ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ପାଠ୍ୟକ୍ରମ: ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ କ୍ୟାରିୟର ସୁଯୋଗ

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନରେ (ଲିଫ୍ଟ ଟେକ୍ନୋଲୋଜି) ରହିଛି ଆକର୍ଷଣୀୟ କ୍ୟାରିୟର ସୁଯୋଗ। ଏଥିପାଇଁ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି। ୨୦୨୪-୨୫ ବର୍ଷ ପାଇଁ ଏଥିରେ ନାମଲେଖାଇବା ଲାଗି ଅନଲାଇନ୍ ଜରିଆରେ ଆବେଦନ ପ୍ରକ୍ରିୟା ଚାଲିଛି। ଆବେଦନର ଶେଷ ତାରିଖ ଫେବ୍ରୁଆରି ୨୯। ଦେଶ ବିଦେଶର ପ୍ରମୁଖ ସହରରେ ଆଜି ବଡ଼ ବଡ଼ ଆପାର୍ଟମେଣ୍ଟ, ବହୁତଳବିଶିଷ୍ଟ ଆଧୁନିକ କାର୍ଯ୍ୟାଳୟ, ବିମାନବନ୍ଦର, ମଲ୍ ଏବଂ ସୁଉଚ୍ଚ ଅଟ୍ଟାଳିକାର ଆବଶ୍ୟକତା ବଢ଼ି ଚାଲିଛି। ଏଠାରେ ଲୋକମାନଙ୍କ ଯିବା ଆସିବା ଏବଂ ଜିନିଷପତ୍ର ପରିବହନ ପାଇଁ ଏଲିଭେଟର, ଏସ୍କାଲେଟର ଓ ଟ୍ରାଭେଲେଟର ପରି ଆଧୁନିକ ଯନ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି। ଏସବୁର ପରିଚାଳନା ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ଦକ୍ଷତା କେନ୍ଦ୍ରରେ “ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ବିଷୟରେ ତାଲିମ ଦିଆଯାଉଛି।

୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍ (ଲିଫ୍ଟ ଟେକ୍ନୋଲୋଜି) ପାଠ୍ୟକ୍ରମ। ସିଙ୍ଗାପୁର ଆଇଟିଇଇଏସ୍ ସହଯୋଗରେ ଏହି ଅତ୍ୟାଧୁନିକ ପାଠ୍ୟକ୍ରମର ପରିଚାଳନା କରାଯାଉଛି । ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଲିଫ୍ଟର ସ୍ଥାପନା, ଏହାକୁ କାର୍ଯ୍ୟକ୍ଷମ କରିବା, ରକ୍ଷଣାବେକ୍ଷଣ, ମରାମତି ଓ ଯାଞ୍ଚ ଆଦି ବିଷୟରେ ତାଲିମ ଦିଆଯାଉଛି। ଏଥିପାଇଁ “ବିଶ୍ୱ ଦକ୍ଷତା କେନ୍ଦ୍ର’ରେ ଅନ୍ତର୍ଜାତୀୟ ମାନର ଲାବୋରେଟୋରି ପ୍ରତିଷ୍ଠା କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଥିବା ଏହି ପାଠ୍ୟକ୍ରମ ପାଇଁ ୨ ବର୍ଷିଆ ଆଇଟିଆଇ କିମ୍ବା ପଲିଟେକ୍ନିକରେ ଡିପ୍ଲୋମା କରିଥିବା ଓଡ଼ିଶାର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ସହିତ ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ୍ ସର୍ଭିସେସ୍, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ହେୟାର ଫ୍ୟାସନ ଆଣ୍ଡ୍ ଡିଜାଇନ ଏବଂ ବୁ୍ୟଟି ୱେଲେନେସ୍ ଆଣ୍ଡ ସ୍ପା ଆଦି ବିଷୟରେ ତାଲିମ ଦିଆଯାଉଛି। ଏଠାରେ ବିଷୟଭିତ୍ତିକ ପାଠ୍ୟକ୍ରମ ସହିତ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ବିକାଶ, ଡିଜାଇନ୍ ଥିଙ୍କିଙ୍ଗ୍, ଉଦ୍ୟୋଗ ବିକାଶ ଆଦି ବିଷୟକୁ ନେଇ ଜୀବନ କୌଶଳ ତାଲିମ ମଧ୍ୟ ଦିଆଯାଉଛି।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି ମାଗଣା ରହିଛି। ସେହିପରି ରାଜ୍ୟ ସରକାରଙ୍କ “ସୁଦକ୍ଷା’ ଯୋଜନା ଅଧୀନରେ ଛାତ୍ରୀମାନଙ୍କୁ ମଧ୍ୟ ଫି’ ଛାଡ଼ କରାଯାଇଛି। ସେମାନଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି।

ସେହିପରି ବିଦେଶ ଅନୁଭୂତି ଦେବା ଲାଗି ପ୍ରତିବର୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ ଏବଂ “ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ତା’ସହ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ପ୍ଲେସମେଣ୍ଟ ସୁଯୋଗ ରହିଛି। ୨୦୨୨-୨୩ରେ ୯୩ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଥିଲା। ତା’ ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଥିଲା। ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବର୍ଷ ଲାଗି ନାମଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ତେଣୁ ପ୍ରାର୍ଥୀମାନେ କେନ୍ଦ୍ରର ୱେବସାଇଟରେ www.worldskillcenter.org/admissions ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ପ୍ରାର୍ଥୀ ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।