ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ କୁବେର ଯନ୍ତ୍ରୀ ମାମଲା: ପୁରୀରୁ ମଥୁରା ଯାଏ ଅଚଳାଚଳ ସମ୍ପତ୍ତି

ଭୁବନେଶ୍ବର: ଆୟବହିର୍ଭୂତ ସଂପତି ମାମଲାରେ ଭିଜିଲାନ୍ସ ଚଢ଼ଉ କରିଥିବା ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି। ଯେତିକି ଖୋଳା ଚାଲିଛି, ସେତିକି ସମ୍ପତ୍ତି ବାହାରୁଛି। ଜଗନ୍ନାଥ ଧାମରୁ ମଥୁରା ଯାଏ ତାଙ୍କ ସମ୍ପତ୍ତି ରହିଛି। ଆଜି ଭିଜିଲାନ୍ସର ଦ୍ବିତୀୟଦିନ ଚଢ଼ଉ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାତରେ ଲାଗିଛି। ଏଯାଏଁ ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ୧୪କୋଟିରୁ ଊର୍ଧ୍ବ ହେବ ବୋଲି ଜଣାପଡ଼ିଛି, ଯାହାକି ତାଙ୍କ ଆୟର ୨୫୮ ପ୍ରତିଶତ ବୋଲି ଭିଜିଲାନ୍ସ ହିସାବରୁ ସ୍ପଷ୍ଟ ହୋଇଛି। ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଚଢ଼ଉ ବେଳେ ଆଜି ଭିଜିଲାନ୍ସ ଉତ୍ତରପ୍ରଦେଶର ମଥୁରାରେ ଏକ ୨ବିଏଚ୍‌କେ ଫ୍ଲାଟ ଥିବା ଠାବ କରିଛି। ଏହାର ମୂଲ୍ୟ ପାଖାପାଖି ୫୦ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ପୁଣି ଘର ଓ ଲକରକୁ ମିଶାଇ ଆହୁରି ଏକ କେଜି ସୁନା ଜବତ କରାଯାଇଛି। ସେହିପରି ବିଭିନ୍ନ ବ୍ୟାଙ୍କରେ ତାଙ୍କର ୯୮.୧୧ଲକ୍ଷ ଟଙ୍କା ଜମା ଥିବା ଜଣାପଡ଼ିଛି। ବିଭିନ୍ନ ବୀମା ବାବଦକୁ ୧.୮୬କୋଟି ଟଙ୍କା ଜମା ହୋଇଛି। କେବଳ ଏତିକି ନୁହେଁ, କୁବେରେ ଯନ୍ତ୍ରୀ ବେଶ୍‌ ସୌଖୀନ ଥିଲେ ବୋଲି ଜଣା ପଡ଼ିଛି। କଳାଟଙ୍କାରେ ସେ ଢ଼େଙ୍କାନାଳର ସପ୍ତଶଯ୍ୟା‌ ନିକଟରେ ୮ଏକର ଜମିରେ ଏକ ଫାର୍ମ ହାଉସ୍‌ ତିଆରି କରିଥିଲେ। ସେଠାରେ ଏକ ହଜାରରୁ ଅଧିକ କୁକୁଡ଼ା, ବତକ ଅଛନ୍ତି, ପ୍ରାୟ ୭୦ଟି ବିଭିନ୍ନ ପ୍ରଜାତିର ଗାଈ ମଧ୍ୟ ରହିଛନ୍ତି। ଅଛି ମଧ୍ୟ ୨ ଏକରର ଏକ ମାଛ ପୋଖରୀ। ଫାର୍ମ ଭିତରେ ଗୋଟିଏ ଦୁଇମହଲା ବିଳାସପୂର୍ଣ୍ଣ ଘର ରହିଛି। ଛୁଟି ସମୟରେ କୁ‌େବର ଯନ୍ତ୍ରୀ ସେଠାରେ ସମୟ ବିତାଉଥିଲେ। ୧୯୯୧ରେ ଚାକିରିରେ ଯୋଗଦେଇଥିବା ସୁନୀଲ ପ୍ରାୟ ବର୍ଷେ ତଳେ ସୁକତେଲ ପ୍ରକଳ୍ପରେ ଯୋଗ ଦେଇଥିଲେ। ତାଙ୍କର ଆହୁରି ୫ବର୍ଷ ଚାକିରି ଥିଲା।

ପ୍ରକାଶ ଥାଉ କି ଗୁରୁବାର ଦିନ ଭିଜିଲାନ୍ସର ୯ଟି ଟିମ୍‌ ଆଜି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ରାଉତଙ୍କ ଭୁବନେଶ୍ବର ସ୍ଥିତ ଆବାସିକ ଘର, କଟକ ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ ବେଳେ ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳରେ ୫୮୦୦ବର୍ଗଫୁଟ୍‌ରେ ନିର୍ମିତ ୩ମହଲା ବିଳାସପୂର୍ଣ୍ଣ ଅଟ୍ଟାଳିକା, ନୂଆପଲ୍ଲୀ ନୀଳକଣ୍ଠନଗରରେ ୨୩୦୦ ବର୍ଗଫୁଟରେ ନିର୍ମିତ ୨ ମହଲା କୋଠା, ପୁରୀ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ଗୋଟିଏ ୨ବିଏଚ୍‌କେ ଓ ଭିଆଇପି ରୋଡ୍‌ କ୍ରିଷ୍ଣାଧାମରେ ୱାନ୍‌ ବିଏଚ୍‌କେ ଘର ଆଦି ଠାବ ହୋଇଥିଲା। ଏସବୁ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭.୫୦ କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଏହା ସହିତ ୫ କୋଟିରୁ ଊର୍ଧ୍ବ ଟଙ୍କା ମୂଲ୍ୟର ଭୁବନେଶ୍ବରରେ ୫ଟି, ପୁରୀରେ ୩ଟି, କଟକରେ ୧୯ଟି ଓ ଢ଼େଙ୍କାନାଳରେ ୭ଟି, ମୋଟ୍‌ ୩୪ଟି ପ୍ଲଟ୍‌ ଠାବ କରାଯାଇଛି। ସେହିପରି ଘରୁ ନଗଦ ୨,୩୪,୧୨୦ ଟଙ୍କା, ୧୭୬ ଗ୍ରାମ୍‌ର ସୁନା ଗହଣା, ୫୦୦ ଗ୍ରାମ ରୁପା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଥିଲା। ଏହାଛଡ଼ା ୩୭,୩୬,୫୯୭ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଟ୍ରକ, ୨ଟି କାର୍‌, ୪ଟି ବାଇକ୍‌ ଠାବ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।