ଲଣ୍ଡନ,୦୧/୦୮: ଆଉ ମାତ୍ର ୩ଦିନ । ବୁଧବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଡରହାମରେ ୨ ସପ୍ତାହ କଟାଇ ସାରିବା ପରେ ଭାରତୀୟ ଦଳ ନଟିଂହାମରେ ପହଞ୍ଚି ଅଭ୍ୟାସ ଆରମ୍ଭ କରି ଦେଇଛି ।
ଶନିବାର ଦିନ ସମଗ୍ର ଭାରତୀୟ ଦଳ ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂକୁ ଶିବରରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ଦଳର ପ୍ରତ୍ୟେକ ବୋଲର ଦୀର୍ଘ ସମୟ ଧରି ବୋଲିଂ କରିଥିଲେ। ରୋହିତ ଶର୍ମାଙ୍କ ବ୍ୟାଟିଂ ଅଭ୍ୟାସ ଉପରେ ମୁର୍ଖ କୋଚ ରବି ଶାସ୍ତ୍ରୀ ନଜର ରଖିଥିଲେ । ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟ୍ରେ ରୋହିତ ଇଂଲଣ୍ଡରେ ଓପନ୍ କରିବେ ।
ଆକ୍ରମଣାତ୍ମକ ବ୍ୟାଟିଂ ଉପରେ ନିର୍ଭର କରୁଥିବା ରୋହିତଙ୍କ ପାଇଁ ଇଂଲଣ୍ଡ ଜଳବାୟୁ ଓ ପିଚ୍ କଷ୍ଟକର ହେବ ବୋଲି ବହୁ କ୍ରିକେଟ୍ ସମୀକ୍ଷକ ମତ ଦେଇଛନ୍ତି। ସେଠାରେ ବଲ୍ ଅତିରିକ୍ତ ସୁଇଂ କରୁଥିବାରୁ ରୋହିତଙ୍କ ପକ୍ଷରେ ସଟ୍ ଖେଳିବା କଷ୍ଟକର ହେବ ବୋଲି ମତ ପ୍ରକାଶ ପାଇଛି । ରୋହିତ ଏସବୁ ପ୍ରତି ଧ୍ୟାନ ନଦେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଛନ୍ତି । ଇଂଲଣ୍ଡରେ ଅଫ ଷ୍ଟମ୍ପ ବାହାର ବଲ୍କୁ ଛାଡ଼ିବା ପାଇଁ ରୋହିତଙ୍କୁ ପୂର୍ବତନ କ୍ରିକେଟ୍ ଖେଳାଳି ଭିଭିଏସ୍ ଲକ୍ଷ୍ମଣ ପରାମର୍ଶ ଦେଇଛନ୍ତି ।
ଗିଲ ଆହତ ହୋଇ ସ୍ୱଦେଶ ଫେରି ଆସିଥିବାରୁ ରୋହିତଙ୍କ ସହ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିବା ନିଶ୍ଚିତ । ସେ ନେଟ୍ସରେ ଦଳର ସମସ୍ତ ପେସ୍ ବୋଲରଙ୍କୁ ସାମ୍ନା କରିଥିଲେ । ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ରିଷଭ ପନ୍ତ ଦୀର୍ଘ ସମୟ ବ୍ୟାଟିଂ ଅଭ୍ୟାସ କରିଥିଲେ ।
ଇଂଲଣ୍ଡ ଗସ୍ତରେ ଥିବା ଦଳରୁ ୩ ଜଣ ଖେଳାଳି ଶୁଭମନ ଗିଲ, ଅଭେଶ ଖାନ ଓ ୱାସିଂଟନ ସୁନ୍ଦର ବାଦ ପଡ଼ିଛନ୍ତି । ସେମାନଙ୍କ ସ୍ଥାନରେ ପୃଥ୍ୱୀ ଶ’ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଡାକରା ମିଳିଥିଲା । ହେଲେ ଶ୍ରୀଲଙ୍କାରେ ଉଭୟ ଆଇସୋଲେସନରେ ରହିଥିଲେ । ଉଭୟ ଲଣ୍ଡନ ଅଭିମୂଖେ ଯାତ୍ରା କରିଛନ୍ତି । ଏଲିଟ୍ କ୍ରୀଡ଼ାବିତମାନଙ୍କ ପାଇଁ ବ୍ରିଟେନ୍ରେ ପ୍ରବେଶ କରିବାକୁ ସ୍ୱତନ୍ତ୍ର ନିୟମ ରହିଛି ।
ଉକ୍ତ ନିୟମ ଅନୁଯାୟୀ ଶ’ଓ ସୂର୍ଯ୍ୟକୁମାର ଇଂଲଣ୍ଡରେ ପ୍ରବେଶ କରିପାରିବେ। ତେବେ ସେଠାରେ ପହଞ୍ଚିବା ପରେ ଉଭୟଙ୍କୁ ୧୦ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିବ । ଫଳ ସ୍ୱରୂପ ପ୍ରଥମ ୨ଟି ଟେଷ୍ଟରୁ ଉଭୟ ବାଦ ପଡ଼ିବେ । ୧୨ ତାରିଖରୁ ଲର୍ଡ୍ସରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହା ପୂର୍ବରୁ ଉଭୟଙ୍କ ଆଇସୋଲେସନ ସମୟ ଶେଷ ହୋଇଥିବ । ତଥାପି ନାଲ ବଲ୍ରେ ଅଭ୍ୟାସ ନକରିବା ପର୍ଯ୍ୟନ୍ତ ଉଭୟ ଟେଷ୍ଟ ଏକାଦଶରେ ସ୍ଥାନ ପାଇପାରିବେ ନାହିଁ ।