ଲଣ୍ଡନ,୦୩/୦୮: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଟେଷ୍ଟ୍ ସିରିଜ ପୂର୍ବରୁ ଦୁଉ ଦଳ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଅଭ୍ୟାସ ପୂର୍ବରୁ ଡରହାମରେ ୨ ସପ୍ତାହ ଥିବା ଟିମ୍ ଇଣ୍ଡିଆ ନଟିଂହାମରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଲେଣି ।
ତେବେ ଶନିବାରଠୁ ଟିମ୍ ଇଣ୍ଡିଆ ପଡିଆରେ ଅଭ୍ୟାସ କରୁଛି । ଦଳର ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂ ଉପରେ ଫୋକସ କରୁଛନ୍ଚି। ବୋଲରମାନେ ଦୀର୍ଘ ସମୟ ଧରି ବୋଲିଂ ଅଭ୍ୟାସ କରୁଥିବା ବେଳେ ବ୍ୟାଟ୍ସମ୍ୟାନମାନେ ନେଟ୍ସରେ ପ୍ରାକ୍ଟିସ୍ କରୁଛନ୍ତି । ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ଓପନିଂ କରିବା ପାଇଁ ଦଳ ସ୍ଥିର କରିଥିବା ବେଳେ ହିଟମ୍ୟାନଙ୍କ ବ୍ୟାଟିଂ ଉପରେ କୋଚ୍ ରବି ଶାସ୍ତ୍ରୀ ନିରନ୍ତର ଭାବେ ନଜର ରଖିଛନ୍ତି ।
କ୍ରିକେଟ୍ ବିଶେଷଜ୍ଞଙ୍କ କହିବାନୁସାରେ, ରୋହିତ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥାନ୍ତି । ତେଣୁ ଇଂଲଣ୍ଡ ଜଳବାୟୁ ଓ ପିଚ୍ କଷ୍ଟକର ହେବ । ନଟିଂହାମ ପିଚରେ ବଲ୍ ଅତିରିକ୍ତ ସୁଇଂ କରୁଥିବାରୁ ରୋହିତଙ୍କ ପକ୍ଷରେ ସଟ୍ ଖେଳିବା କଷ୍ଟକର ହୋଇପାରେ । ରୋହିତଙ୍କୁ ଏସବୁ ପ୍ରତି ଧ୍ୟାନ ନଦେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ହେବ। ଇଂଲଣ୍ଡରେ ଅଫ ଷ୍ଟମ୍ପ ବାହାର ବଲ୍କୁ ଛାଡ଼ିବା ପାଇଁ ରୋହିତଙ୍କୁ ପୂର୍ବତନ କ୍ରିକେଟ୍ ଖେଳାଳି ଭିଭିଏସ୍ ଲକ୍ଷ୍ମଣ ଏହାମଧ୍ୟରେ ପରାମର୍ଶ ମଧ୍ୟ ଦେଇଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର୍ ବ୍ୟାଟିଂ କରିଥିବା ଶୁଭମନ ଗିଲ ଆହତ ହୋଇ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏପଟେ ମୟଙ୍କ ଅଗ୍ରଓ୍ୱାଲ ଆହତ ହେବା ପରେ ଭାରତ ପାଇଁ ଚିନ୍ତା ବଢିଯାଇଛି । ମୟଙ୍କ ଅଭ୍ୟାସ ବେଳେ ମୁଣ୍ଡରେ ବଲ ବାଜିବାରୁ ଆହାତ ହୋଇ ବାଦ୍ ପଡିଛନ୍ତି । ମୟଙ୍କ ଅଗ୍ରଓ୍ବାଲଙ୍କୁ କେବଳ ପ୍ରଥମ ଟେଷ୍ଟରୁ ହିଁ ବାଦ ଦିଆଯାଇଛି । ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଇଛି ।
ପ୍ରଥମ ଟେଷ୍ଟ ପରେ ଅବଶିଷ୍ଟ ଟେଷ୍ଟ ପାଇଁ ସେ ଦଳରେ ସାମିଲ ହୋଇପାରନ୍ତି ବୋଲି କହିଛି ବିସିସିଆଇ । ତେବେ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ଓପନିଂ ପାଇଁ ସୁଯୋଗ ମିଳିପାରେ । ରାହୁଲ ପୂର୍ବରୁ ମଧ୍ୟ ଓପନିଂ କରିବା ସହ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ସେ ମଧ୍ୟ କ୍ରମରେ ଖେଳିବାକୁ ପସନ୍ଦ କରନ୍ତି । ଏହା ବ୍ୟତିତ ନବାଗତ ଖେଳାଳି ଅଭିମନ୍ୟୁ ଇଶ୍ବରନ୍ଙ୍କୁ ମଧ୍ୟ ଓପନିଂ ପାଇଁ ସୁଯୋଗ ମିଳିପାରେ । ସେହିପରି ବୋଲିଂ ଓ ଫିଲ୍ଡିଂକୁ ମଧ୍ୟ ଭାରତୀୟ ଦଳ ଗୁରୁତର ସହ ନେଇଛି । ଖେଳାଳିମାନେ ପଡିଆରେ ଫିଲ୍ଡିଂ ଆଉ ଓ୍ୱିକେଟ୍ ଥ୍ରୋ ପ୍ରାକ୍ଟିସ୍ ମଧ୍ୟ କରୁଛନ୍ତି ।