ରାଜ୍ୟ

ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଏ ଯାଏ ଜିତିନି ବିଜେପି; ପ୍ରତିଥର ବଦଳୁଛନ୍ତି ପ୍ରାର୍ଥୀ, ଆଗକୁ କିଏ?

ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ୍‌ କରିଛି ବିଜେପି। ଏଥିପାଇଁ କେନ୍ଦ୍ରୀୟ ନେତା ବାରମ୍ବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ପ୍ରବାସୀ ଭୋଟ୍‌ କିପରି ଟାଣି ହେବ ସେ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି ଚାଲିଛି। ଏଥିପାଇଁ ସୁରତ ସାଂସଦ ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍‌ଙ୍କୁ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଗଞ୍ଜାମ ଜିଲ୍ଲାର ପାତ୍ରପୁର ପଞ୍ଚାୟତ ସମିତି କବ୍‌ଜା କରିଥିବା ବେଳେ ପୌର ନିର୍ବାଚନରେ ଛତ୍ରପୁର, ରମ୍ଭା ଓ କୋଦଳା ଏନ୍‌ଏସି ଦଖଲ କରିଥିଲା। କିନ୍ତୁ ଗଞ୍ଜାମ ଜିଲ୍ଲାରେ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ସେତେଟା ଆଖିଦୃଶିଆ ନଥିବା ଦେଖିବାକୁ ମିଳୁଛି। ବ୍ରହ୍ମପୁର ବିଧାନସଭା କ୍ଷେତ୍ରକୁ ବିଚାରକୁ ନେଲେ ଏଠାରେ ବିଜେପି ଏ ଯାଏ ବିଜୟର ସ୍ବାଦ ଚାଖିନାହିଁ। ତେବେ ଆସନ୍ତା ୨୦୨୪ ପାଇଁ ବିଜେପି କିଭଳି ରଣନୀତି ଗ୍ରହଣ କରୁଛି ତାହା ଦେଖିବାକୁ ରହିଛି।

India Today

ବ୍ରହ୍ମପୁର ବିଧାନସଭା କ୍ଷେତ୍ରକୁ ଦଖଲ କରିବା ପାଇଁ ବିଜେପି ବିଗତ ନିର୍ବାଚନ ମାନଙ୍କରେ ନାନା ପରୀକ୍ଷା କରିଛି। ଦଳର ସର୍ବଶ୍ରେଷ୍ଠ ନେତାଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଛି। ତଥାପି ବିଜେପିକୁ ନିରାଶ ହେବାକୁ ପଡ଼ିଛି। ଗତ ୨୦୦୦ ଓ ୨୦୦୪ରେ ବିଜେଡି ସହ ମେଣ୍ଟ ଥିବାରୁ ବିଜେପି ବ୍ରହ୍ମପୁର ବିଧାନସଭାରେ ପ୍ରାର୍ଥୀ ଦେଇ ନଥିଲା। ୨୦୦୯ରେ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବେ ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେ ୬ହଜାର ୫୧୫ ଖଣ୍ଡ ଭୋଟ୍‌ ପାଇଥିଲେ। ଏହାପରେ ୨୦୧୪ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଯୁବନେତା ଶିବଶଙ୍କର ଦାଶଙ୍କୁ ବିଧାୟକ ପ୍ରାର୍ଥୀ କରା ଯାଇଥିଲା। ବିଜେଡିରେ ଥିବା ବେଳେ ସେ ବ୍ରହ୍ମପୁର ମହାନଗର ନିଗମର ମେୟର ଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେପିରୁ ଲଢ଼ି ସେ ୨୪ହଜାର ୯୨ ଖଣ୍ଡ ଭୋଟ୍‌ ପାଇଥିଲେ। ସେହି ନିର୍ବାଚନରେ ମଧ୍ୟ ବିଜେପିକୁ ନିରାଶ ହେବାକୁ ପଡ଼ିଥିଲା। ଗତ ୨୦୧୯ରେ କାହ୍ନୁଚରଣ ପତି ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ସେ ୩୨ହଜାର ୬୨୯ ଖଣ୍ଡ ଭୋଟ୍‌ ପାଇଥିଲେ। ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବି ବିଜେପିର ଭୋଟହାର ଯଥେଷ୍ଟ ବଢ଼ିଛି। ଦଳର ମେୟର ପ୍ରାର୍ଥୀ ସବିତା ସୁଆର ୪୫,୭୮୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

ଗତ ୩ଟି ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ବରଣ କରିଥିବା ବେଳେ ଭୋଟ୍‌ହାର ବି ବଢ଼ିଛି। ଗତ ୩ଟି ନିର୍ବାଚନରେ ବିଜେପି ପ୍ରତିଥର ପ୍ରାର୍ଥୀ ବଦଳାଇଛି। ତେବେ ଆସନ୍ତା ୨୦୨୪ରେ ବିଜେପିର ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କିଏ, ତାହା ଦେଖିବାକୁ ରହିଲା। ସେପଟେ ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିବା ଶ୍ରୀ ପତିଙ୍କ ସମର୍ଥକ ପୁଣିଥରେ ତାଙ୍କୁ ନିର୍ବାଚନ ମୈଦାନରେ ଦେଖିବାକୁ ଆଶା ରଖିଛନ୍ତି। କିନ୍ତୁ ସବୁ କିଛି ବିଜେପିର କେନ୍ଦ୍ରୀୟ କମିଟି ଉପରେ ନିର୍ଭର କରୁଛି। ଯେହେତୁ ବିଜେପି ଗଞ୍ଜାମ ଜିଲ୍ଲାକୁ ଅଧିକ ଫୋକସ୍‌ କରୁଛି, ଏଣୁ ଶେଷ ନିଷ୍ପତ୍ତି କେନ୍ଦ୍ରୀୟ କମିଟି ଉପରେ ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।