କଟକ : ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତିରେ ହୋଇଥିବା ଆଖିବୁଜା ଦୁର୍ନୀତିର ଚେର କେଉଁଠି? ଗୋଟିଏପଟେ ମୋଟ୍ କାମର ସିଂହଭାଗ ଯେଉଁ ୩/୪ ଜଣଙ୍କୁ ବଣ୍ଟା ଯାଇଛି, ସେମାନେ ନିର୍ଦ୍ଦିଷ୍ଟ ଭାବେ ବିଜେଡିର ଜଣେ କର୍ପୋରେଟର ଓ ଆର୍ ଆଣ୍ଡ୍ ବିରେ କାର୍ଯ୍ୟରତ ତାଙ୍କର ଏହି ଇଂଜିନିୟର ସ୍ବାମୀଙ୍କ ସଂପର୍କୀୟ। ଏହାକୁ ନେଇ ଘଣ୍ଟାଚକଟା ଆରମ୍ଭ ହୋଇଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କର୍ପୋରେଟର୍ଙ୍କ ଇଞ୍ଜିନିୟର୍ ସ୍ବାମୀଙ୍କ ପ୍ରତି ଅନୁକମ୍ପା ଦେଖାଇବା ପାଇଁ ପୂର୍ତ୍ତ ବିଭାଗ ୩୫ଦିନରେ ୩ଥର ବିଜ୍ଞପ୍ତି ପ୍ରକାଶ କରିଛି। ଇଞ୍ଜିନିୟର୍ଙ୍କ ପାଇଁ ୩ଥର ବିଜ୍ଞପ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟରେ ଦୁର୍ନୀତି ତମାମ ଘଟଣାକୁ ସନ୍ଦେହଘେରକୁ ଟାଣିଆଣିଛି।
୧୬ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇଙ୍କ ପତ୍ନୀ ଓ ତାଙ୍କ ଅନ୍ୟ ଦୁଇ ସଂପର୍କୀୟ ସବୁଠୁ ଅଧିକ କାମ ପାଇଥିବା ବେଳେ ଏବେ ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ଅକ୍ଷୟ କୁମାର ବେହେରା ଆର ଆଣ୍ଡ ବି (ପୂର୍ତ୍ତ) କଟକ ସବଡିଭିଜନ୍-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏପଟେ ଲକ୍ଷ୍ମୀପ୍ରିୟା ଶାସକ ବିଜେଡିର କର୍ପୋରେଟର ହୋଇଥିବା ବେଳେ ତାଙ୍କ ସ୍ବାମୀ ଇଂଜିନିୟର ଅକ୍ଷୟ କୁମାର ବେହେରାଙ୍କ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମାତ୍ର ୩୫ ଦିନରେ ୩ଟି ବିଜ୍ଞପ୍ତି ଜାରି କରାଯାଇଛି।
୨୯ ସେପ୍ଟେମ୍ବର, ୨୦୨୨ରେ ପ୍ରକାଶ ପାଇଥିବା ପ୍ରଥମ ବିଜ୍ଞପ୍ତିରେ ଶ୍ରୀ ବେହେରା ସହକାରୀ ଯନ୍ତ୍ରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ଏଥିରେ ତାଙ୍କୁ ପଦୋନ୍ନତି ସହ କଟକରୁ ଭୁବନେଶ୍ବର କେନ୍ଦ୍ରୀୟ ସର୍କଲକୁ ଏଇଇ (ଏଷ୍ଟିମେଟର) ଭାବେ ବଦଳି କରାଯାଇଥିଲା। କିନ୍ତୁ, ପୂର୍ତ୍ତ ବିଭାଗର ଦ୍ବିତୀୟ ବିଜ୍ଞପ୍ତି ୨୭ ଅକ୍ଟୋବର, ୨୦୨୨ରେ ପ୍ରକାଶ ପାଇଥିଲା ଏବଂ ଏହି ବିଜ୍ଞପ୍ତିରେ ଇଂଜିନିୟର ବେହେରା କଟକ ଆର ଆଣ୍ଡ ବି ଡିଭିଜନ୍-୧ରେ ଏଇଇ (ସି) ଭାବେ ରହି ଆଡଭୋକେଟ୍ ଜେନେରାଲଙ୍କ ଅଫିସ କୋଠା ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାର ମାତ୍ର ୬ ଦିନ ପରେ ପୂ୍ର୍ତ୍ତ ବିଭାଗ ଆଉ ଏକ ସଂଶୋଧିତ ବିଜ୍ଞପ୍ତି ୨ ନଭେମ୍ବର, ୨୦୨୨ରେ ଜାରି କଲା। ଏଥିରେ ଶ୍ରୀ ବେହେରା କଟକ ଆର ଆଣ୍ଡ ବି ଡିଭିଜନ୍-୧ରେ ଏଇଇ ଭାବେ ରହି ଆଡଭୋକେଟ୍ ଜେନେରାଲଙ୍କ ଅଫିସ କୋଠା ନିର୍ମାଣ କାର୍ଯ୍ୟ ଶେଷ ହେବାପର୍ଯ୍ୟନ୍ତ ଅନୁଧ୍ୟାନ କରିବେ ବୋଲି ନିର୍ଦ୍ଦେଶ ଜାରି କରାଗଲା।
ପତ୍ନୀ ଶାସକ ଦଳ ବିଜେଡିର ଜଣେ କର୍ପୋରେଟର ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କୁ କଟକରେ ଏଇଇ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେବାସହ ପାଖାପାଖି ୩ଟି ବିଜ୍ଞପ୍ତି ପୂର୍ତ୍ତ ବିଭାଗ ଜାରି କରିବା ଆଦୌ ସନ୍ଦେହରୁ ଉର୍ଦ୍ଧ୍ବରେ ନୁହେଁ। ଏଭଳି ପ୍ରଭାବ ଥିବା ଯନ୍ତ୍ରୀ-କର୍ପୋରେଟରଙ୍କ ସଂପର୍କୀୟଙ୍କୁ କାମର ସିଂହଭାଗ ବିନା ଟେଣ୍ଡରରେ ମିଳିବା ଘଟଣା ଏବେ ସହଜରେ ହଜମ ନହେବା ସ୍ବାଭାବିକ।
ଅନ୍ୟପଟେ ସେହି ବାଲିଯାତ୍ରା ପଡିଆ ଭିତ୍ତିଭୂମି ପ୍ରସ୍ତୁତିର ଅନ୍ୟ କାର୍ଯ୍ୟରେ ବି ଆର ଆଣ୍ଡ ବି ସଂପୃକ୍ତ ରହିଛି। ପୂର୍ବରୁ ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ ପାଇଁ ଯେଉଁ ଅଞ୍ଚଳରେ ଆର ଆଣ୍ଡ ବି ଜରିଆରେ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହୋଇ ସାଇକେଲ୍ ଷ୍ଟାଣ୍ଡ ପ୍ରସ୍ତୁତ କରାଯାଇଥିଲା, ସେହି ଅଞ୍ଚଳରେ ବାଲିଯାତ୍ରା ଆୟୋଜନ ପାଇଁ ବିଭିନ୍ନ କାର୍ଯ୍ୟରେ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏସବୁ ଘଟଣା ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଟାଣି ନେଇଛି।
ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ କଟକ ପୌର ନିଗମ ପକ୍ଷରୁ ଦିଆଯାଇଥିବା ଏଭଳି କାର୍ଯ୍ୟାଦେଶର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍। ସେହିଭଳି, କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ସ୍ବତନ୍ତ୍ର ଅଡିଟ ଆଉ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ ଘଟଣାର ସିବିଆଇ ତଦନ୍ତ ହେଲେ ହୁଏତ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ମତ ଦେଇଛନ୍ତି। କଂଗ୍ରେସର ମେୟର ପ୍ରାର୍ଥୀ ଥିବା ପୂର୍ବତନ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଆସନ୍ତାକାଲି ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ଯାଇ ଦାବିପତ୍ର ଦେବେ ବୋଲି ସୂଚନା ଦେଇଛନ୍ତି।
ଆରମ୍ଭ ହୋଇଥିବା ଘଣ୍ଟାଚକଟା ଭିତରେ ପ୍ରସଙ୍ଗକୁ ନେଇ ଧୀରେ ଧୀରେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି। ବିନା ଟେଣ୍ଡରରେ ଯେଉଁ ଠିକାଦାର ଅଥବା ବ୍ୟକ୍ତିବିଶେଷ କାମ ହାତେଇଛନ୍ତି, ସେମାନଙ୍କୁ ବାସ୍ତବରେ କେଉଁ ଯୋଗ୍ୟତା ଆଧାରରେ ଚୟନ କରାଗଲା, ତାହା ହିଁ ବିବାଦର ମୂଳ ପ୍ରସଙ୍ଗ ହୋଇଛି।