ଚେନ୍ନାଇ ୧୩/୦୨ : ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ରନ୍ ବର୍ଷା ଦେଖିବାକୁ ମିଳିଛି । ରୋହିତ ଶର୍ମାଙ୍କ ଦମଦାର ୧୬୧ ରନ୍ ବଳରେ ମଜଭୁତ ସ୍ଥିିତିରେ ଟିମ୍ ଇଣ୍ଡିଆ । ରୋହିତ ମୋଟ ୨୩୧ ବଲ ଖେଳି ୧୮ଟି ଚୌକା ଏବଂ ୨ଟି ଛକା ସହାୟତାରେ ୧୬୧ ରନ୍ କରି ଆଉଟ ହୋଇଛନ୍ତି । ଏହା ସହିତ ରୋହିତ ଶର୍ମାଙ୍କୁ ଭରପୁର ସହଯୋଗ କରିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ।
ଅଜିଙ୍କ୍ୟ ରାହାଣେ ନିଜ ଟେଷ୍ଟ କ୍ୟାରିୟରର ୨୩ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ରାହାଣେ ୧୦୪ ବଲ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିଭଳି ରୋହିତ ଶର୍ମା ନିଜ କ୍ୟାରିୟରରେ ଚତୁର୍ଥ ଥର ପାଇଁ ୧୫୦ ରନ୍ ପୂରଣ କରିଛନ୍ତି । ବର୍ତ୍ତମାନ ଭାରତର ସ୍କୋର ୨୪୮/୪ ରହିଛି ।
ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳର ଓପନର ଶୁଭମନ ଗିଲ୍ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ଯାହା ଦଳକୁ ଏକ ଶକ୍ତ ଝଟକା ଦେଇଥିଲା । ଗିଲଙ୍କ ପରେ ଚେତେଶ୍ୱର ପୂଜାରା ଭଲ ଆରମ୍ଭ କରିଥିଲେ ସୁଦ୍ଧା ନିରାଶ କରିଥିଲେ । ପୂଜାରା ୨୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିବା ପୂର୍ବରୁ କ୍ଲିନ୍ ବୋଲ୍ଡ ହୋଇଥିଲେ । ଏକଦା ଭାରତ ୮୬ ରନ୍ରେ ୩ଟି ଓ୍ବିକେଟ୍ ହରାଇ ସଙ୍କଟରେ ଥିଲା । ପରେ ରୋହିତ-ରାହାଣେ ଯୋଡି ପଡିଆ ମଧ୍ୟରେ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ଇଂଲଣ୍ଡ ପକ୍ଷରୁ ଓଲି ଷ୍ଟୋନ୍, ଜ୍ୟାକ୍ ଲେଚ୍ ଓ ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।