ରାଜ୍ୟ ସ୍ପେଶାଲ ରିପୋର୍ଟ

ଭକ୍ତଙ୍କ ସ୍ପର୍ଶରେ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଦୁର୍ବଳ; ରୁପାରେ ଆଚ୍ଛାଦିତ ହେବ, ଖର୍ଚ୍ଚ ହେବ ୧କୋଟି ୩୦ ଲକ୍ଷ

ପୁରୀ : ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେଉଛି ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ। ଏହା ଏତେ ପତଳା ହୋଇଗଲାଣି ଯେ ଯଦି ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ, କେଉଁ ସମୟରେ କିଛି ବି ଅଘଟଣ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚତୁଃପାର୍ଶ୍ବକୁ ରୁପାରେ ଆଚ୍ଛାଦିତ କରିବାକୁ ଯୋଜନା କରୁଛି। ଏହି କାମ ପାଇଁ ୧୩୦ ଲକ୍ଷ ଟଙ୍କାର ପ୍ରାଥମିକ ଆକଳନ କରାଯାଇଛି। ପଶ୍ଚିମବଙ୍ଗର ଜଣେ ଭକ୍ତ ଏ ବାବଦ ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡ଼ିତ। ଏହାକୁ ସ୍ପର୍ଶ କଲେ ପାପକ୍ଷୟ ସହ ଶରୀର ସୁସ୍ଥ ରହିଥାଏ ବୋଲି କାହିଁ କେଉଁ ଆବାହମାନ କାଳରୁ ବିଶ୍ବାସ ରହିଛି। ଏଣୁ ଯେଉଁ ଭକ୍ତମାନେ ଆସନ୍ତି, ସେମାନେ ପ୍ରଥମେ ଗରୁଡ଼ ସ୍ତମ୍ଭ ସ୍ପର୍ଶ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥା’ନ୍ତି। ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟ ମୁତାବକ, ଭକ୍ତଙ୍କ ସ୍ପର୍ଶ ଫଳରେ ଦିନକୁ ଦିନ ଗରୁଡ଼ ସ୍ତମ୍ଭ କ୍ଷୟ ହେବାରେ ଲାଗିଛି। ଭକ୍ତ କୋଳାଗ୍ରତ କରିବା ଫଳରେ ଗରୁଡ଼ ସ୍ତମ୍ଭ ପତଳା ହେବାରେ ଲାଗିଛି। ଏହା ଗରୁଡ଼ ସ୍ତମ୍ଭର ସ୍ଥାୟିତ୍ବ ପ୍ରତି ବିପଦ ସୃଷ୍ଟି ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୂର୍ବତନ ନିର୍ଦ୍ଦେଶକ ଏସ୍‌ କେ ପଟେଲଙ୍କ କହିବା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଅଂଶରେ ନିର୍ମିତ। ଏଣୁ ଭକ୍ତଙ୍କ ପ୍ରତ୍ୟକ୍ଷ ସ୍ପର୍ଶରୁ ଗରୁଡ଼ ସ୍ତମ୍ଭକୁ ନିବୃତ୍ତ ରଖିବା ଆବଶ୍ୟକ। ଯେହେତୁ ଦିନକୁ ଦିନ ଗରୁଡ଼ ସ୍ତମ୍ଭ ପତଳା ଓ ଦୁର୍ବଳ ହେବାରେ ଲାଗିଛି, ସେ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚାରିପଟେ ରୁପା ଆଚ୍ଛାଦିତ କରିବାକୁ ଯୋଜନା କରିଛି।

ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଗରୁଡ଼ ସ୍ତମ୍ଭର ଚତୁଃପାର୍ଶ୍ବକୁ ଏସ୍‌ ଏସ୍‌ ଷ୍ଟିଲ୍‌ ଫ୍ରେମ୍‌ ଦ୍ବାରା ଆଚ୍ଛାଦିତ କରାଯିବ। ଏଥିପାଇଁ ଗରୁଡ଼ ସ୍ତମ୍ଭ ମାପ ଅନୁଯାୟୀ ବୃତ୍ତାକାରର ଏକ ଫ୍ରେମ ତିଆରି ହେବ। ଏହି ଫ୍ରେମ ପ୍ରସ୍ତୁତ ପରେ ଏହା ଉପ‌ରେ ରୁପା ଆଚ୍ଛାଦିତ କରାଯିବ ଓ ସମ୍ପୂର୍ଣ୍ଣ ଗରୁଡ଼ ସ୍ତମ୍ଭକୁ ରୁପା ଦ୍ବାରା ଆବଦ୍ଧ କରାଯିବ। ପଶ୍ଚିମବଙ୍ଗ ଦୁର୍ଗାପୁରସ୍ଥିତ ଭିରିଙ୍ଗି କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଏସ୍‌ ଏନ୍‌ ସିଂହ ଏହି କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ ବାବଦକୁ ଖର୍ଚ୍ଚ ହେବାକୁ ଥିବା ୧କୋଟି ୩୦ ଲକ୍ଷ ଟଙ୍କା ସେ ଖର୍ଚ୍ଚ କରିବାକୁ ସହମତି ଜଣାଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଏହି ପ୍ରସ୍ତାବ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ବି ଆଲୋଚନା ହୋଇଛି।

ଗତ ୧୪ ତାରିଖରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ ଏକ ଚିଠି କରି ଏ ସମ୍ପର୍କରେ ପରିଚାଳନା କମିଟିକୁ ଅବଗତ କରିଛନ୍ତି। କିନ୍ତୁ, ଗରୁଡ଼ ସ୍ତମ୍ଭ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ ଏହି ପ୍ରସ୍ତାବ ଉପରେ ଅଧିକ ବିଚାରବିମର୍ଶ ଜାରି ରହିଛି। ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଶେଷଜ୍ଞଙ୍କଠାରୁ ଏ ଉପରେ ମତାମତ ଲୋଡ଼ାଯାଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଏହି ପ୍ରସ୍ତାବ ଉପରେ ପ୍ରାଥମିକ ଆଲୋଚନା ଜାରି ରହିଛି। ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କଠାରୁ ଏ ଉପରେ ମତାମତ ଲୋଡ଼ାଯାଇଛି। ଯଦି ସହମତି ମିଳେ, ତେବେ ପ୍ରସ୍ତାବ କାର୍ଯ୍ୟକାରୀ ହେବ। ନଚେତ୍‌ ଗରୁଡ଼ ସ୍ତମ୍ଭ ତଳ ଓ ଉପରପାର୍ଶ୍ବରେ ଥିବା କଳାମୁଗୁନି ପଥରକୁ ରୁପା ଦ୍ବାରା ଆଚ୍ଛାଦିତ କରାଯିବାକୁ ଚିନ୍ତା କରାଯାଉଛି ବୋଲି ଶ୍ରୀ ଜେନା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।