ଅପରାଧ ରାଜ୍ୟ

ବେଆଇନଭାବେ ଲମ୍ବା ଛୁଟିରେ ଡାକ୍ତର: ୧୩୮ ନିଖୋଜ

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଡାକ୍ତର ମିଳୁନାହାନ୍ତି। ଖାଲି ପଡ଼ିଥିବା ଡାକ୍ତର ପଦବି ପାଇଁ ଯେଉଁ ବିଜ୍ଞପ୍ତି ବାହାରୁଛି, ପଦବି ସଂଖ୍ୟାର ଅଧା ବି ଆବେଦନ କରୁନାହାନ୍ତି। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ହାଇକୋର୍ଟଙ୍କ ନିକଟରେ ଏଭଳି ସତ୍ୟପାଠ ଦେଇଥିଲେ। ‌ହେଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଦୀର୍ଘଦିନ ହେବ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି। ଲମ୍ବା ଛୁଟି ଓ ବେଆଇନ ଅନୁପସ୍ଥିତ ଡାକ୍ତରଙ୍କ ସଂଖ୍ୟା ଇତିମଧ୍ୟରେ ଶହେ ପାର୍ କଲାଣି। ଏପରିକି ଏମାନଙ୍କ ମଧ୍ୟରୁ ଅନେକ କାର୍ଯ୍ୟରେ ଯୋଗ ଦେଉ ନ ଥିଲେ ହେଁ ପଦବି ମାଡ଼ି ବସିଛନ୍ତି। ଫଳରେ ଏସବୁ ପଦବିରେ ଆଉ କାହାରିକୁ ନିଯୁକ୍ତି ମଧ୍ୟ ଦିଆଯାଇପାରୁନି। କିନ୍ତୁ ଯେଉଁ କଥାଟି ବିଭିନ୍ନ ମହଲକୁ ବିସ୍ମିତ କରୁଛି, ତାହା ହେଲା- ଏଭଳି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର କୁନ୍ଥୁକୁନ୍ଥୁ କାହିଁକି ?

ସରକାରୀ ତଥ୍ୟ କହୁଛି, ବେଆଇନଭାବେ ଲମ୍ବା ଛୁଟିରେ ଥିବା ଡାକ୍ତରଙ୍କ ସଂଖ୍ୟା ହେଉଛି ୧୩୮। ଅନେକ ରିଲିଭ୍ ପରେ ମଧ୍ୟ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ସେମାନଙ୍କ ସଂଖ୍ୟା ହେଉଛି ୬୮। ସମୁଦାୟଭାବେ ଏମାନଙ୍କ ସଂଖ୍ୟା ହେଉଛି ୨୦୬। ଏମିତି ନୁହେଁ ଯେ ଅନୁପସ୍ଥିତ ଥିବା ଡାକ୍ତରଙ୍କ ସଂପର୍କରେ ସଂପୃକ୍ତ ହସ୍ପିଟାଲ ଅଧିକାରୀ କିମ୍ବା ବିଭାଗ ଜାଣିନାହିଁ। ବରଂ ନୋଟିସ୍ ଜାରି କରି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ସରକାର ପରୋକ୍ଷରେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ବେଆଇନଭାବେ ଅନୁପସ୍ଥିତ ଥିବା ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ରାଜଧାନୀରେ ମଧ୍ୟ ଏଭଳି ଡାକ୍ତର ରହିଛନ୍ତି, ଯେଉଁମାନଙ୍କର ନିଜସ୍ବ କ୍ଲିନିକ୍ ବା ହସ୍ପିଟାଲ ରହିଛି। ତାହାପୁଣି ସରକାରୀ ଡାକ୍ତରଖାନାଠାରୁ ଅଳ୍ପ ଦୂରରେ।

ରାଜ୍ୟରେ ସମୁଦାୟ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ହେଉଛି ୧୦,୭୭୪। ଏଥିରେ ସ୍ଥାୟୀ ଡାକ୍ତର ହେଉଛି ୪୪୮୧। ଅନ୍ୟ ଠିକା, ଡିଏମ୍‌ଏଫ୍‌ ଓ କର୍ପାସ ପାଣ୍ଠିର ଡାକ୍ତରଙ୍କୁ ମିଶାଇ ଏମାନଙ୍କ ସଂଖ୍ୟା ୫୫୨୬। ଆହୁରି ୫୨୪୮ ଡାକ୍ତରୀ ପଦବି ଖାଲି। ଯାହାକି ସମୁଦାୟ ଡାକ୍ତରୀ ପଦବିର ୪୮.୭୧%। ରାଜ୍ୟ ସରକାର ଜୁଲାଇ ୧୯ ତାରିଖରେ ଅତିରିକ୍ତ ୫ହଜାର ପଦବି ସୃଷ୍ଟି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବେଆଇନଭାବେ ଅନୁପସ୍ଥିତ ଥିବା ଡାକ୍ତରଙ୍କୁ ଖୋଜା ଚାଲିଛି। ଯେଉଁମାନେ ଅନୁପସ୍ଥିତ ରହିଛନ୍ତି ସେମାନଙ୍କୁ ସିଡିଏମ୍‌ଓଙ୍କୁ ତରଫରୁ କାର୍ଯ୍ୟରେ ଯୋଗଦେବା ଲାଗି ନୋଟିସ୍ ପଠାଯାଇଛି। ଯଦି ୧୫ଦିନ ଭିତରେ ସେମାନେ କୌଣସି ପ୍ରକାର ଉତ୍ତର ନ ରଖନ୍ତି ତାହାଲେ ପୁନର୍ବାର ଆଉ ଏକ ନୋଟିସ୍ ଜାରି କରାଯିବ। ଦ୍ବିତୀୟ ନୋଟିସ୍‌ର ଉତ୍ତର ମିଳିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଏହାସହ ଯେଉଁମାନେ ରିଲିଭ୍ ହେବା ସତ୍ତ୍ବେ ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ସେମାନଙ୍କୁ ମଧ୍ୟ ଯୋଗାଯୋଗ କରାଯାଉଛି। ତେଣୁ ଅନୁପସ୍ଥିତ ଥିବା ଡାକ୍ତରଙ୍କ ସଂପର୍କରେ ସବିଶେଷ ସୂଚନା ମିଳିବା ପରେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ମିଳିବା ପରେ ରାଜ୍ୟରେ କେତେ ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହେବ ତାହା ସ୍ପଷ୍ଟ ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।