ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷା‌ରେ ଆଷାଢ଼ ଶ୍ରାବଣ…: ବଦଳିଲା ପାଗ, ନିଅଣ୍ଟିଆ ସ୍ଥିତିରେ ସୁଧାର ଆଶା

ଭୁବନେଶ୍ବର : ବର୍ଷାରେ ଆଷାଡ଼ ଶ୍ରାବଣ, ମେଘ ବରଷଇ ଘନଘନ…।

ଏହି ଉକ୍ତି ଏଥର ଜୁଲାଇରେ ସତ ହୋଇଛି। ଜୁଲାଇ ୪ରୁ ଆରମ୍ଭ ହୋଇଥିଲା ଶ୍ରାବଣ। ଆଉ ଜୁଲାଇ ୫ରେ ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀ ପୁଣିଥରେ ସକ୍ରିୟ ହୋଇଯାଇଥିଲା। ପରିଣାମ ହେଲା- ସାରା ଜୁଲାଇ ମାସ ଅର୍ଥାତ ଧାରା ଶ୍ରାବଣ ଅନୁଭବ କଲେ। ବର୍ଷା ପାଇଲେ ରାଜ୍ୟବାସୀ।

ଚଳିତ ବର୍ଷ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପ୍ରବେଶ କରିଥିଲା। ଜୁନ୍‌ରେ ରାଜ୍ୟରେ ବିଶେଷ ବର୍ଷା ହେଲାନାହିଁ, ଅର୍ଥାତ୍‌ ୩୫% ନିଅଣ୍ଟିଆ ସ୍ଥିତି ସହ ଜୁନ୍‌ ଶେଷ ହୋଇଥିଲା। ‌ଜୁଲାଇ ପ୍ରଥମ ସପ୍ତାହରେ ମଧ୍ୟ ରାଜ୍ୟରେ ଭଲ ବର୍ଷା ହେଲା ନାହିଁ। ଘରେ ନ ପଶୁଣୁ ଚାଳ ବାଜିବା ଭଳି ଚଳିତ ବର୍ଷା ମୌସୁମୀ ଋତୁରେ ଭଲ ବର୍ଷା ହେବ ନାହିଁ ବୋଲି ଏକ ପ୍ରକାର ଧାରଣ ସୃଷ୍ଟି ହେଲା। ଚାଷ ଜମି ଫାଟି ଆଁ କଲା ଓ ଗଜା ମରୁଡ଼ିର ଆଶଙ୍କା ଘନେଇଲା। ଜୁଲାଇ ଆରମ୍ଭ ହେବା ସହିତ ବଦଳିଗଲା ପାଗ। ଏବେ ସୁଦ୍ଧା ୩ଟି ଲଘୁଚାପ ବର୍ଷା ହୋଇସାରିଛି। ଏଥିସହିତ ୧ରୁ ୨୪ ଜୁଲାଇ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୨୪୪.୨ ମିମି ବର୍ଷା ରେକର୍ଡ ହୋଇଛି; ସ୍ବାଭାବିକ ବର୍ଷା (୨୫୭.୪ ମିମି) ତୁଳନାରେ ୫% କମ୍‌।

Skymet Weather

ଆଜି(ମଙ୍ଗଳବାର) ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ‌ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ। ଏହି ୩ ଦିନରେ ରାଜ୍ୟରେ ପାଖାପାଖି ୫୦ ମିମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ସକ୍ରିୟ ମୌସୁମୀ ପ୍ରଭାବରେ ଯଦି ୨୯ରୁ ୩୧ ତାରିଖ ମଧ୍ୟରେ ରାଜ୍ୟରେ ଆଉ କିଛି ବର୍ଷା ହୋଇଗଲା ତେବେ ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଚଳିତ ମାସରେ ଅର୍ଥାତ ଜୁଲାଇରେ ରାଜ୍ୟରେ ଭଲ ବର୍ଷା ରହିଛି। ଏହା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ହୋଇଛି। ପରିସଂଖ୍ୟାନ କହୁଛି, ୨୦୧୮ ମସିହାର ଜୁଲାଇ ମାସରେ ଗୋଟିଏ ଅବପାତ, ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଓ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିଲା। ସେହିବର୍ଷ ଜୁଲାଇରେ ୪୩୪.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୨୯% ଅଧିକ ଥିଲା।

Skymet Weather

୨୦୧୯ ମସିହାରେ ରାଜ୍ୟରେ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଓ ୩ଟି ଲଘୁଚାପ ‌ସୃଷ୍ଟି ହୋଇଥିଲା। ରାଜ୍ୟରେ ୩୦୦.୩ ମିମି ବର୍ଷା ହୋଇଥିଲା, ଯାହାକି ସ୍ବାଭାବିକଠାରୁ ୧୩% କମ୍‌ ଥିଲା। ୨୦୨୦ ମସିହାରେ ଗୋ‌ଟିଏ ମାତ୍ର ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସେହିବର୍ଷ ରାଜ୍ୟରେ ସବୁଠାରୁ କମ୍‌ ବର୍ଷିଥିଲା। ମାତ୍ର ୨୨୪.୮ ମିମି ବର୍ଷା ସହ ୩୫% କମ୍‌ ବର୍ଷା ସେହିବର୍ଷ ରାଜ୍ୟରେ ‌ମରୁଡ଼ି ପରିସ୍ଥିତି ସୃଷ୍ଟି କରିଥିଲା। ୨୦୨୧ ମସିହାରେ ମଧ୍ୟ ଅନୁରୂପ ଭାବେ ଜୁଲାଇରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଠି କରିଥିଲା। ସେବର୍ଷ ରାଜ୍ୟରେ ଗୋଟିଏ ଲଘୁଚାପ ଓ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଥିଲା।

ରାଜ୍ୟରେ ମାତ୍ର ୨୭୫.୬ମିମି ବର୍ଷା ହୋଇଥିଲା। ଏହା ସ୍ବାଭାବିକଠାରୁ ୨୦% କମ୍‌ ଥିଲା। ତେବେ ଗତବର୍ଷ ଜୁଲାଇରେ ରାଜ୍ୟରେ ଭଲ ବର୍ଷା ରେକର୍ଡ ହୋଇଥିଲ‌ା। ଗୋଟିଏ ଅବପାତ ସହ ଦୁଇଟି ଲଘୁଚାପ ‌ବର୍ଷା ଯୋଗୁଁ ରାଜ୍ୟରେ ସ୍ବାଭାବିକଠାରୁ ୧୦% ଅଧିକ ବର୍ଷା ହୋଇଥିଲା। ଜୁଲାଇରେ ସର୍ବମୋଟ ୩୭୬.୬ ମିମି ବର୍ଷା ହୋଇଥିଲା। ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ ରାଜ୍ୟରେ ଜୁଲାଇରେ ବର୍ଷାର ସ୍ଥିତି ଖୁବ୍‌ ଭଲ ରହିଛି। ବର୍ତ୍ତମାନ ସୁଦ୍ଧା ଜୁଲାଇରେ ରାଜ୍ୟରେ ୨୪୪.୨ ମିମି ବର୍ଷା ହୋଇଥିବା ବେଳେ ଜୁଲାଇର ସ୍ବାଭାବିକ ବର୍ଷାର ପରିମାଣ ହେଉଛି ୩୪୧.୪ ମିମି। ଆଜି ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଓ ସକ୍ରିୟ ମୌସୁମୀ ରାଜ୍ୟରେ ଜୁଲାଇ ଶେଷ ୭ ଦିନରେ ପ୍ରାୟ ୧୦୦ ମିମି ଯାଏ ବର୍ଷା କରାଇବ ବୋଲି ଆକଳନ କରାଯାଉଛି। ଫଳରେ ଜୁଲାଇର ସମୁଦାୟ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଆଜି ପଶ୍ଚିମ-କେନ୍ଦ୍ରୀୟ ତତ୍‌ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ, ସମୁଦ୍ର ପତ୍ତନଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରର ରୂପ ନେବ। ଏହା ୨୬ ତାରିଖ ଆଡ଼କୁ ଆହୁରି ଘନୀଭୂତ ହେବ ଓ ଅବପାତର ରୂପ ନେବ। ଫଳରେ ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷିବ ବୋଲି ସତର୍କ କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୨୬ ତାରିଖ ଦିନ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ରାଜ୍ୟର ଅବଶିଷ୍ଠ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି। ଆସନ୍ତା ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବାର ସମ୍ଭାବନା ରହୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।