ମୁମ୍ବାଇ ୦୮/୦୭: ବଲିଉଡ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିର୍ମାତା-ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ବଡ ଭାଇ ଭୀର ଚୋପ୍ରାଙ୍କ କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି । ସେ ବିଧୁଙ୍କ ସହ ‘ମୁନ୍ନା ଭାଇ ଏମବିବିଏସ୍’, ‘ବ୍ରୋକନ୍ ହର୍ସେସ୍’, ‘ଲଗେ ରହୋ ମୁନ୍ନା ଭାଇ’ ଏବଂ ‘୩ ଇଡିଅଟ୍ସ’ ଭଳି ଫିଲ୍ମରେ କାମ କରିଥିଲେ। ଗତକାଲି ଦିଲୀପ କୁମାରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଥରାଇ ଦେଇଥିଲା। ପୁଣିଥରେ ଏହି ଖବର ଯୋଗୁଁ ଇଣ୍ଡଷ୍ଟ୍ରିର ଲୋକମାନେ ଭାଙ୍ଗି ପଡିଛନ୍ତି ।
ସୂଚନା ଅନୁଯାୟୀ, ନିର୍ମାତା ମାଳଦ୍ୱୀପରେ ଛୁଟି କାଟିବାକୁ ଯାଇଥିବା ବେଳେ କରୋନାରେ ସଂକ୍ରମିତ ହୋଇଥିଲେ। ଯାହାପରେ ତାଙ୍କୁ ତୁରନ୍ତ ମୁମ୍ବାଇର ଏଚ୍. ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୨୧ ଦିନ ରହିଥିଲେ । ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଜୁଲାଇ ୫ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି ।
ଭୀର ଚୋପ୍ରା ସାଉଣ୍ଡ ଡିଜାଇନର୍ ନମିତା ନାୟକ ଚୋପ୍ରାଙ୍କ ସ୍ୱାମୀ ଏବଂ ଅଭିନେତା ଅଭୟ ଚୋପ୍ରାଙ୍କ ବାପା ଥିଲେ। ଭୀର ‘ଫରାରୀ କି ସୱାରୀ’, ‘ଏକଲବ୍ୟ: ଦି ରୟାଲ ଗାର୍ଡ’, ‘ପରିଣିତା’, ‘ମିଶନ କାଶ୍ମୀର’ ଏବଂ ‘କରିବ’ ଭଳି ଫିଲ୍ମ ପାଇଁ ନିର୍ମାତା ଭାବରେ କାର୍ଯ୍ୟ କରିଥିଲେ।

