ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ୮୧ ଶବକୁ ୯୦ ଦାବିଦାର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ୮୧ ମୃତକଙ୍କୁ ନିଜର କହୁଛନ୍ତି ୯୦ ଜଣ ବ୍ୟକ୍ତି। ମୃତକଙ୍କ ମଧ୍ୟରୁ କେବଳ ୪ଜଣଙ୍କୁ ଛାଡ଼ିଦେଲେ କାହାର ଚେହେରା ସ୍ପଷ୍ଟ ଜଣାପଡ଼ୁନାହିଁ। ଜଣେ ଜଣେ ପରିଜନଙ୍କୁ ଏକାଧିକ ଜଣ ନିଜର କହୁଛନ୍ତି ସତ କିନ୍ତୁ ଏଭଳି କେହିନାହାନ୍ତି, ଯିଏ କାହାର ନୁହନ୍ତି ବୋଲି ଜଣାପଡ଼ୁନି। ଅର୍ଥାତ୍‌ ପରିଚୟ ନଥିବା ପରିତ୍ୟକ୍ତ ଶବ ବୋଲି କାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇ ନଥିବା ଜିଆରପି ପକ୍ଷରୁ କୁହାଯାଇଛି। ଏଣେ କିନ୍ତୁ ଦିଲ୍ଲୀ ଯାଇଥିବା ୯୦ ରକ୍ତ ନମୁନାର ଡିଏନଏ ରିପୋର୍ଟ ଆସୁ ନଥିବାରୁ ଅନିଶ୍ଚିତତା ଦୂର ହୋଇପାରୁନି। ଏଥିଯୋଗୁଁ ମୃତକଙ୍କ ସମ୍ପର୍କୀୟଙ୍କ ଅପେକ୍ଷା କଷ୍ଟ ବଢ଼ିବାରେ ଲାଗିଛି।

କଣ୍ଟେନର୍‌ର ବିଯୁକ୍ତ ୧୮ ଡିଗ୍ରି ତାପମାତ୍ରାରେ ଏମ୍‌ସରେ ସଂରକ୍ଷିତ ହୋଇ ରହିଥିବା ୮୧ ମୃତକ ଶରୀରକୁ ତାଙ୍କ ପରିବାର ଆଜି ବି ଅପେକ୍ଷା କରି ରହିଛନ୍ତି। ଜୁନ ୪ ତାରିଖ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଶରୀର ଏଠିକୁ ଅଣାଯିବା ପରେ ପ୍ରଥମ ୬ ଦିନ ଯେଉଁଭଳି କରୁଣ ଦୃଶ୍ୟ ରହିଥିଲା, ସେ ସ୍ଥିତି ଆଉ ନାହିଁ। ବୁଢ଼ା ବାପା, ମା’ ନିଜ ଯୁବକ ପୁଅ, ଅଚାନକ ଅନାଥ ହୋଇଯାଇଥିବା ବାଳୁତ ଛୁଆଟି ନିଜ ବାପା କିମ୍ବା ସ୍ବାମୀଙ୍କୁ ଖୋଜୁଥିବା ମହିଳା ଏଠାରେ ନାହାନ୍ତି। ନିଜ ସାଙ୍ଗକୁ ନ ପାଇ ସରକାରଙ୍କୁ ବି କେହି ଗାଳି ଦେଉନାହାନ୍ତି। ଖବର ପ୍ରସାରଣ ପାଇଁ ଗଣମାଧ୍ୟମ କିମ୍ବା ସ୍ବେଚ୍ଛାସେବୀଙ୍କ ଭିଡ଼ ନାହିଁ। ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିନିଧିଦଳ ଘରକୁ ଫେରିଗଲେଣି। ବିଏମସି, ରେଳବାଇ ଏବଂ ରେଳବାଇ ପୁଲିସ ପ୍ରତିନିଧିଦଳ ବର୍ତ୍ତମାନ ମଧ୍ୟ ଏମସ ପରିସରରେ ଉପସ୍ଥିତ ଅଛନ୍ତି। ସିବିଆଇ ଏହି ମାମଲାର ତଦନ୍ତ କରୁଥିବାରୁ ସିବିଆଇ ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ରହୁଛନ୍ତି। ଏକାଡେମିକ ବ୍ଲକ ବାହାରେ କମ୍ପ୍ୟୁଟର ସ୍କ୍ରିନ୍‌ରେ ମୃତକଙ୍କ ଫଟୋଚିତ୍ର ବିଏମସି ଆଉ ଦେଖାଉନାହିଁ। ପରିଜନ ଆସୁନଥିବାରୁ ୩ ବିଭାଗର କର୍ମଚାରୀ ଏମ୍‌ସ ପକ୍ଷରୁ ଦିଆଯାଇଥିବା କୋଠରିରେ ବସୁଛନ୍ତି। କୌଣସି ପରିଜନ ଆସିଲେ, ତାଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି।

ଏମ୍‌ସ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, କଣ୍ଟେନର୍‌ରେ ରଖାଯିବା ପର୍ଯ୍ୟନ୍ତ ମୃତ ଶରୀର ଯାହା ଯେତିକି ଖରାପ ହୋଇଥିଲା, ବର୍ତ୍ତମାନ ଆଉ ବେଶି ଖରାପ ହୋଇନାହିଁ କି ମାତ୍ରାଧିକ ଦୁର୍ଗନ୍ଧ ମଧ୍ୟ ବାହାରୁନାହିଁ। ମଝିମଝିରେ ଡାକ୍ତର ଶବର ସ୍ଥିତି ଦେଖୁଛନ୍ତି। ଏଥିରେ ଆଉ ଫର୍ମାଲିନ ବୋଳିବାର ମଧ୍ୟ ଆବଶ୍ୟକତା ପଡ଼ୁନାହିଁ। ବାହାନଗା ରେଳ ଦୁର୍ଘଟଣା ଯେତେ ବଡ଼ ମାନବୀୟ ବିପର୍ଯ୍ୟୟ ସୃଷ୍ଟି କଲା, ତାହାର ତ ଭରଣା ହୋଇପାରିବ ନାହିଁ, କିନ୍ତୁ ଏତେ ଦିନ ପରେ ମଧ୍ୟ ଏତେସଂଖ୍ୟକ ପରିବାରଙ୍କୁ ତାଙ୍କ ପରିଜନଙ୍କ ମରଶରୀର ନ ମିଳିବାଠାରୁ ଦୁର୍ଭାଗ୍ୟଜନକ କ’ଣ ଥାଇପାରେ ବୋଲି ପ୍ରଶ୍ନ କରାଯାଉଛି। ଡିଏନ୍‌ଏ ରିପୋର୍ଟ ଶୀଘ୍ର କିଭଳି ଆସିବ, ସେଥିପାଇଁ ସବୁସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।