ବ୍ରିଷ୍ଟଲ: ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ଟେଷ୍ଟ୍ ମ୍ୟାଚ୍ରେ ଅବତୀର୍ଣ୍ଣ ହୋଇଛି। ବୁଧବାରଠାରୁ ଏଠାରେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଆରମ୍ଭ ହୋଇଥିଲା ବେଳେ ଭାରତର ୫ ଜଣ ଖେଳାଳି ପଦାର୍ପଣ କରିଛନ୍ତି। ଏହି ପ୍ରତୀକ୍ଷିତ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ସତ୍ତ୍ବେ ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଘରୋଇ ଦଳ ୯୨ ଓଭର ଖେଳି ୬ ୱିକେଟ୍ ବିନିମୟରେ ୨୬୯ ରନ୍ କରିନେଇଛି।
ଅଧିନାୟିକା ହିଥର ନାଇଟ୍ (୯୫) ଶତକରୁ ବଞ୍ଚିତ ରହିଥିଲା ବେଳେ ଲରେନ୍ ୱିନଫିଲ୍ଡ ହିଲ ୩୫, ଟାମି ବିୟୁମଣ୍ଟ ୬୬, ନାତାଲି ସ୍କିଭର ୪୨, ଆମି ଜୋନ୍ସ (୧) ଓ ଜର୍ଜିଆ ଏଲ୍ୱିସ୍ (୫) ରନ୍ କରି ପାଭିଲିୟନ୍ ଫେରିଯାଇଛନ୍ତି। ସୋଫିଆ ଡଙ୍କ୍ଲେ (୧୨*) ଓ କାଥେରିନ୍ ବ୍ରଣ୍ଟ୍ (୭*) କ୍ରିଜ୍ରେ ଅଛନ୍ତି। ହିଲ୍ଙ୍କୁ ପଦାର୍ପଣକାରୀ ପୂଜା ବସ୍ତ୍ରକାର ଆଉଟ୍ କରିଥିଲା ବେଳେ ସ୍ନେହା ରାଣା ୩ଟି ୱିକେଟ୍ (ବିଉମଣ୍ଟ, ଜୋନ୍ସ ଓ ଏଲ୍ୱିସ୍) ୩ ୱିକେଟ୍ ଦଖଲ କରିଥିଲେ। ତେବେ ଦୀପ୍ତି ଶର୍ମାଙ୍କୁ ଦୁଇଟି ୱିକେଟ୍ ମିଳିଛି। ସେ ସ୍ମିଭର ଓ ନାଇଟ୍ଙ୍କୁ ଆଉଟ୍ କରି ଭାରତକୁ ପ୍ରତ୍ୟାବର୍ତନ କରାଇଥିଲେ। ଉଭୟ ନାଇଟ୍ ଓ ସ୍କିଭର ତୃତୀୟ ୱିକେଟ୍ରେ ୯୦ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ପୂର୍ବରୁ ଏହି ପ୍ରତୀକ୍ଷିତ ମ୍ୟାଚ୍ ଏକ ପୁରୁଣା ପିଚ୍ରେ ଖେଳାଯିବା ନେଇ ଇଂଲଣ୍ଡ ଖେଳାଳିମାନେ ତୀବ୍ର ଅସନ୍ତୋଷ ଜାହିର କରିଥିଲେ।