ଲାହୋର, ୦୯/୦୧: ପାକିସ୍ତାନର ଇସ୍ଲାମାବାଦ, ପାକିସ୍ତାନରେ ଭୀଷଣ ବରଫପାତ ବିଗତ ୨୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହାଯୋଗୁ ରିସର୍ଟ ସହର ମୁରିରେ ଶନିବାର ଏକ ବଡ଼ ଅଘଟଣ ଘଟିଛି । ଗାଡ଼ି ମଧ୍ୟରେ ଫସିଯାଇ ପ୍ରାୟ ୨୧ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହାପରେ ଏଠାରେ ସରକାରଙ୍କ ପକ୍ଷରୁ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି ।
ମୁରି ସହର ପାକିସ୍ତାନର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । କରୋନା ସତ୍ତେ୍ୱ ଏଥର ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ଶନିବାର ମୁରିରେ ତାପମାତ୍ରା ହଠାତ୍ ଶୂନ ତଳକୁ ଖସିବା ପରେ ଭୀଷଣ ବରଫପାତ ହୋଇଥିଲା । ଏହି ସମୟରେ ରାସ୍ତା ବନ୍ଦ ହୋଇଯିବାରୁ ଗାଡ଼ିଗୁଡ଼ିକ ଫସିରହିଥିଲା । ଗାଡ଼ି ମଧ୍ୟରେ ଫସିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୯ ଜଣ ଛୋଟ ପିଲା ଥିବା ଜଣାପଡ଼ିଛି । ଏବେ ବି ୧,୦୦୦ରୁ ଅଧିକ ଗାଡ଼ି ସେଠାରେ ଫସିରହିଛି ।
ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଘଟଣାକୁ ନେଇ ଶୋକବ୍ୟକ୍ତ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ବରଫପାତ ଅଞ୍ଚଳରେ ଗାଡ଼ି ମଧ୍ୟରେ ଫସିଥିବା ପର୍ଯ୍ୟଟକଙ୍କ ଉଦ୍ଧାର ପାଇଁ ପାକ୍ ସେନାକୁ ନିୟୋଜିତ କରାଯାଇଛି । ପୁଲିସ ମଧ୍ୟ ଲୋକଙ୍କୁ ଉଦ୍ଧାର କରୁଛି । ହିଲ୍ ଷ୍ଟେସନ୍ରେ ଅନେକ ଗାଡ଼ି ଏବେ ବି ଫସିରହିଛି । ଭୀଷଣ ବରଫପାତ ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ସ୍ଥାନୀୟ ଲୋକମାନେ ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଥିବା ପାକ୍ ଗୃହ ମନ୍ତ୍ରୀ ଶେଖ୍ ରଶିଦ ଅହମ୍ମଦ କହିଛନ୍ତି । ତାଙ୍କ ମୁତାବକ ଖାଦ୍ୟ ଓ କମ୍ବଳ ଧରି ଯାଉଥିବା ଗାଡ଼ିଗୁଡ଼ିକୁ ଏବେ ମୁରି ମଧ୍ୟକୁ ଯିବା ପାଇଁ ଅନୁମତି ଦିଆଯାଉଛି ।