ରାଜ୍ୟ ସ୍ପେଶାଲ ରିପୋର୍ଟ

ବଲାଙ୍ଗୀର ରାଜନୀତି ଚିତ୍ର ବଦଳିଲା: ସକ୍ରିୟ ରାଜନୀତିକୁ ଫେରିଲେ ମନ୍ମଥ

ବଲାଙ୍ଗୀର : ଆସନ୍ତା ସାଧାରଣ ନିର୍ବାଚନରେ ବଲାଙ୍ଗୀର କିଏ କେଉଁ ଆସନରୁ ଟିକଟ ପାଇବେ? କାହାର ଟିକଟ କଟିବ ଆଉ କେଉଁ ଆସନରୁ ନୂଆ ଚେହେରା ସାମ୍ନାକୁ ଆସିବେ? ରାଜନୀତିର ଲୁଡ଼ୁପାଲିରେ, କିଏ ଶିଡ଼ି ଚଢ଼ିବ ଓ ଆଉ କିଏ ସାପ ମୁହଁରେ ପଡ଼ିବ? ଏସବୁକୁ ନେଇ ବିଭିନ୍ନ ଏବେଠାକୁ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ଠିକ୍ ଏମିତି ସମୟରେ ବଲାଙ୍ଗୀର ବିଜେଡିର ପାଣିପାଗ ବଦଳୁଥିବା ଲକ୍ଷ୍ୟ କରାଯାଉଛି। ହଠାତ୍‌ ସାମ୍ନାକୁ ଆସିଛନ୍ତି ରାଜ ପରିବାରର ପୁରୁଣା ଚେହେରା ମନ୍ମଥ ବିଜୟ ସିଂହଦେଓ।

ପୂର୍ବତନ ମନ୍ତ୍ରୀ ତଥା ପଟ୍ଟାୟତ ରାଜା ଅନଙ୍ଗ ଉଦୟ ସିଂହଦେଓ ପ୍ରଥମେ ନିଜର ଉତ୍ତରାଧିକାରୀ ଭାବରେ ମଝିଆଁ ପୁଅ ମନ୍ମଥ ସିଂହଦେଓଙ୍କୁ ରାଜନୀତି ମୈଦାନକୁ ଆଣିଥିଲେ। ମନ୍ମଥ ବି ଅଞ୍ଚଳ ବୁଲୁଥିଲେ, ଲୋକଙ୍କ ସହିତ ମିଶୁଥିଲେ। କେବଳ ସେତିକି ନୁହେଁ, ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଠତା କାହାକୁ ଅଛପା ନାହିଁ। କିନ୍ତୁ ହଠାତ୍‌ ବଡ଼ପୁଅ କଳିକେଶ ନାରାୟଣ ସିଂହଦେଓ ସଇଁନ୍ତଳାରୁ ଟିକଟ ପାଇ ବିଧାୟକ ହେଲେ। ପରେ ସାଂସଦ ବି। ଅନ୍ୟପଟରେ ବଲାଙ୍ଗୀର ରାଜନୀତିରୁ ଉଭେଇ ଯାଇଥିଲେ ମନ୍ମଥ। ଏପରିକି ଗଣପର୍ବ ନୂଆଖାଇରେ ବି କେବେ ତାଙ୍କୁ ଦେଖିବାକୁ ମିଳେ ନାହିଁ।

ବଲାଙ୍ଗୀର ରାଜନୀତିର ଅନଙ୍ଗ ଧୀରେ ଧୀରେ ନିଷ୍ପ୍ରଭ ହେବା ପରେ ସାନ ପୁଅ ଅର୍କେଶ ସକ୍ରିୟ ରାଜନୀତିକୁ ଆସିଲେ। ସେବେ ବି ମନ୍ମଥଙ୍କୁ ଦେଖିବାକୁ ମିଳିଲା ନାହିଁ। ୨୦୧୯ରେ ବିଜେଡି଼ ଟିକଟ ପାଇ ଅର୍କେଶ ନିର୍ବାଚନ ଲଢ଼ିଲେ ଓ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କଠାରୁ ପରାସ୍ତ ହୋଇଥିଲେ। ନିର୍ବାଚନ ହାରିଲା ପରେ ଅର୍କେଶ କେବେ କେମିତି ନିର୍ବାଚନମଣ୍ଡଳୀ ଆସୁଥିଲେ। ଏବେ କିଛି ମାସ ହେଲା ପାରିବାରିକ ସମସ୍ୟା ସହ ଯୁଝୁଥିବା ଅର୍କେଶଙ୍କୁ ଆଉ ବଲାଙ୍ଗୀରରେ ଦେଖିବାକୁ ମିଳୁନାହିଁ।

ହେଲେ ହଠାତ୍‌ ଶୈଲଶ୍ରୀ ପ୍ୟାଲେସରେ ଦେଖାଦେଇଛନ୍ତି ମନ୍ମଥ ନାରାୟଣ ସିଂହଦେଓ। ପ୍ୟାଲେସରୁ ବାହାରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ବିଜେଡି କର୍ମୀଙ୍କ ଘର ଘର ବୁଲି ଦେଖାକରୁଛନ୍ତି। ବାପା ଅନଙ୍ଗଙ୍କ ସହିତ ଭିନ୍ନ ଭିନ୍ନ ଜାଗାକୁ ଯାଉଛନ୍ତି। ବିଜେଡି ଆଇଟି ସେଲ୍‌ ଦ୍ୱାରା ସୋସିଆଲ ମିଡିଆରେ ମନ୍ମଥଙ୍କ ଫଟୋ ଏବେ ଚର୍ଚ୍ଚାରେ। ଏହି ଖବର ଯେତେ ଅଧିକ ପ୍ରଚାର ହେଉଛି, ବଲାଙ୍ଗୀର ରାଜନୀତିକୁ ନେଇ ସେତିକି ଚର୍ଚ୍ଚା ବଢ଼ୁଛି। ଏବେ ରାଜନୈତିକ ମହଲରେ ପ୍ରଶ୍ନ ଉଠିଲେଣି ଯେ ଅର୍କେଶଙ୍କ ଜାଗା ନେବେ କି ମନ୍ମଥ? ଏହାର ଉତ୍ତର ନା ସିଂହଦେଓ ପରିବାର ଏଯାଏ ଦେଇଛନ୍ତି ନା ନିଜେ ମନ୍ମଥ ମୁହଁ ଖୋଲୁଛନ୍ତି। ତେବେ ମନ୍ମଥଙ୍କ ଫେରିବା ଓ ରାଜନୀତିରେ ସକ୍ରିୟ ଭାବେ କାର୍ଯ୍ୟ କରିବା ଖବରଟି ତାଙ୍କ ପୁରୁଣା ସହଯୋଗୀଙ୍କୁ ଢେର୍ ଆଶ୍ବସ୍ତ କରିଛି। ବିଜେଡି କର୍ମୀ ମହଲର କିନ୍ତୁ ଦ୍ୱନ୍ଦ୍ବରେ। ସେମାନେ ଏଯାଏ ଠଉରାଇ ପାରୁନାହାନ୍ତି, ଏଥର କିଏ ତାଙ୍କ ଟିକେଟ୍ ପାଇବେ? ଅର୍କେଶ ନା ମନ୍ମଥ ?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।