ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିଯାତ୍ରାରେ ମଧୁ ମଞ୍ଚ ବନ୍ଦ: ଅଧିକ ଟଙ୍କା ପାଇଁ ନିଲାମ କରି ଦେଲେ ଜାଗା!

କଟକ: ଅଧିକ ଦରରେ ବ୍ୟବସାୟୀଙ୍କୁ ଜାଗା ନିଲାମରେ ଦେବେ ବୋଲି ମଧୁ ମଞ୍ଚ ଆୟୋଜନକୁ ବନ୍ଦ କରି ଦେଲେ? ୧୯୯୫ରୁ ପ୍ରତିବର୍ଷ ବାଲିଯାତ୍ରା ପଡ଼ିଆରେ ଉତ୍କଳ ସମ୍ମିଳନୀ ମହାନଗର ଶାଖା ପକ୍ଷରୁ ପ୍ରସ୍ତୁତ ହେଉଥିବା ମଧୁ ମଞ୍ଚ ଏଥର ବନ୍ଦ ହୋଇଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଗଠନ ମୂଳକ ପ୍ରତିଯୋଗିତା ଏହି ମଞ୍ଚ ଜରିଆରେ ଆୟୋଜନ ହୋଇ ଆସୁଥିବା ବେଳେ ତାହା ଏଥର ବନ୍ଦ ହୋଇଯାଇଛି। ଏହାକୁ ନେଇ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ କେବଳ କ୍ଷୋଭ ପ୍ରକାଶ ପାଇନାହିଁ, ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ସୂଚନା ମିଳିଛି।

ବାଲିଯାତ୍ରା ହେଉଛି ରାଜ୍ୟର ସର୍ବବୃହତ ବାଣିଜ୍ୟିକ ମେଳା। କିନ୍ତୁ ଏହି ମେଳା ସହିତ ଇତିହାସ, ସଂସ୍କୃତି ଓ ପରଂପରା ଜଡ଼ିତ। ବ‌ର୍ଷକୁ ବ‌ର୍ଷ ବାଲିଯାତ୍ରାର କଳେବର ବଢ଼ିବାରେ ଲାଗିଛି। କିନ୍ତୁ ବାଲିଯାତ୍ରାର ସଂପ୍ରସାରଣ ଆଳରେ ପ୍ରଶାସନ ଏବେ ଏଭଳି କିଛି ନିଷ୍ପତ୍ତି ନେଇ ଚାଲିଛି, ଯାହାକି ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି। ୧୯୯୫ରେ ବାଲିଯାତ୍ରା ମହାନଦୀ ପଠା ତଳ ପଡ଼ିଆକୁ ସଂପ୍ରସାରିତ ହୋଇଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସିଧାସଳଖ ଭାବେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦେଇ ବିଭିନ୍ନ ନୀତିଗତ ନିଷ୍ପତ୍ତିକୁ ପ୍ରୋତ୍ସାହିତ କରିଥିଲେ। ସେହି ସମୟରେ ବାଲିଯାତ୍ରା ତଳ ପଡ଼ିଆରେ ପ୍ରଶାସନ ପକ୍ଷରୁ ସ୍ଥାୟୀ ସାଂସ୍କୃତିକ ମଞ୍ଚ ପ୍ରସ୍ତୁତ କରାଯାଇ ତାହାକୁ ବୈଷ୍ଣବ ପାଣି ମଂଚ ନାମରେ ନାମିତ କରାଯାଇଥିଲା। ଏହା ସହିତ ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁ ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ବାଲିଯାତ୍ରା ତଳ ପଡ଼ିଆର ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତି ବର୍ଷ ମଧୁ ମଞ୍ଚ ପାଇଁ ପ୍ରଶାସନ ଜାଗା ଦେଇ ଆସୁଥିଲା। ବାଲିଯାତ୍ରାକୁ ଉଦ୍‌ଘାଟନ କରୁଥିବା ଅତିଥିମାନେ ଏହି ଦୁଇଟି ମଞ୍ଚକୁ ଉଦଘାଟନ କରିବାର ପରଂପରା ୧୯୯୫ରୁ ଗଡ଼ି ଆସୁଥିଲା। କୋଭିଡ୍ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ବାଲିଯାତ୍ରା ଆୟୋଜନ ବନ୍ଦ ରହିଥିଲା। କିନ୍ତୁ ୨୦୧୯ ପର୍ଯ୍ୟନ୍ତ ପ୍ରଶାସନ ବିନା ମୂଲ୍ୟରେ ଉତ୍କଳ ସମ୍ମିଳନୀକୁ ମଧୁ ମଞ୍ଚ ପାଇଁ ଜାଗା ଦେଇ ଆସୁଥିଲା। ୨୦୨୨ରେ ପ୍ରଶାସନ ପ୍ରାୟୋଜକ ବ୍ୟବସ୍ଥା କରି ଯେତେବେଳେ ଅଧିକ ମୂଲ୍ୟରେ ଜାଗା ନିଲାମ କରିବା ପଦକ୍ଷେପ ନେଲା, ସେହିଠାରୁ ବିବାଦର ସୂତ୍ରପାତ ହେଲା। ବର୍ଷ ବର୍ଷ ଧରି ମଧୁ ମଞ୍ଚ ଯେଉଁ ସ୍ଥାନରେ ଆୟୋଜନ ହୋଇ ଆସୁଥିଲା, ତାହାକୁ ୨୦୨୨ରେ ଅନ୍ୟ ବ୍ୟବସାୟୀଙ୍କୁ ଅଧିକ ମୂଲ୍ୟରେ ନିଲାମ ଦେଇ ଦିଆଗଲା। ଏହାର ପ୍ରତିବାଦରେ ୨୦୨୨ରେ ମାମଲା ହାଇକୋର୍ଟରେ ପହଞ୍ଚି ଥିଲା।

କୋର୍ଟଙ୍କ ହସ୍ତକ୍ଷେପ ପରେ ତଳ ପଡ଼ିଆର ଅନ୍ୟ ଏକ ସ୍ଥାନରେ ମଧୁ ମଂଚ ପାଇଁ ଜାଗା ଯୋଗାଇ ଦିଆଗଲା। କିନ୍ତୁ ଚଳିତ ବର୍ଷ ସମସ୍ୟା ଆହୁରି ଗୁରୁତର ହେଲା। ୨୦୧୯ ଯାଏ ମଧୁ ମଞ୍ଚ ଯେଉଁ ସ୍ଥାନରେ ହେଉଥିଲା, ତାହାକୁ ତ ଦିଆଗଲା ନାହିଁ, ୨୦୨୨ରେ ଯେଉଁ ସ୍ଥାନରେ ମଧୁ ମଂଚ ହୋଇଥିଲା, ତାହାକୁ ବି ନିଲାମ ଆକାରରେ ଅନ୍ୟ ସଂସ୍ଥାଙ୍କୁ ଦେଇ ଦିଆଗଲା। ଏହାକୁ ନେଇ ପ୍ରତିବାଦ ହେବାରୁ ଉପ ଜିଲ୍ଲାପାଳଙ୍କ ତରଫରୁ ଉତ୍କଳ ସମ୍ମିଳନୀ ମହାନଗର ଶାଖାକୁ ଏକ ଚିଠି ଲେଖି ଜାଗା ମିଳିବ ବୋଲି କୁହାଗଲା। କିନ୍ତୁ କର୍ମକର୍ତ୍ତାମାନେ ପଡ଼ିଆକୁ ଗଲା ବେଳେ ସେମାନଙ୍କୁ ଏମିତି ଏକ ସ୍ଥାନ ଦିଆଗଲା, ଯେଉଁଠି ମଧୁମଂଚ ଆୟୋଜନର କୌଣସି ଅର୍ଥ ହିଁ ନଥିଲା। ଏଭଳି ଘଟଣାର ପ୍ରତିବାଦରେ ଉତ୍କଳ ସମ୍ମିଳନୀ ମହାନଗର ଶାଖା ଆଉ ମଂଚ ପ୍ରସ୍ତୁତ କରି ନଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ଦାୟର କରିଥିବା ସୂଚନା ମିଳିଛି।

ଏ ସଂପର୍କରେ ସଂଗଠନର ମହାନଗର ଶାଖା ସଭାପତି ସରୋଜ ସିଂହ କହିଛନ୍ତି ଯେ ଯେଉଁଭଳି ଢଙ୍ଗରେ ଜାଗା ନିଲାମ ଆଳରେ ବାଲିଯାତ୍ରାର ସଂସ୍କୃତି, ପରଂପରାକୁ ବଳି ଦେବାକୁ ପ୍ରଶାସନ ଉଦ୍ୟମ କରୁଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ଆମେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛୁ। ଏହା କେବଳ ଚଳିତ ବର୍ଷର ପ୍ରସଙ୍ଗ ନୁହେଁ। ବାଲିଯାତ୍ରା ସହ ଜଡ଼ିତ ବିଭିନ୍ନ ଐତିହାସିକ ଓ ସାଂସ୍କୃତିକ ସଂଗଠନ ଏହା ଦ୍ବାରା ହାଇକୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା ରଖି ଆମେ ଅଦାଲତଙ୍କ ଦ୍ବାରସ୍ଥ ହୋଇଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।