ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବାଲେଶ୍ବର, (ମନୋଜ ରାଉଳ) : ଯେଉଁଠି ବିଶ୍ବବିଦ୍ୟାଳୟ ଭଳି ଏକ ବୃହତ୍ ଶିକ୍ଷାନୁଷ୍ଠାନ ଛିଡ଼ା ହୋଇଛି, ଠିକ୍ ତା ପାଖ ଗାଁର ପିଲା ବିଦ୍ୟାଳୟ ମାଟି ମାଡ଼ିନାହାନ୍ତି। ରାତି ପାହିଲେ ବାପାମାଙ୍କ ସାଙ୍ଗରେ କିଏ ଦିନ ମଜୁରିଆ ଭାବେ ଖଟିବାକୁ ଯାଉଛି ତ, କିଏ ପଥର ଖାଦାନକୁ ପଥର ବାଡ଼େଇବାକୁ ଯାଉଛି। ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ପାଚେରିକୁ ଲାଗିଥିବା ରେମୁଣା ବ୍ଲକ୍ ନୂଆପାଢ଼ୀ ଓ ମର୍ଦ୍ଦରାଜପୁର ଗାଁରେ ସରକାରୀ ଅବହେଳାର ଏହି ବିଡ଼ମ୍ବିତ ଚିତ୍ର ସମସ୍ତଙ୍କୁ ଚକିତ କଲା ଭଳି ଓ ଚିନ୍ତା ଉଦ୍ରେକକାରୀ।
ନୂଆପାଢ଼ୀ ଓ ମର୍ଦ୍ଦରାଜପୁର ଗ୍ରାମରେ ଅନୁସୂଚିତ ଜାତି ଓ ଜନଜାତି ପରିବାର ରହୁଥିବାବେଳେ ଏବେ ବି ଶିକ୍ଷା ଓ ସ୍ବାସ୍ଥ୍ୟସେବା ସେମାନଙ୍କ ପାଇଁ ଅପହଞ୍ଚ। ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବାଲେଶ୍ବରକୁ ଏକ ଅଗ୍ରଣୀ ଜିଲ୍ଲା କୁହାଯାଉଥିବା ବେଳେ ଏ ଅଞ୍ଚଳରେ ତାର ଘୋର ବିଲକ୍ଷଣ ଦେଖିବାକୁ ମିଳିଛି।
୨ ଗାଁକୁ ପୋଷ୍ୟଗ୍ରାମ କଲା ଏଫ୍ଏମ୍ ବିଶ୍ବବିଦ୍ୟାଳୟ
ପିଲାଙ୍କୁ ପାଠ ପଢ଼ାଇବେ ପିଜି ଛାତ୍ରଛାତ୍ରୀ
ଶିକ୍ଷାମନସ୍କ ପାଇଁ ‘ଇଚ୍ ୱାନ୍ ଟିଚ୍ ୱାନ୍ କାର୍ଯ୍ୟକ୍ରମ
ସୂଚନାଥାଉକି, ଗତ ନଭେମ୍ବର ମାସରେ ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଦୁଇ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଥିଲା। ନିଜେ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ସହଯୋଗୀ ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ନୂଆପାଢ଼ୀ ଗାଁକୁ ଯାଇ ଲୋକମାନଙ୍କ ସହ ମିଶିଥିଲେ। ସେମାନଙ୍କର ସୁବିଧା, ଅସୁବିଧା ପଚାରି ବୁଝିବା ବେଳେ ଶିକ୍ଷା ଓ ସ୍ବାସ୍ଥ୍ୟ ସେମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ବୋଲି ଜାଣିବାକୁ ପାଇଥିଲେ। ସର୍ବେକ୍ଷଣରୁ ଜଣାପଡ଼ିଥିଲା, ଗାଁର ୫ରୁ ୧୪ ବର୍ଷ ମଧ୍ୟରେ ପାଖାପାଖି ୫୦ ଜଣ ପିଲା ବିଭିନ୍ନ କାରଣରୁ ବିଦ୍ୟାଳୟ ମାଟି ମାଡ଼ିନାହାନ୍ତି। ଏପରିକି ବିଦ୍ୟାଳୟକୁ ଛାଡ଼ିବା ପାଇଁ ସେମାନଙ୍କ ବାପାମା ମଧ୍ୟ ରାଜି ହେଉନାହାନ୍ତି। ଖାଲି ସେତିକି ନୁହେଁ, ରାତି ପାହିଲେ ଅଧିକାଂଶ ପିଲା ବାପାମାଙ୍କ ସହ ଦିନମଜୁରିଆ ଭାବେ କାମ କରିବାକୁ ଯାଉଥିବା ଦେଖିବାକୁ ମିଳିଥିଲା। ସଚେତନତାର ଅଭାବ ଓ ସହଜରେ ରୋଜଗାର ମିଳୁଥିବାରୁ ଗ୍ରାମବାସୀ ଶିକ୍ଷାର ମହତ୍ବକୁ ବୁଝି ପାରିନଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହୃଦ୍ବୋଧ କରିଥିଲେ।
ଏହା ପରେ ଲଗାତାର ଭାବେ ଉକ୍ତ ଗ୍ରାମରେ କୁଳପତି ପ୍ରଫେସର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନ ସହଯୋଗରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର, ସଫେଇ, ଶିକ୍ଷା ସଚେତନତା ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି। ଶିକ୍ଷା ବ୍ୟବସ୍ଥାରେ ସମସ୍ତଙ୍କୁ ଯୋଡ଼ିବା ଲାଗି ବିଶ୍ବବିଦ୍ୟାଳୟର ଏହି ନିଆରା ପ୍ରୟାସର ଫଳ ମଧ୍ୟ ମିଳିଛି। ଗ୍ରାମବାସୀ ନିଜ ନିଜ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଚଳିତବର୍ଷ ସ୍ଥାନୀୟ ନୂଆପାଢ଼ୀ ନୋଡାଲ୍ ସ୍କୁଲରେ ୧୮ ଜଣ ପିଲାଙ୍କ ନାମ ଲେଖା ଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ସବୁ ପିଲାଙ୍କୁ ନାଁ ଲେଖାଇବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଜନା କରାଯାଇଛି। ଏଥିସହ ଉକ୍ତ ପିଲାମାନଙ୍କୁ ସ୍କୁଲବ୍ୟାଗ୍, ଖାତା, କଲମ, ଜ୍ୟାମିତି ବାକ୍ସ ଆଦି ପାଠ୍ୟୋପକରଣ ପ୍ରଦାନ କରାଯାଇଛି। ଏହି ସଂପର୍କକୁ ଆହୁରି ନିବିଡ଼ କରିବାକୁ ଏବେ କୁଳପତିଙ୍କ ଅନୁମତିରେ ପ୍ରତିଦିନ ବିଶ୍ବବିଦ୍ୟାଳୟ ଖେଳପଡ଼ିଆକୁ ଉକ୍ତ ଗାଁର ପିଲାମାନେ ଖେଳିବାକୁ ଆସୁଛନ୍ତି।
ସ୍କୁଲ ଯାଉନଥିବା ଦୁର୍ଗାଦେବୀ ଓ ମର୍ଦ୍ଦରାଜପୁର ଗାଁର ପିଲାମାନଙ୍କ ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଖୁବ୍ଶୀଘ୍ର ‘ଇଚ୍ ୱାନ୍ ଟିଚ୍ ୱାନ୍ ଯୋଜନା ଆରମ୍ଭ କରାଯିବ ବୋଲି କହିଛନ୍ତି କୁଳପତି ପ୍ରଫେସର ତ୍ରିପାଠୀ। ଏହି ଯୋଜନାରେ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ତଥା ସେବା ମନୋବୃତ୍ତି ରଖିଥିବା କିଛି ପିଜି ଛାତ୍ରଛାତ୍ରୀଙ୍କୁ ବଛାଯିବ। ସେମାନେ ସପ୍ତାହରେ ଗୋଟିଏ କିମ୍ବା ଦୁଇଦିନ ଉକ୍ତ ଗାଁକୁ ଯିବେ। ଯେଉଁ ପିଲାମାନେ ବିଦ୍ୟାଳୟ ଆଦୌ ଯାଇନାହାନ୍ତି, କିନ୍ତୁ ଏବେ ବୟସ ୧୫, ୧୬ ବର୍ଷ ହୋଇଯାଇଥିବାରୁ ଆଉ ବିଦ୍ୟାଳୟରେ ଛୋଟପିଲାଙ୍କ ସହ ବସି ପାଠପଢ଼ିବାର ଆଗ୍ରହ ପ୍ରକାଶ କରୁନାହାନ୍ତି; ସେହି ପିଲାମାନଙ୍କ ଘରକୁ ଯାଇ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ପାଠ ପଢ଼ାଇବେ। ସର୍ବୋପରି ଗାଁ ପିଲାଙ୍କୁ ବିଦ୍ୟାଳୟମୁହାଁ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରି ଉଭୟ ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l