ରାଜନୀତି ରାଜ୍ୟ

ବିଜେପିର ମିସନ କନ୍ଧମାଳ- ୨୦୨୪: ୨୦୦୯ ସଫଳତା ଦୋହରାଇବାକୁ ଖେଳିବ ସ୍ବାମୀ ଲକ୍ଷ୍ମଣାନନ୍ଦ କାର୍ଡ!

ଫୁଲବାଣୀ, (ରଞ୍ଜନ ପ୍ରଧାନ): କନ୍ଧମାଳରେ ବିଜେପି ‘ମିସନ୍-୨୪ର ଆଜି ମୂଳଦୁଆ ପଡ଼ିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଜିଲ୍ଲା ଗସ୍ତ ପରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ଶିବିରରେ ମାନସିକ ସ୍ତରରେ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ତେବେ ଆଗାମୀ ନିର୍ବାଚନରେ ବିଜେପି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପ୍ରସଙ୍ଗକୁ ମାଧ୍ୟମ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଉ ଶ୍ରୀ ନଡ୍ଡାଙ୍କ ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ ପରିଦର୍ଶନ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ଏହି ଅବସରରେ ଶ୍ରୀ ନଡ୍ଡା ଆଶ୍ରମ ପରିସରରେ ଏକ ବାଳିକା ହଷ୍ଟେଲ କୋଠାକୁ ଉଦ୍‌ଘାଟନ କରିଛନ୍ତି।

ପ୍ରଶ୍ନଉଠୁଛି, ଛାତ୍ରୀନିବାସଟିଏ ଉଦ୍‌ଘାଟନ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଆସିବାକୁ ପଡ଼ିଲା କାହିଁକି? ପରୋକ୍ଷରେ ଏହା ବିଜେପିର ନିର୍ବାଚନ ପ୍ରସ୍ତୁତି ଓ ଭୋଟ୍ ରାଜନୀତିର ଏକ ଅଂଶ ବୋଲି ଆଭାସ ମିଳୁଛି। କେବଳ ଏତିକି ନୁ‌ହେଁ, ୨୦୦୯ ମସିହାର ସଫଳତାକୁ ଦୋହରାଇବାକୁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଜିଲ୍ଲାରେ ହିନ୍ଦୁ ଭୋଟରମାନଙ୍କ ଧ୍ରୁବୀକରଣ ହୋଇପାରିଲେ, ଯେକୌଣସି ଦଳ ପାଇଁ ନିର୍ବାଚନ ବିଜୟ ନିଶ୍ଚିତ ବୋଲି ଧରାଯାଏ।

ଜିଲ୍ଲାର ଭୋଟର୍ ସଂଖ୍ୟାକୁ ଅନୁଧ୍ୟାନ କଲେ, ଏଠାରେ ୩୦ ପ୍ରତିଶତ କିମ୍ବା ତାହାଠୁ ସାମାନ୍ୟ କମ୍ ସଂଖ୍ୟାଲଘୁ ଭୋଟର୍ ରହିଛନ୍ତି। ଗତ ନିର୍ବାଚନ ଗୁଡ଼ିକୁ ଅବଲୋକନ କଲେ, କଂଗ୍ରେସ ଜିଲ୍ଲାରେ ଦଳିତ ଓ ଆଦିବାସୀ ସଂଖ୍ୟାଲଘୁ ଭୋଟର୍‌ଙ୍କ ସମର୍ଥନ ହାସଲ କରିପାରୁଥିଲା। କିନ୍ତୁ ଏବେ ସମୟ ସହ ପରିସ୍ଥିତି ବି ବଦଳିଛି। ଜିଲ୍ଲାର ଦଳିତ ଓ ଆଦିବାସୀ ସଂଖ୍ୟାଲଘୁ ଭୋଟ୍‌ବ୍ୟାଙ୍କ୍ ବିଜେଡି ଭାଗକୁ ପଳାଇଛି। ବିଶେଷ କରି ୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନିଧନ ଏବଂ ଦଙ୍ଗା ପରେପରେ ସଂଖ୍ୟାଲଘୁ ଭୋଟ୍‌ ବ୍ୟାଙ୍କ୍‌କୁ ଶାସକ ବିଜେଡି ହାତେଇବାରେ ସଫଳ ହୋଇଛି। କନ୍ଧମାଳ ଦଙ୍ଗା ପରେ ହିଁ ତଥା ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାର ଭାଙ୍ଗି ଯାଇଥିଲା। ମେଣ୍ଟ ଭାଙ୍ଗିବା ପରେ ବିଜେପି ରାଜ୍ୟର ଅନ୍ୟ ସ୍ଥାନରେ ବିଫଳ ହୋଇଥିଲେ ମଧ୍ୟ କନ୍ଧମାଳରେ ସଫଳତା ହାସଲ କରିଥିଲା।

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନିଧନ ପରେ ବିଜେପିକୁ ଅନୁକମ୍ପାମୂଳକ ଭୋଟ୍‌ ମିଳିଥିଲା ଏବଂ ବିଜେପି ଜିଲ୍ଲାର ମୋଟ ୩ଟି ବିଧାନସଭା ମଧ୍ୟରୁ ଦୁଇ ବିଧାନସଭା ଆସନ ହାତେଇ ପାରିଥିଲା। ୨୦୦୯ରେ ବିଜେପି ଘୁ.ଉଦୟଗିରି ଏବଂ ବାଲିଗୁଡ଼ା ବିଧାନସଭାକୁ ନିଜ ସପକ୍ଷକୁ ନେବାରେ ସମର୍ଥ ହୋଇଥିଲା। ଦଙ୍ଗା ପରେ ୨୦୦୯ ନିର୍ବାଚନରେ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ଜେଲ୍‌ରେ ଥାଇ ବିଜେପି ପ୍ରାର୍ଥୀ ମନୋଜ ପ୍ରଧାନ ବିଜୟୀ ହୋଇଥିବା ବେଳେ ବାଲିଗୁଡ଼ାରୁ କରେନ୍ଦ୍ର ମାଝି ବିଜୟୀ ହୋଇଥିଲେ। ୨୦୦୯ ମେଣ୍ଟ ଭାଙ୍ଗିବା ପରେ ଏହା ବିଜେପି ପାଇଁ ଆଶ୍ବାସନା ଥିଲା।

ମାତ୍ର, ଏହାର ପରବର୍ତ୍ତୀ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେପି କନ୍ଧମାଳ ଜିଲ୍ଲାରେ ଆଉ ସଫଳ ହୋଇପାରିନି। ଏଣୁ ଆଗାମୀ ଦିନରେ ବିଜେପିର ଆହୁରି ବଡ଼ ବଡ଼ କେନ୍ଦ୍ରୀୟ ନେତା ମଧ୍ୟ ଜଲେଶପଟ୍ଟା ଆଶ୍ରମ ପରିଦର୍ଶନରେ ଆସିବା କାର୍ଯ୍ୟକ୍ରମ ଥିବା ଶୁଣାଯାଉଛି।

ଅନ୍ୟପକ୍ଷରେ, ଧର୍ମକୁ ନେଇ ଓଡ଼ିଶାରେ ରାଜନୀତି ଚାଲେନି ବୋଲି ଶାସକ ବିଜେଡି କହିଛି। ଅନ୍ୟ ରାଜ୍ୟ ଭଳି ବିଜେପି ଓଡ଼ିଶାରେ ଧର୍ମକୁ ନେଇ ରାଜନୀତି କରି ସଫଳ ହୋଇପାରିବନି‌ ବୋଲି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ କହିଛନ୍ତି। ଏଥିସହିତ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଜଲେଶପଟ୍ଟା ଗସ୍ତ ବିଜେଡିର ସଂଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କନ୍ଧମାଳ ଗସ୍ତ ବିଜେପିକୁ କିଛି ବି ଫାଇଦା ଦେବନି ବୋଲି କଂଗ୍ରେସ କହିଛି। ୨୦୦୯ ମସିହାରେ ବିଜେପି ଯେଉଁ ଆଧାରରେ ସଫଳତା ପାଇଥିଲା, ତାହାର ପୁନରାବୃତ୍ତି କେବେ ବି ସମ୍ଭବ ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତା ଘନ କୁମାର ଶବର କହିଛନ୍ତି। ତେବେ ସେ ଯାହା ହେଉନା କାହିଁକି ବିଜେପି ଯେ, ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି, ଏହାକୁ ଅସ୍ବୀକାର କରିହେବନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର