ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି ବିଭୂତି, ନିଜସ୍ବ ଖର୍ଚ୍ଚରେ ପିଲାଙ୍କୁ କରୁଛନ୍ତି ଉଚ୍ଚଶିକ୍ଷିତ

ରାୟଗଡା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଘରର ଆର୍ଥିକ ସ୍ଥିତି ବହୁ ପିଲାଙ୍କୁ ପାଠ ଛାଡ଼ିବାକୁ ବାଧ୍ୟ କରୁଛି। ଏଭଳି ପିଲାଙ୍କୁ ଚିହ୍ନଟ କରି ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ଶିକ୍ଷକ ବିଭୂତି ଭୂଷଣ ରଥ। ବର୍ତ୍ତମାନ ସୁଦ୍ଧା ୧୫ଜଣ ଆଦିବାସୀ ପିଲାଙ୍କୁ ଶିକ୍ଷାର ଆଲୋକ ବାଣ୍ଟି ସାରିଲେଣି। କିନ୍ତୁ ଲକ୍ଷ୍ୟ ଏବେ ବହୁ ଦୂର, ଜୀବନକାଳ ମଧ୍ୟ ଅତିକମରେ ୫୦ଜଣ ପିଲାଙ୍କୁ ନିଜ ଖର୍ଚ୍ଚରେ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାୟଗଡା ବ୍ଲକ୍‌ ହାଲୁଆ ଗ୍ରାମର ହେନା ଜାକକା ଆସନ୍ତା ବର୍ଷ ସ୍ନାତକ ଶିକ୍ଷା ସମାପ୍ତ କରିବେ। ତିନି ବର୍ଷ ତଳେ ଏହା ହେନାଙ୍କ ପକ୍ଷେ ସମ୍ଭବ ନଥିଲା। ନିଜେ ହେନା ମଧ୍ୟ ସ୍ନାତକ ଶିକ୍ଷା ସମାପ୍ତ କରିବେ ବୋଲି କଳ୍ପନା କରିନଥିଲେ। କାରଣ ଅଜଣା ରୋଗରେ ହେନାଙ୍କ ବାପା ପ୍ରାଣ ହରାଇଥିଲେ। ସେହିପରି ମା’ ମଧ୍ୟ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। ଡଙ୍ଗାସିଲ ଆଶ୍ରମ ବିଦ୍ୟାଳୟରୁ ଯୁକ୍ତ୨ ପାସ୍‌ କରିବା ପରେ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ଥିଲେ। କୁଲି କରି ଯାହା ରୋଜଗାର କରୁଥିଲେ ସେଥିରେ ସାନଭାଇକୁ ନେଇ ଚଳିବା କଷ୍ଟକର ଥିଲା। ଦିନେ ଗାଁକୁ ବିଭୂତି ବୁଲିବାକୁ ଯାଇଥିଲେ।

ହେନାଙ୍କ ଅତୀତ ଓ ବର୍ତ୍ତମାନ ସଂପର୍କରେ ଜାଣିବା ପରେ ଉଚ୍ଚଶିକ୍ଷା ନିମନ୍ତେ ପରାମର୍ଶ ଦେଇଥିଲେ। ଟଙ୍କା ପାଇଁ ଆଦୌ ଚିନ୍ତା ନକରିବାକୁ ଭରସା ଦେଇଥିଲେ। ଯାହାଫଳରେ ଉଚ୍ଚଶିକ୍ଷା ନିମନ୍ତେ ଦୂରଶିକ୍ଷା (ଡିଷ୍ଟାନ୍ସ କୋର୍ସ)କୁ ଚୟନ କରିଥିଲେ। ବର୍ତ୍ତମାନ ଯୁକ୍ତ୩ ଶେଷବର୍ଷର ଛାତ୍ରୀ। ଭାଇ ଅବିନାଶଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ବିଭୂତି ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ହେନା କହିଛନ୍ତି। ବିଭୂତିଙ୍କ ପରିଚୟ ହେଲା ରାୟଗଡ଼ା ସହରସ୍ଥିତ ଆମ୍ବାଗୁଡ଼ା ଆରଏସ୍‌ଇଡବ୍ଲ୍ୟୁସି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ। ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷକତାକୁ ପେସା ରୂପେ ଗ୍ରହଣ କରିଥିଲେ। ତାଙ୍କ ଭଉଣୀ ଜଣେ ମେଧାବୀ ଛାତ୍ରୀ ଥିଲେ। କିନ୍ତୁ ଆକସ୍ମିକ ମୃତ୍ୟୁ ହେବାରୁ ଭଉଣୀଙ୍କ ସ୍ବପ୍ନକୁ ପୂରଣ ପାଇଁ ବିଭୂତି ନିଷ୍ପତ୍ତି ନେଇଥିଲେ। କିଛି ବର୍ଷ ହେଲା ଗାଁ ଗାଁ ବୁଲି ପାଠ ଛାଡ଼ିଥିବା ପିଲାଙ୍କ ସନ୍ଧାନ କରୁଛନ୍ତି। ନିଜ ଖର୍ଚ୍ଚରେ ସେହି ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାକୁ ସଂପୂର୍ଣ୍ଣ ଦାୟିତ୍ବ ‌ନେଇଛନ୍ତି। ପ୍ରାୟ ୧୫ଜଣ ପିଲା ବିଭୂତିଙ୍କ ଆର୍ଥିକ ସହାୟତା ଯୋଗୁଁ ପୁଣି ପାଠ ପଢ଼ିବାକୁ ସୁଯୋଗ ପାଇଛନ୍ତି। ସେହିପରି ମାଗଣାରେ କଂପ୍ୟୁଟର ଶିକ୍ଷା ମଧ୍ୟ ପିଲା ପାଉଛନ୍ତି। ଶିକ୍ଷା ହିଁ ଅନ୍ଧବିଶ୍ବାସର ଅନ୍ଧକାରକୁ ଦୂର କରିବ ଏବଂ ସମାଜକୁ ସଂସ୍କାରିତ କରିବ ବୋଲି ବିଭୂତିଙ୍କ ମତ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।