ବ୍ରହ୍ମପୁର, ୦୨/୦୧: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରେର ଆଜିର ୫୬ ତମ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ବହୁ ପ୍ରତିଭାବାନ୍ ବ୍ୟକ୍ତି ଯୋଗ ଦେଇଥିବା ବେଳେ ସେମାନଙ୍କୁ ବିଭିନ୍ନ ପୁରସ୍କାରରେ ପୁରସ୍କୃତ ଓ ସମ୍ମାନୀତ କରାଯାଇଥିଲା ।
ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଅତିଥି ଭାବେ ଲୋକ କବି ରତ୍ନ ତଥା ପଦ୍ମଶ୍ରୀ ଡଃ ହଳଧର ନାଗ୍ ଯୋଗ ଦେଇ ଉଚ୍ଚ ଶିକ୍ଷାର ମହତ୍ତ୍ବ ଏବଂ ସାହିତ୍ୟ, କଳା, ସଂସ୍କୃତିର ଗାରିମା ଉପରେ ଉପଯୋଗୀ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଆଧୁନିକ କବି ରମାକାନ୍ତ ରଥଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ତାଙ୍କୁ ତିନି ଲକ୍ଷ ଟଙ୍କା ସହ ଅଙ୍ଗ ବସ୍ତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।
ଭଞ୍ଜ କବି, ଭାଷା ଉପରେ ବହୁ ଉପାଦେୟ ବିଷୟ କହିଥିବା ବେଳେ ଭାଷାକୁ ଉପଯୁକ୍ତ ସମ୍ମାନ ଦେବା ଆବଶ୍ୟକ ବୋଲି କହିଛନ୍ତି । ସେପଟେ ଯୋଡି ଶଙ୍ଖ, ଚଢେୟା ନୃତ୍ୟ, ରଣପା ଭଳି ବହୁ ଲୋକକଳାରେ ପାରିଦର୍ଶିତା ପ୍ରଦର୍ଶନ କରିଥିବା କଳାକାର ରାଜେନ୍ଦ୍ର ମହାପାତ୍ର ଏବଂ ଆଦିବାସୀ କୋୟା ନୃତ୍ୟରେ ଦକ୍ଷତା ପ୍ରତିପାଦନ କରି ଦେଶରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସଂସ୍କୃତି ପ୍ରେମୀ ଶାନ୍ତି କବାସୀଙ୍କୁ ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକ ମନ୍ମଥ କୁମାର ଶତପଥୀଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିବା ବେଳେ ବିଶିଷ୍ଟ କବି, ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ତ୍ରିପାଠୀଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ମୃତ୍ୟୁଞ୍ଜୟ ମହାପାତ୍ର ଓ ସଂଘମିତ୍ରା ପତି ଦୁଇ ଜଣ ପ୍ରତିଭାବାନ୍ ବ୍ୟକ୍ତି ବିଶେଷଙ୍କୁ ଆଲୁମିନା ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେହିଭଳି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାର ୫୬ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି ବିଶ୍ବବିଦ୍ୟାଳୟ ବହୁ ମାଇଲଖୁଣ୍ଟ ଛୁଇଁଥିବା କହିଛନ୍ତି କୁଳପତି ଗୋବିନ୍ଦ କେ ଚକ୍ରପାଣି । ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୦ ପ୍ରତିଶତ ଛାତ୍ରୀ ପାଠ ପଢିବାର ସୁଯୋଗ ପାଇଥିବା କୁଳପତି କହିଛନ୍ତି । ତେବେ ପ୍ରତିଷ୍ଠା ଦିବସରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ ପୂର୍ବ ଗୌରବ, ଗାରିମାକୁ ଅକ୍ଷୁର୍ଣ୍ଣ ରଖିପାରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ ଜାରି ରଖିବା ନେଇ ଆଶା କରାଯାଉଛି ।

