ରାଜ୍ୟ

ବିକ୍ରି ହେବ ଆଧୁନିକ ମେଟାଲିକ୍ସ! ୧୭୦୦ କୋଟିରେ ବିକିବ ଲିବର୍ଟି ହାଉସ୍‌

ରାଉରକେଲା: ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଚାର୍ଡିହରିହରପୁରସ୍ଥ ଆଧୁନିକ ମେଟାଲିକ୍ସ କାରଖାନା ବିକ୍ରି ହେବାକୁ ଯାଉଛି। କ୍ଷତିର ଆଳ ଦେଖାଇ ବନ୍ଦ ହୋଇଯାଇଥିବା ଆଧୁନିକ ମେଟାଲିକ୍ସକୁ କିଣିଥିବା ଲିବର୍ଟି ହାଉସ୍‌ ଏବେ କାରଖାନା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ପାଇଁ ସଉଦା ଅଟକି ରହିଥିଲାବେଳେ ଭୋଟ ପରେପରେ ଏହାକୁ ବିକ୍ରି କରିବାକୁ ସ୍ଥିର ହୋଇଛି। ସ୍ପଞ୍ଜ ଆଇରନ୍, ଷ୍ଟିଲ୍ ଓ ଫେରୋକ୍ରୋମ୍ ପ୍ରସ୍ତୁତ ହେଉଥିବା ଏହି ବଡ଼ କାରଖାନାକୁ ମାତ୍ର ୩ ବର୍ଷ ଚଳାଇବା ପରେ ଆଧୁନିକ ମେଟାଲିକ୍ସ ପରି ସମାନ ପନ୍ଥା ଆପଣାଇବାକୁ ଯାଉଛି ଲିବର୍ଟି ହାଉସ୍‌। ୪୨୦ କୋଟି ଟଙ୍କାରେ କିଣିଥିବା କାରଖାନାକୁ ୧୭୦୦ କୋଟି ଟଙ୍କାରେ ବିକିବାକୁ ଲିବର୍ଟି ହାଉସ୍‌ କର୍ତ୍ତୃପକ୍ଷ ମସୁଧା ଚଳାଇଛନ୍ତି। ରୁଙ୍ଗଟା, ପଶ୍ଚିମବଙ୍ଗର ରଶ୍ମି ଷ୍ଟିଲ ଲିମିଟେଡ୍‌, ଶ୍ରୀ ଗଣେଶ ପ୍ରାଇଭେଟ୍‌ ଲିମିଟେଡ୍‌ ପରି ଦେଶର ୫ରୁ ଅଧିକ ବଡବଡ଼ କମ୍ପାନି କାରଖାନା କିଣିବାକୁ ଆଗ୍ରହ ଦେଖାଇଥିବା କାରଖାନାରେ କାର୍ଯ୍ୟରତ କର୍ମଚାରୀମାନେ କହିଛନ୍ତି। ହେଲେ ଲିବର୍ଟି ହାଉସ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଲିବର୍ଟି କର୍ତ୍ତୃପକ୍ଷ କାରଖାନାକୁ ୪ ଗୁଣା ଅଧିକ ଦାମ୍‌ରେ ବିକ୍ରି କରିବାକୁ ଆପାତତଃ ‌ଯୋଜନା ପ୍ରସ୍ତୁତ କରିସାରିଛି। କାରଖାନା ବିକ୍ରି ହେବା କଥା ଶୁଣିବା ପରେ ଆଧୁନିକ ମେଟାଲିକ୍ସରେ କାର୍ଯ୍ୟରତ କର୍ମଚାରୀଙ୍କ ଚିନ୍ତା ବଢ଼ିଯାଇଛି। କାରଣ ୧୧୦୦ କର୍ମଚାରୀଙ୍କ ଗତ ୩ ବର୍ଷର ବକେୟା ପାଉଣା ବାବଦରେ ୫୦ କୋଟିରୁ ଅଧିକ ଟଙ୍କା ବାକି ପଡ଼ିଛି। ଆଜି ପର୍ଯ୍ୟନ୍ତ କର୍ମଚାରୀମାନେ ଟଙ୍କାଟିଏ ବି ବକେୟା ପାଉଣା ପାଇନାହାନ୍ତି।

ଯାହା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି। ସେପଟେ ଯଦି ନୂଆ କମ୍ପାନି ପୁରୁଣା କର୍ମଚାରୀଙ୍କୁ ପୁନଃନିଯୁକ୍ତି ନକରେ ତା’ହେଲେ, ‌ଆଧୁନିକ ମେଟାଲିକ୍ସ ପରି ବଡଧରଣ ଆନ୍ଦୋଳନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଆଧୁନିକ ମେଟାଲିକ୍ସ ୨୦୦୩ରେ କାରଖାନା ପ୍ରତିଷ୍ଠା କରିଥିଲା। ସେତେବେଳେ ସ୍ଥାୟୀ ଓ ଅସ୍ଥାୟୀ ପ୍ରାୟ ୫ ହଜାରରୁ ଅଧିକ କର୍ମଚାରୀ କାମ କରୁଥିଲେ। ୧୨୮ ଏକର ଜାଗାରେ କାରଖାନା ଗଢ଼ି ଉଠିଥିଲା। କାରଖାନାକୁ ଯେତିକି ଜାଗା ମିଳିଥିଲା କମ୍ପାନି ତା’ର ୩୦% ଅର୍ଥାତ୍‌ ପ୍ରାୟ ୪୦ ଏକରୁ ଅଧିକ ସରକାରୀ ଓ ଘରୋଇ ଜମିକୁ ମାଡ଼ିବସିଛି। କେବଳ ଏତିକି ନୁହେଁ ଆଧୁନିକ ମେଟାଲିକ୍ସ ରାଉରକେଲା ସିଭିଲଟାଉସିପ୍‌ରେ ଆଧୁନିକ ମେଟାଲିକ୍ସ ରିସର୍ଚ୍ଚ ସେଣ୍ଟର ନାଁରେ ଲ୍ୟାଣ୍ଡ ଆଲଟମେଣ୍ଟ କମିଟି (ଏଲ୍‌ଏସି)ରୁ ୧ ଏକର ମୂଲ୍ୟବାନ ଜମି ହାତେଇନେଇଛି।

ମାଲିକ ୮ ବର୍ଷ ପୂର୍ବରୁ ଛାଡି ଚାଲି ଯାଇଥିଲେ ହେଁ ସିଭିଲଟାଉସିପ୍‌ର ୮୦ କୋଟିର ମୂଲ୍ୟବାନ ଜମି ଏଲ୍‌ଏସିକୁ ଫେରୁନି। ୨୦୦୩ରୁ କାର୍ଯ୍ୟକ୍ଷମ ଆଧୁନିକ ମେଟାଲିକ୍ସ ୨୦୧୭ ମେ’ରେ ବନ୍ଦ ହୋଇ ଯାଇଥିଲା। ସେତେବେଳେ କାରଖାନାରେ କାମ କରୁଥିବା ପ୍ରାୟ ୧୨୦୦ରୁ ଅଧିକ ସ୍ଥାୟୀ ଶ୍ରମିକ ଜୀବିକା ହରାଇଥିଲେ। ୨୦୨୦ ମାର୍ଚ୍ଚରେ ଲିବର୍ଟି ହାଉସ୍‌ କାରଖାନାକୁ କିଣିଥିଲା। ଲିବର୍ଟି ହାଉସ୍‌ କାରଖାନା ନେବା ପରେ ସମ୍ପ୍ରସାରଣ ନାଁରେ ପ୍ରାୟ ୪୦ ଏକର ସରକାରୀ ଜାଗାକୁ ନିଜ କବ୍‌ଜାକୁ ନେଇ ପାଚେରି ନିର୍ମାଣ କରିଥିଲା। ଯାହାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ କଡ଼ା ବିରୋଧ କରିଥିଲେ। ବାଧ୍ୟ ହୋଇ କାରଖାନା କର୍ତ୍ତୃପକ୍ଷ ପାଚେରି ନିର୍ମାଣ କାମ ଅଧାରୁ ବନ୍ଦ କରି ଦେଇଥିଲେ। ଏବେ ଲିବର୍ଟି ହାଉସ୍‌ କାରଖାନା ସହ ଉକ୍ତ ବେଆଇନ ଜବଦରଖଲ ଜାଗାକୁ ବି ବିକ୍ରି କରିବା ଯୋଜନା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।