ ଡିଗ୍ରି ରେକର୍ଡ କରାଯାଇଛି। ଉତ୍ତର ଦିଲ୍ଳୀର ନରେଲାରେ ମଧ୍ୟ ୪୯.୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏହି ଦୁଇଟି ସ୍ଥାନରେ ଆଜିର ତାପମାତ୍ରା ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି। ଦକ୍ଷିଶଣ ପଶ୍ଚିମ ଦିଲ୍ଲୀର ନଜଫଗଡରେ ତାପମାତ୍ରା ୪୯.୮ ଡିଗ୍ରି ରେକର୍ଡ କରାଯାଇଛି। ଏହିସବୁ ସ୍ଥ‌ାନରେ ଆଜିର ତାପମାତ୍ରା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।
ଗତକାଲି ମୁଙ୍ଗେଶପୁରରେ ସର୍ବୋଚ୍ଚ ତାପମାତ୍ରା ୪୮.୮ ଡିଗ୍ରି ସେଲସିୟସ ଥିବା ବେଳେ ରାଜସ୍ଥାନର ଫାଲୋଡି ୪୯.୪ ଡିଗ୍ରି ତାପମାତ୍ରା ସହ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବେ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ତା’ର ସଦ୍ୟତମ ପାଣିପାଗ ବୁଲେଟିନରେ କହିଛି ଯେ ଏହି ତିନି ଦିନ ମଧ୍ୟରେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ହରିୟାଣାର ସିରସାରେ ପାରଦ ଗତକାଲି ୪୮.୪ ଡିଗ୍ରି ଛୁଇଁଥିବା ବେଳେ ପଞ୍ଜାବର ଭଟିଣ୍ଡାରେ ୪୮.୪ ଡିଗ୍ରି, ଉତ୍ତରପ୍ରଦେଶର ଝାନ୍ସିରେ ୪୮.୧ ଡିଗ୍ରି ଓ ମଧ୍ୟପ୍ରଦେଶର ନିୱାରୀରେ ୪୮.୭ ଡିଗ୍ରି ରେକର୍ଡ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ହିମାଚଳ ପ୍ରଦେଶରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଉନାରେ ତାପମାତ୍ରା ୪୪ ଡିଗ୍ରି ଥିବା ବେଳେ ମଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।