ରାଜ୍ୟ

ଭଞ୍ଜନଗର ବିଧାନସଭା: ମେଣ୍ଟ ଉତ୍କଣ୍ଠା ସତ୍ତ୍ବେ ଅଟକିନି ୩ ଦଳର ପ୍ରସ୍ତୁତି

ଭଞ୍ଜନଗର: ରାଜ୍ୟ ରାଜନୀତିରେ ଗୁରୁତ୍ବ ବହନ କରି ଆସିଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ସଂପ୍ରତି ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି। ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଏଯାବତ୍ ଉତ୍କଣ୍ଠା ଜାରି ରହିଥିଲେ ହେଁ, ଏଠାରେ କିନ୍ତୁ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ନିର୍ବାଚନ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଆଶାୟୀମାନେ ଶିବିରରେ ସ୍ବାଭାବିକ ଭାବେ ରଣକୌଶଳ ପ୍ରସ୍ତୁତିକୁ ଜୋର୍‌ଦାର୍ କରିସାରିଲେଣି। ଦିନ ଥିଲା, ଏହି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। କିନ୍ତୁ ତିନି ଦଶନ୍ଧି ହେଲା ଏଠାରେ ରାଜନୈତିକ ସମୀକରଣ ବଦଳିସାରିଛି। କଂଗ୍ରେସ ଗଡ଼ରେ ବିଜେଡି ବିଜୟର ଧ୍ବଜା ଉଡ଼ାଇ ଚାଲିଥିବା ବେଳେ ଦଳର ଅପରାଜେୟ ନେତା ତଥା ବର୍ତ୍ତମାନର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଜୟ ଧାରାକୁ ବଜାୟ ରଖିଛନ୍ତି।

ଫଳରେ ଆଗାମୀ ନିର୍ବାଚନ‌ରେ ମଧ୍ୟ ବିଜେଡି ନିଶ୍ଚିତ ଭାବେ ସଫଳତାକୁ ଦୋହରାଇବ ବୋଲି ନେତୃବୃନ୍ଦ ଓ କର୍ମୀ ଦୃଢ଼ୋକ୍ତି କରିଛନ୍ତି। ବିଜେପି ସହ ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ନେତା ଓ କର୍ମୀଙ୍କୁ ଏକାଠି କରି ଦଳର ସଂଗଠନକୁ ସୁଦୃଢ଼ କରାଯାଉଛି। ଯଦିବା ମେଣ୍ଟ ହୁଏ, ତା’ହେଲେ ଏହି ଆସନ ବିଜେଡି ଭାଗକୁ ଯିବାସହ ପୁଣିଥରେ ଶ୍ରୀ ଆରୁଖ ଦଳରୁ ଲଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି। ଭଞ୍ଜନଗର ବ୍ଲକ୍ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ କହିଛନ୍ତି, ରାଜ୍ୟ ସରକାରଙ୍କ ଉଦ୍ୟମ ଓ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ନେତୃତ୍ବରେ ଏହି ନିର୍ବାଚନମଣ୍ଡଳୀ ବିକାଶ କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନଠୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧା ଲୋକଙ୍କ ପାଖ‌ରେ ପହଞ୍ଚିପାରିଛି। ବିଶେଷକରି ଉପାନ୍ତ ଇଲାକା ଗୁଡ଼ିକ ମୁଖ୍ୟସ୍ରୋତ‌ରେ ସାମିଲ ହୋଇଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ ନିର୍ବାଚନମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଜୋନ୍‌ ବିଜେଡି ଅକ୍ତିଆର କରିବା ସହ ପୌର ନିର୍ବାଚନରେ ବି ରେକର୍ଡ ପ୍ରତିଶତ ଭୋଟ୍ ପାଇଥିଲା। ବିକାଶ ଏବଂ ଭୋଟ୍‌ ହାରକୁ ପାଥେୟ କରି ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଅନ୍ୟପଟେ ବିଜେପି ତା’ର ରଣକୌଶଳ ଓ ପ୍ରସ୍ତୁତି ଜାରି ରଖିଛି। ବିଶେଷକରି ଅସନ୍ତୁଷ୍ଟ କର୍ମୀ ଓ ନେତାଙ୍କ ଉପରେ ନଜର ରଖାଯାଇଛି। ବିଜେପିରୁ ପ୍ରଦ୍ୟୁମ୍ନ ନାୟକ ଓ ଅଯୋଧ୍ୟାନାଥ ମହାପାତ୍ରଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତାଙ୍କ ନାମ ମଧ୍ୟ ଆଶାୟୀଙ୍କ ତାଲିକାରେ ରହିଛି। କିନ୍ତୁ ଏଯାଏ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନି। ୨୦୧୯ରେ ଦଳ ଏଠାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ଏହାସହ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡିକୁ ଟକ୍କର୍ ଦେଇଥିଲା। କିନ୍ତୁ ପୌର ନିର୍ବାଚନରେ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇ ପାରି ନଥିଲା। ତଥାପି ଦଳ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ନେଇ ନେତୃବୃନ୍ଦ ଆଶାବାଦୀ ରହିଛନ୍ତି। ବିଜେପି ଘୁମୁସର ସାଂଗଠନିକ ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟ‌ରେ ପହଞ୍ଚାଇବାକୁ ପ୍ରୟାସ ଜାରି ରହିଛି। ଦଳ ନିଶ୍ଚିତ ଭାବେ କ୍ଷମତା ହାସଲ କରିବ।’ ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ବଳତା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଗାମୀ ନିର୍ବାଚନକୁ ଓହ୍ଲାଇବାକୁ ପ୍ରୟାସ କରୁଛି। ପ୍ରଶାନ୍ତ ବିଷୋୟୀ ଓ ବିଦ୍ୟାଧର ପ୍ରଧାନଙ୍କ ସମେତ ଅନ୍ୟ କିଛି ଆଶାୟୀ ତାଲିକାରେ ରହିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଷୋୟୀ କହିଛନ୍ତି, ‘ଏବେ ବି କଂଗ୍ରେସ ଲୋକଙ୍କ ସହ ରହିଛି। ବିଧିବଦ୍ଧ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରାଯାଇଛି।’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।