ରାଜ୍ୟ

ବର୍ଷା ନହେଲେ ସବୁ ଶୁଖିଲା: ଚାଷୀ ନାଁରେ ହେଉଛି ଖର୍ଚ୍ଚ, ମିଳୁନି ଲାଭ

ଭୁବନେଶ୍ବର: ବିଳମ୍ବିତ ବର୍ଷା ଯୋଗୁଁ ସାରା ରାଜ୍ୟରେ ଚାଷ ପଛେଇଛି। କୃଷି ବୈଜ୍ଞାନିକମାନ ପ୍ରଫେସର ଏସଆର ଦାସଙ୍କ କହିବା ଅନୁସାରେ, ଏଭଳି ସ୍ଥିତି ଜାରି ରହିଲେ ଚାଉଳ ଉତ୍ପାଦନ ଚଳିତ ବର୍ଷ ପ୍ରଭାବିତ ହୋଇପାରେ। ଅନ୍ୟ ଦିଗରେ ଚଳିତ ବର୍ଷ ଜୁନ ୨୩ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ରାଜ୍ୟର ୭୭.୬୩% ଜମି ଜଳସେଚିତ କରାଯାଇ ପାରିଛି। ଯାହାକି ଗତ ବର୍ଷ ଠାରୁ ୧୨% ଅଧିକ। ଏତେ ପ୍ରତିଶତ ଜଳସେଚନ ସତ୍ତ୍ବେ ଏହାର ଲାଭ କିଏ ନେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜଳସମ୍ପଦ ବିଭାଗର ସୂଚନା ଅନୁସାରେ, ରାଜ୍ୟର ସମୁଦାୟ ୬୧ ଲକ୍ଷ ୮୦ ହଜାର ୨୪୬ ହେକ୍ଟରରୁ ୪୭ ଲକ୍ଷ ୯୭ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥିରୁ କେବଳ ବଡ଼ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଜରିଆରେ ୧୫ ଲକ୍ଷ ୩୩ ହଜାର ହେକ୍ଟର, ମେଗା ଉଠାଜଳସେଚନ ପ୍ରକଳ୍ପରେ ୨ ଲକ୍ଷ ୫୨ ହଜାର ହେକ୍ଟର, କ୍ଷୁଦ୍ର ପ୍ରକଳ୍ପରେ ୭ ଲକ୍ଷ ୪୩ ହଜାର ହେକ୍ଟର, ଉଠାଜଳସେଚନ ପ୍ରକଳ୍ପରେ ୮ ଲକ୍ଷ ୯୬ ହଜାର ହେକ୍ଟର, ଭୂତଳ ନଳକୂଅରେ ୬ ଲକ୍ଷ ୨ ହଜାର, ଅନ୍ୟ ସୂତ୍ର ଜରିଆରେ ୭ ଲକ୍ଷ ୬୯ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରୁଛି। ଅଣକେବିକେ ଅଞ୍ଚଳରେ ୩୫ ଲକ୍ଷ ୪୫ ହଜାର ହେକ୍ଟର ଏବଂ କେବିକେ ଅନ୍ତର୍ଗତ କେବଳ ୮ ଜିଲ୍ଲାରେ ୧୨ ଲକ୍ଷ ୫୨ ହଜାର ହେକ୍ଟର ଜମି ଜଳସେଚିତ ହୋଇଛି।

ବୌଦ୍ଧ ଜିଲ୍ଲାରେ ଜିଲ୍ଲାରେ ଥିବା ସମୁଦାୟ ୮୯ ହଜାର ହେକ୍ଟର ଚାଷ ଜମିରୁ ୧ ଲକ୍ଷ ୧୬ ହଜାର ହେକ୍ଟର ଚାଷ ଜମି ଜଳସେଚିତ। ଅର୍ଥାତ ଏଠାରେ ୧୩୦% ଜମି ଜଳସେଚିତ କିନ୍ତୁ ବର୍ତ୍ତମାନ ଜିଲ୍ଲାରେ ମରୁଡ଼ି ପଦଧ୍ବନି ହେଲାଣି। ବିଭିନ୍ନ ସ୍ଥାନରେ ମାଟି ଫାଟିବା ଆରମ୍ଭ ହେଲାଣି। ସାଲୁଙ୍କି, ବାଘ ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମକୁ ଆସିପାରୁନି। ବରଗଡ଼ ଜିଲ୍ଲାର ୩ ଲକ୍ଷ ୪୮ ହଜାର ହେକ୍ଟର ଜମିରୁ ୩ ଲକ୍ଷ ୩୯ ହଜାର ଜମି ଜଳସେଚିତ ବୋଲି ସରକାର କହୁଛନ୍ତି। ବରଗଡ଼ ଚାଷୀ ହର ବଣିଆଙ୍କ ଅନୁସାରେ, ପାଣି ଅଭାବରୁ ଧାନବୁଣା ଏବଂ ତଳି କାର୍ଯ୍ୟ ବିଳମ୍ବିତ ହୋଇଛି। ଶ୍ରୀଗିଡ଼ା ସମେତ ଜିଲ୍ଲାର ଅଧିକାଂଶ ଉଠାଜଳସେଚନ ପ୍ରକଳ୍ପ ଅଚଳ ପଡ଼ିଛି, କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଟୁଙ୍ଗିବନ୍ଧଲି ଶୁଖିଲା ପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ୩ ଲକ୍ଷ ୧୨ ହଜାର ଜମିରୁ ୨ ଲକ୍ଷ ୯ ହଜାର ଜମି ଜଳସେଚିତ। କିନ୍ତୁ ପାଣି ଅଭାବ ଯୋଗୁଁ ବୁଣା କାର୍ଯ୍ୟ ବର୍ଷା ହେବା ପରେ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଛି। ବଡ଼ଗାଁ ଫୁଲୱାରି ଉଠାଜଳସେଚନ ଅଚଳ ତ ବାଲିକନ୍ତରା ବ୍ଲକ ଦେଓଭୁବନପୁର କୁକୁଡ଼ାନାଳା କ୍ଷୁଦ୍ର ଜଳଅମଳ ପ୍ରକଳ୍ପ ଶୁଖିଲା ପଡ଼ିଛି। ରାଜ୍ୟ ତମାମ ଏହିଭଳି ସ୍ଥିତି ରହିଛି। ପ୍ରକୃତରେ ଜଳସେଚନ ହୋଇଛି ନା କେବଳ କାଗଜପତ୍ରରେ ଦର୍ଶାଯାଉଛି ତାକୁ ନେଇ ଚାଷୀମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି। ୨୦୨୨ ମସିହାରେ ପ୍ରକାଶିତ ସିଏଜି ରିପୋର୍ଟ ଅନୁସାରେ ମଧ୍ୟ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ରାଜ୍ୟରେ କେବଳ ୨୪ ପ୍ରତିଶତ ଚାଷ ଜମି ଜଳସେଚିତ ହୋଇ ପାରିଛି। ତ୍ରୁଟିପୂର୍ଣ୍ଣ ସର୍ଭେ, ଡିଜାଇନ, କେନାଲରେ ପାଣି ରହିବାର କ୍ଷମତା ଅଭାବ ଏହାର କାରଣ ବୋଲି ରିପୋର୍ଟରେ କୁହାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।