ମୁମ୍ବାଇ ୦୯।୧୦: କିଛି ଦିନର ବ୍ରେକ୍ ପରେ ବଲିଉଡ୍କୁ ଫେରିଛନ୍ତି ଲରେନ୍ ଗୋଟଲିବ୍ । ବ୍ରେକ୍ ସମୟରେ ସେ ନିଜ ଘର ଆମେରିକା ଚାଲିଯାଇଥିଲେ । ଜଣେ ନୃତ୍ୟଶିଳ୍ପୀ ଭାବେ ପରିଚିତ ଲରେନ୍ ‘ଏବିସିଡି’ ଫିଲ୍ମ ଜରିଆରେ ବଡ଼ ପରଦାରେ ନଜର ଆସିଥିଲେ । ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା’ରେ ବି ସ୍କ୍ରିନ୍ ଶେୟାର କରିଥିଲେ । ନିକଟରେ ସେ ଆମେରିକାରେ ରହି ଅଭିନୟରେ ତାଲିମ ନେଇଛନ୍ତି। ଏବେ ବଲିଉଡ୍ରେ ଏକ ନୂଆ ପ୍ରୋଜେକ୍ଟରେ ସେ ସାମିଲ ହୋଇଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ସହ ତା’ର ମଜାଦାର ସମ୍ପର୍କ ରହିଛି ।
ପ୍ରୋଜେକ୍ଟ ବିଷୟରେ ଲରେନ୍ କହିଛନ୍ତି, ଏହି ଫିଲ୍ମରେ ମୋତେ ଅଭିନୟର ସୁଯୋଗ ମିଳିଛି, ଯାହା ମୁଁ ଦୀର୍ଘ ସମୟ ଧରି କରିବାକୁ ଚାହୁଁଥିଲି । ଏହା ଏକ ପାରିବାରିକ ମନୋରଞ୍ଜନଧର୍ମୀ ଫିଲ୍ମ । ଲଣ୍ଡନରେ ମୁଁ ଏହାର ସୁଟିଂ କରିଛି । ଫିଲ୍ମରେ ନିଜ ଚରିତ୍ର ନିର୍ବାହ କରିବା ପାଇଁ ମୋତେ ବ୍ରିଟିଶ ବୋଲୀ ଶିଖିବାକୁ ପଡ଼ିଥିଲା । ଲରେନ୍ ଫିଲ୍ମରେ ଜଣେ ଫଟୋଗ୍ରାଫର୍ ଭୂମିକା ନିର୍ବାହ କରିଛନ୍ତି । ଏଥିପାଇଁ ବ୍ରିଟେନ ସ୍ଥିତ ତାଙ୍କ ପୁରୁଷ ବନ୍ଧୁ ଫଟୋଗ୍ରାଫର୍ ତୋବିଆସ୍ ଜୋନ୍ସଙ୍କଠାରୁ ସେ କିଛି ଟିପ୍ସ ନେଇଛନ୍ତି ।
ଲରେନ୍ ଜଣେ ପେସାଦାର ନୃତ୍ୟଶିଳ୍ପୀ । କିନ୍ତୁ ଅପ୍କମିଙ୍ଗ ଫିଲ୍ମ ତାଙ୍କୁ ଜଣେ ଅଭିନେତ୍ରୀ ରୂପେ ପରଦାକୁ ଆସିବାର ସୁଯୋଗ ଦେଇଛି । ବ୍ରେକ୍ ପରେ ବଲିଉଡ୍କୁ ଫେରିବା ବିଷୟରେ ସେ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତରୁ କିଛି ପ୍ରୋଜେକ୍ଟ ଲାଗି ତାଙ୍କ ପାଖକୁ ଫୋନ୍ ଆସିଲା । ଆମେରିକାରେ ଅଭିନୟ ଶିକ୍ଷା ଗ୍ରହଣ କରିବା ପରେ ମୁମ୍ବାଇରେ କାମ କରିବାର ସୁଯୋଗ ପାଇ ସେ ବହୁତ ଖୁସି ଅଛନ୍ତି । ୨୦୦୦ ମସିହାରେ ଲରେନ୍ଙ୍କ କ୍ୟାରିଅର୍ ଆମେରିକାରେ ଆଗକୁ ବଢୁଥିବାବେଳେ ସେ ଭାରତ ଚାଲିଆସିଥିଲେ ।

