ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦାୟ ବାଇଶି: ଝୁଲ୍‌ରେ ନିତାଇ ଝୁଲ୍‌ ଗାଇ ଚର୍ଚ୍ଚା‌ରେ ପୁପୁନ୍‌, ନିଦ ହଜାଇଲା ଅମ୍ରିତ୍‌ ଅପହରଣ ଘଟଣା

ଝୁଲ୍‌ରେ ନିତାଇ ଝୁଲ୍‌ ଗାଇ ଚର୍ଚ୍ଚା‌ରେ ପୁପୁନ୍‌
ରାମଲୀଳାରେ ଝୁଲ୍‌ରେ ନିତାଇ ଝୁଲ୍‌ ଗାଇ ବେଶ୍‌ ଚହଳ ସୃଷ୍ଟି କରିଥିଲେ ନୟାଗଡ଼ ଭାଟ୍ଟସାହିର ଭାଇରାଲ୍‌ ବୟ ପୁପୁନ୍‌ ବିଶ୍ବାଳ। ନାରଦ ଭୂମିକାରେ ପୁପୁନ୍‌ ଏହି ଗୀତ ମଞ୍ଚରେ ଗାଇଥିବା ବେଳେ, ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ‌ହୋଇଥିବା ଦେଖିବାକୁ ମିଳିଥିଲ। ଏହି ସ୍ବରକୁ ନକଲ କରି ଓଡ଼ିଶାର ସବୁ ପ୍ରମୁଖ କଣ୍ଠଶିଳ୍ପୀ ଗୀତ ଗାଇବା ସହିତ ଅନେକ ନିର୍ବାଚନୀ ଗୀତ ମଧ୍ୟ ପ୍ରସ୍ତୁତ ହୋଇଥିବା ଦେଖାଯାଇଥିଲା। ପୁପୁନ୍‌ଙ୍କ ବିଭିନ୍ନ ଗଣମାଧ୍ୟମ‌ରୁ ଡକରା ଆସିବ ସହିତ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ।

ଦଶପଲ୍ଲାର ଯୁବ ବୈଜ୍ଞାନିକ ଚର୍ଚ୍ଚାରେ
ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନ ବେହେରା ଚଳିତ ବର୍ଷ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ପ୍ରଥମତଃ ଶ୍ରୀ ବେହେରାଙ୍କ ସଫଳତାର କାହାଣୀ ଇଷ୍ଟ ଷ୍ଟେଟ୍‌ ୟୁନିଭର୍ସିଟି ବାର୍ଷିକ ଗବେଷଣା ପତ୍ରିକାରେ ସ୍ଥାନ ପାଇଥିଲା। ଜ୍ୟୋତିରଞ୍ଜନ ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ଗବେଷଣା କରିଥାନ୍ତି, ଗଛରୁ କିଭଳି ତୈଳ ଉତ୍ପାଦନ କରାଯାଇପାରିବ, ତାହା ସେ ଆବିଷ୍କାର କରିଛନ୍ତି।

ନିଦ ହଜାଇଲା ଓଡ଼ଗାଁର ଅମ୍ରିତ୍‌ ଅପହରଣ ଘଟଣା

ବର୍ଷର ଶେଷ ଭାଗକୁ ଓଡ଼ଗାଁ ଥାନା ଅଧୀନ କୁରାଳ ଗ୍ରାମର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ୍‌ ପାତ୍ରଙ୍କ ଅପହରଣ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଅମ୍ରିତ୍‌ ଟ୍ୟୁସନ୍‌ରୁ ଘରକୁ ଫେରିଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଅମ୍ରିତ୍‌ଙ୍କୁ ଅପହରଣ କରାଯାଇ କୁରାଳ ଗ୍ରାମ‌‌ରେ ହିଁ ନିଜ ଘରଠାରୁ କିଛି ଦୂର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ରଖାଯାଇଥିଲା। ପୁଲିସ, ଗଣମାଧ୍ୟମର ତନାଘନା ପରେ ଅପହର୍ତ୍ତାମାନେ ଅମ୍ରିତ୍‌ଙ୍କୁ ଛାଡ଼ି ପଳାଇଥିବା ବେଳେ, ନିଜର ଉଦ୍ଧାର ପାଇଁ ଅମ୍ରିତ୍‌ ଝରକା ଫାଙ୍କରେ ଡାକ ପକାଇବା ପରେ ତାଙ୍କୁ ସ୍ଥାନୀୟ ଜ‌ଣେ ବ୍ୟକ୍ତି ଉଦ୍ଧାର କରିଥିଲେ। ଗାଡ଼ି ଲୋନ୍‌ କିସ୍ତି ସୁଝିବାକୁ ତାଙ୍କୁ ଗ୍ରାମର ସ୍ବପ୍ନଦର୍ଶନ ପଣ୍ଡା, ଭକ୍ତଦର୍ଶନ ପଣ୍ଡା, ସୁନିଲ ପାଣିଗ୍ରାହୀ ହପହରଣ କରିଥିଲେ, ସମସ୍ତଙ୍କୁ ଗିରଫ କରାଯାଇଛି।

ନଦୀକୁ ଖସିଲା ତେଲ ଟ୍ୟାଙ୍କର୍‌, ଗୋଟିଏ ଗାଁର ୪ ମୃତ
୨୦୨୦ ଜୁନ୍‌ ୧୧ ବିଳମ୍ବିତ ରାତିରେ ଇଟାମାଟି ଥାନା ଅଧୀନ ବଡ଼ପଣ୍ଡୁସର ବ୍ରିଜ୍‌ରେ ଏକ ମର୍ମନ୍ତୁତ ତେଲ ଟ୍ୟାଙ୍କର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ସାନପଣ୍ଡୁସର ଗ୍ରାମର ଟ୍ୟାଙ୍କର୍‌ ଚାଳକ ସମୀର କୁମାର ନାୟକ(୨୫) ହେଲପର୍‌ ସାଗର ଖଟୁଆ(୨୦), ପଙ୍କଜ କୁମାର ନାୟକ(୩୨), ଦୀପୁ ଖଟୁଆ(୨୨)ଙ୍କର ମୃତ୍ୟୁ ଘଟିଥିଲା। ପାରାଦୀପରୁ ଦୁଇଟି ତେଲ ଟ୍ୟାଙ୍କର୍‌ ପାଟଣାଗଡ଼ ଯାଉଥିଲା। କୌଣସି କାରଣରୁ ବଡ଼ପଣ୍ଡୁସର ବ୍ରିଜ୍‌ ନିକଟରେ ଟ୍ୟାଙ୍କର୍‌ ପୋଲ ତଳକୁ ଖସିପଡ଼ିଥିଲା। ଏଭଳି ହୃଦୟବିଦାରକ ଘଟଣା ଘଟିଥିଲା। ଗାଁ ମଶାଣିରେ ୪ ଯୁବକଙ୍କ ଜୁଇ ଜଳିବା ସଭିଁଙ୍କୁ ସ୍ତବ୍ଧ କରିଦେଇଥିଲା।

ବିଡିଓଙ୍କ ବାପାଙ୍କୁ ଭତ୍ତା, ଏଲ୍‌ଏଓଙ୍କୁ ମାଡ଼, ଭୂତ ହିତାଧିକାରୀ ଚର୍ଚ୍ଚାରେ
ନୟାଗଡ଼ର ତତ୍‌କାଳୀନ ବିଡିଓଙ୍କ ବାପା ଭତ୍ତା ନେବା ଘଟଣା, ନୟାଗଡ଼ରେ ଭୂତ ରାସନ୍‌ କାର୍ଡ ହିତାଧିକାରୀ, ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ସମ୍ପର୍କରେ ‘ସମ୍ବାଦ’ ଖବର ପ୍ରକାଶ ପରେ ଘଟଣା ନେଇ ହଇଚଇ ସୃଷ୍ଟି ‌ହୋଇଥିଲା। ବିଡିଓଙ୍କ ବାପାଙ୍କ ଭତ୍ତା ବନ୍ଦ ହୋଇଥିବା ବେଳେ, ଭୂତ ରାସନ୍‌ କାର୍ଡ ନେଇ ଲୋକାୟୁକ୍ତରେ ମାମଲା ହୋଇଛି। ସେହିଭଳି ଗର୍ଭବତୀଙ୍କ ମୃତ୍ୟୁ ନେଇ ଜିଲ୍ଲା ଓ ଦୌରା ଜଜ୍‌ ତଥା ଆଇନ ସେବା ପ୍ରାଧିକରଣ ସଚିବ ସିଡିଏମ୍‌ଓଙ୍କୁ ନୋଟିସ୍‌ କରିଛନ୍ତି। ଭୂଅଧିଗ୍ରହଣ ଅଧିକାରୀ(ଏଲ୍‌ଏଓ) ସଞ୍ଜୟ ପ୍ରତିହାରୀଙ୍କୁ କିଛି ମହିଳା ରାସ୍ତାରେ ମାଡ଼ ମାରି ସିନ୍ଦୂର ପିନ୍ଧାଇଥିଲେ। ଏହି ଘଟଣାରେ ୪ ଜଣ ଗିରଫ ମଧ୍ୟ ହୋଇଛନ୍ତି। ମଦ ମାଫିଆଙ୍କ ସହିତ ଅବକାରୀ ଏସ୍‌ଆଇ, କନେଷ୍ଟବଳଙ୍କ ଅଡିଓ ଭାଇରାଲ ଭଳି ବିଭିନ୍ନ ଖବର ଚଳିତ ବର୍ଷ ଚର୍ଚ୍ଚାରେ ରହିଥିଲା।

ପ୍ରଥମ ଥର ପାଳନ ହେଲା ବିଶ୍ବ ଛେନାପୋଡ଼ ଦିବସ
ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜୟନ୍ତୀକୁ ହେଲ୍‌ପିଂ ହ୍ୟାଣ୍ଡ୍‌ ଅନୁଷ୍ଠାନ ପକ୍ଷରୁ ଏପ୍ରିଲ ୧୧ରେ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ ଆରମ୍ଭ କରାଯାଇଛି। ପ୍ରତିବର୍ଷ ଏହା କରାଯିବାକୁ ସ୍ଥିର ହୋଇଛି। ନୟାଗଡ଼ ସମେତ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରଥମ ଥର ବିଶ୍ବ ଛେନା ପୋଡ଼ ଦିବସ ପାଳନ ଦେଖିବାକୁ ମିଳିଥିଲା।

ନୂଆଗାଁକୁ ଗଡ଼ିଲା ଟ୍ରେନ୍‌
ଏ ବର୍ଷ ବି ରେଳପଥ ନିର୍ମାଣ ତ୍ବରାନ୍ବିତ ହୋଇପାରିଲା ନାହିଁ। ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ଟ୍ରେନ୍‌ ସେବା ଆଉ ପାଦେ ଆଗେଇଥିଲା। ମହିପୁର ‌ଷ୍ଟେସନ୍‌ରୁ ନୂଆଗାଁକୁ ଟ୍ରେନ୍‌ ଗଡ଼ିଥିଲା। ତେବେ ପୂର୍ବ ଘୋଷଣା ମୁତାବକ ୨୦୨୨ ସୁଦ୍ଧା ଦଶପଲ୍ଲାକୁ ଟ୍ରେନ୍‌ ଗଡ଼ିପାରିନାହିଁ। ଟ୍ରେନ୍‌ ଗଡ଼ିବା ତ ଦୂର କଥା ରେଳପଥ ନିର୍ମାଣ ନେଇ ଦଶପଲ୍ଲାକୁ ସମସ୍ତ ଜମି ଅଧିଗ୍ରହଣ ମଧ୍ୟ ହୋଇପାରିନାହିଁ। ଏଭଳି ସ୍ଥିତିରେ ୨୦୨୫ ସୁଦ୍ଧାର ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ଶେଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ‌ବୈଷ୍ଣବ ଆଶା ଦେଖାଇଛନ୍ତି।

ସିଏସ୍‌ଓ, ଡିଏଲ୍‌ଓ, ଏସ୍‌ଆଇଙ୍କ ସମେତ ଅନେକ ନିଲମ୍ବିତ
ନୟାଗଡ଼ ସଦର ଅବକାରୀ ଥାନା ଏସ୍‌ଆଇ ହଟିଆ ବେ‌ହେରା, କନେଷ୍ଟବଳ ପ୍ରଦୀପ୍ତ ନାୟକ ଚୋରା ମଦ ବେପାରୀଙ୍କ ସହିତ ସମ୍ପର୍କ ରଖି ଅକଳରେ ପଡ଼ିଥିଲେ। ମଦ ମାଫିଆଙ୍କ ସହିତ ୨ ଜଣଙ୍କର ଡିଲ୍‌ ନେଇ ଅଡିଓ ଭାଇରାଲ ହେବା ପରେ ଏହା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଫଳ‌ରେ ଉଭୟଙ୍କୁ ନିଲମ୍ବନ କରାଯାଇଥିଲା। ସେଇଭଳି ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ମଧ୍ୟ ଧାନ କିଣାବିକା ଚୁକ୍ତିରେ ଏପାଖସେପାଖ କରିଥିବାରୁ ନିଲମ୍ବିତ ହୋଇଛନ୍ତି। ନୋତ୍ତର ପାକ୍ସ ଋଣ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାରୁ ଇଟାମାଟି ସମବାୟ ବ୍ୟାଙ୍କ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ, ସୁପରଭାଇଜର ବ୍ରଜକିଶୋର ମହାପାତ୍ର, ଜଣେ ବ୍ୟକ୍ତିଙ୍କୁ ଅଫିସ୍‌ ପରିସରରେ ମାଡ଼ ମାରିବାରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପିଅନ ଚନ୍ଦ୍ରମଣି ଭଟ୍ଟ, ଜିଲ୍ଲା ପରିଷଦର କିରାଣୀ ଅରୁଣ କୁମାର ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ପାରମିତା ମିଶ୍ରଙ୍କ ନିଲମ୍ବନ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।