ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେନୁଡ଼ି ଗାଁର ବଣମଲ୍ଲୀ ଫୁଟବଲ୍‌ ଖେଳାଳି ରଶ୍ମିତା, କ୍ରୀଡ଼ା ଯାତ୍ରାରେ ପ୍ରତିବନ୍ଧକ ସାଜିଛି ଦାରିଦ୍ର୍ୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଖ୍ୟାତ ପଲ୍ଲୀର ଜଣେ କନ୍ଧ ଆଦିବାସୀ ଝିଅ ରଶ୍ମିତା କହଁର ଏବେ ଫୁଟବଲ ଖେଳରେ ସୁନାମ ଅର୍ଜନ କରିଛନ୍ତି। ମାତ୍ର ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ରଶ୍ମିତାଙ୍କ ପ୍ରତିଭାର ଯେଉଁଭଳି ବିକାଶ ହେବା କଥା ହୋଇପାରୁନାହିଁ। ବାପା ପରମେଶ୍ବର କହଁର ଜଣେ ଦିନ ମଜୁରିଆ। ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ଦଡ଼କି ପଞ୍ଚାୟତର ବେନୁଡ଼ି ଗ୍ରାମର କନ୍ଧ ସମ୍ପ୍ରଦାୟରେ ଜନ୍ମ ହୋଇ ମଧ୍ୟ ରଶ୍ମିତା ନିଜର ପ୍ରତିଭାର ପ୍ରମାଣ ଦେଇ ପାରିଛନ୍ତି। ଏକ ଅଖ୍ୟାତ ଆଦିବାସୀ ପଲ୍ଲୀରେ ଜନ୍ମ ହୋଇ ମଧ୍ୟ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ରଶ୍ମିତା ପିଲାଦିନୁ ନିଜ କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଛନ୍ତି। ରଶ୍ମିତା ନିଜ ପ୍ରତିଭା ବଳରେ ରାଜ୍ୟ ସ୍ତରରେ ଫୁଟବଲ ଖେଳି ସୁନାମ ଅର୍ଜନ କରିଛନ୍ତି। ରଶ୍ମିତା ଏବେ ଫୁଲବାଣୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ-୩ର ଦ୍ବିତୀୟ ବର୍ଷର ଛାତ୍ରୀ। ବାପା ପରମେଶ୍ବର ଜଣେ ଭୂମିହୀନ ଓ ଦରିଦ୍ର ହୋଇଥିବାରୁ ରଶ୍ମିତାଙ୍କ ପାଠ ପଢ଼ା ଓ କ୍ୟାରିୟର ତାଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି।
ନିକଟସ୍ଥ ଜଙ୍ଗଲରୁ ଜାଳେଣି ସାମଗ୍ରୀ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ରଶ୍ମିତାଙ୍କ ବାପା ପରିବାର ଚଳାଉଥିବା ବେଳେ ଝିଅର ପାଠପଢ଼ା ଏବଂ ଫୁଟବଲ ଖେଳ ନେଇ ଚିନ୍ତିତ ଅଛନ୍ତି। କେମିତି ତାଙ୍କ ଝିଅ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିବ ସେନେଇ ଚିନ୍ତା କରୁଛନ୍ତି। ଯଦି ପ୍ରଶାସନ ପକ୍ଷରୁ ରଶ୍ମିତାକୁ ଉପଯୁକ୍ତ ପ୍ରୋତ୍ସାହନ ମିଳି ପାରନ୍ତା ତେବେ ସେ ଜାତୀୟ ସ୍ତରରେ ନିଶ୍ଚୟ ଗୌରବ ଅର୍ଜନ କରିପାରିବ ବୋଲି ବେନୁଡି ଗ୍ରାମର ଯୁଗ୍ନୁ କହଁର କହିଛନ୍ତି। ଅପରପକ୍ଷେ, ରଶ୍ମିତା ଜଣେ କନ୍ଧ ସମ୍ପ୍ରଦାୟର ଛାତ୍ରୀ ହୋଇଥିବାରୁ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା କ୍ରୀଡ଼ା ସଂସ୍ଥା ପକ୍ଷରୁ ସହାୟତା ମିଳିପାରିଲେ ସେ ନିଜକୁ ଅଧିକ ବିକଶିତ କରିପାରିବ। ଦାରିଦ୍ର୍ୟ ଏବେ ରଶ୍ମିତାଙ୍କ କ୍ରୀଡ଼ାଯାତ୍ରାରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି। ନିକଟରେ ଫୁଲବାଣୀ ଟିମ୍‌ ପକ୍ଷରୁ ରଶ୍ମିତା ଫୁଟବଲ ଖେଳି କଟକ, ନବରଙ୍ଗପୁର ଓ କଳାହାଣ୍ଡି ଟିମ୍‌କୁ ପରାଜିତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ରଶ୍ମିତାଙ୍କ ଗୋଲ୍‌ ଯୋଗୁଁ ଫୁଲବାଣୀ ଟିମ୍‌ ବିଜୟୀ ହୋଇଥିଲା। କିନ୍ତୁ ଦାରିଦ୍ର୍ୟ କାରଣରୁ ରଶ୍ମିତା ଏବେ ଗାଁରେ ରହୁଛନ୍ତି ଏବଂ ବାପା, ମା’ଙ୍କୁ ରୋଷେଇ ଓ ଘର ପରିଚାଳନାରେ ସହାୟତା କରୁଛି। ଫୁଟ୍‌ବଲ ପ୍ରାକ୍ଟିସ ପାଇଁ ଅଧିକ ସମୟ ଦେଇ ପାରୁନାହାନ୍ତି। ରଶ୍ମିତାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ପ୍ରାର୍ଥନା କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ