ରାଉରକେଲା: ରାଉରକେଲା ଆଜି ୨୦୨୧ ଗ୍ଲୋବାଲ୍ ମେୟର୍ସ ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବରେ ମନୋନୀତ ହୋଇଥିବା ୫୦ଟି ଚାମ୍ପିଅନ୍ ସହର ମଧ୍ୟରୁ ଅନ୍ୟତମ। ଏହା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଯାହା କରୋନା ମହାମାରୀ ସମୟରେ ସହରଗୁଡିକ ଦ୍ୱାରା ବିକଶିତ ହୋଇଥିବା ବହୁ ଉଚ୍ଚକୋଟୀର ଚିନ୍ତାଧାରାକୁ ଚିହ୍ନଟ କରିଥାଏ ଏବଂ ତ୍ୱରାନ୍ୱିତ କରିଥାଏ। ଏହି ସର୍ବପ୍ରଥମ ଗ୍ଲୋବାଲ୍ ମେୟର୍ସ ଚ୍ୟାଲେଞ୍ଜରେ ୯୯ଟି ଦେଶ ଦ୍ୱାରା ୬୩୦ରୁ ଅଧିକ ପ୍ରସ୍ତାବକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ସେଥିରୁ ୫୦ଟି ଶ୍ରେଷ୍ଠ ସହର ଉଦ୍ଭାବନ ମୂଳକ ପ୍ରସ୍ତାବ ପ୍ରତିଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟ ନିମନ୍ତେ ଚିହ୍ନଟ ହୋଇଛନ୍ତି।
ମେୟର ଚ୍ୟାଲେଞ୍ଜର ଫାଇନାଲିଷ୍ଟ ଭାବରେ ରାଉରକେଲା ସହର ବର୍ତ୍ତମାନ ପ୍ରତିଯୋଗିତାର ଚାରିମାସ ବିଶିଷ୍ଟ ଚାମ୍ପିଅନ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଜୁନରୁ ଅକ୍ଟୋବର ପର୍ଯ୍ୟନ୍ତ ୫୦ ଫାଇନାଲିଷ୍ଟ ସହର ବ୍ଲୁମବର୍ଗ ଏବଂ ଏହାର ଅଗ୍ରଣୀ ଅଭିନବ ବିଶେଷଜ୍ଞଙ୍କ ନେଟୱାର୍କରୁ ବୈଷୟିକ ସହାୟତା ସହିତ ନିଜ ପ୍ରସ୍ତାବକୁ ଆହୁରି ମଜବୁତ କରିପାରିବ। ୫୦ଟି ସହର ମଧ୍ୟରୁ ପନ୍ଦରଟି ସହର ଶେଷରେ ଗ୍ରାଣ୍ଡ ପୁରସ୍କାର ଜିତିବେ, ପ୍ରତ୍ୟେକଙ୍କୁ ୧ ମିଲିୟନ୍ ଡଲାର୍ ଏବଂ ସେମାନଙ୍କର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ବୈଷୟିକ ସହାୟତା ମିଳିବ। ୨୦୨୨ ପ୍ରାରମ୍ଭରେ ଗ୍ରାଣ୍ଡ ପୁରସ୍କାର ବିଜେତା ମାନଙ୍କ ନାଁ ଘୋଷିତ ହେବ।
ବ୍ଲୁମବର୍ଗ ଫିଲାନ୍ତ୍ରପିସର ପ୍ରତିଷ୍ଠାତା ତଥା ନ୍ୟୁୟର୍କ ସହରର ୧୦୮ ତମ ମେୟର ମାଇକେଲ . ଆର. ବ୍ଲୁମବର୍ଗ କୁହନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଏହି ୫୦ଟି ସହର କୋରନା ମହାମାରୀ ସତ୍ତ୍ବେ ଅତ୍ୟନ୍ତ ନିଷ୍ଠାର ସହ ସୃଜନାତ୍ମକ ଓ ସାହସିକ ପଦକ୍ଷେପ ନେଵା ଲାଗି ଚିନ୍ତା କରିଛନ୍ତି। ଏହି ସବୁ ସହର ଗୁଡିକୁ ସେମାନଙ୍କ ଉତ୍କୃଷ୍ଟ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରିବା ଦିଗରେ ଆମେ ସହାୟତା କରିବୁ।
ଛୋଟ ପନିପରିବା, ଫଳ ବିକ୍ରେତା ଏବଂ କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସମାଧାନ କରିବା ପାଇଁ ରାଉରକେଲା ନିଜ ପ୍ରକଳ୍ପ ପ୍ରସ୍ତାବରେ ଉଲ୍ଲେଖ କରିଛି। ସହରରେ ମହିଳା ଫେଡେରେସନ୍ ଦ୍ୱାରା ସୌରଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଛି। ଇଲେକ୍ଟ୍ରିକ୍ ଯାନ ମାଧ୍ୟମରେ ନାଗରିକଙ୍କ ଦ୍ୱାରରେ ତାଜା ଫଳ ଏବଂ ପନିପରିବା ବଣ୍ଟନ ଏବଂ ବିତରଣ କରିବା ନିମନ୍ତେ ପରିଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପ୍ରକଳ୍ପ ପାଇଁ ରାଉରକେଲା ମହାନଗର ନିଗମ କମିସନରଙ୍କ ମାର୍ଗଦର୍ଶନରେ ଉପାୟୁକ୍ତ ସୁଧାଂଶୁ କୁମାର ଭୋଇ ଏବଂ ପ୍ରଶାନ୍ତ କୁମାର ନାୟକ ପ୍ରକଳ୍ପ ପରିକଳ୍ପନା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ କୋଏଲ ଫ୍ରେସର ମୁଖ୍ୟ ଆଶୁତୋଷ ନାୟକଙ୍କ ନେତୃତ୍ୱରେ ଏନଆଇଟି ରାଉରକେଲାର ଶ୍ରୀତମ ଦାଶ, ସୂର୍ଯ୍ୟନୁ କୁମାର, କୋମାରାଭୋଲୁ ବିନୟ, ସୀମା ପ୍ରିୟଙ୍କା, ଅରୁଣାଭ ଶର୍ମା, ବିନିତ ମଲିକ, ସତ୍ୟମ ସୋନି, ଏମଡି ଶାକିଲ କାହାନ, ସୟଦ ଫହିମ ଅଲି, ୟଶ ଯାଦବ, ଶ୍ରେଷ୍ଠ ସାହୁଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି।