ରାଜ୍ୟ

ବଦଳୁଛି ଝାରସୁଗୁଡ଼ା ବିଜେଡି ସମୀକରଣ: କଟ୍ଟର ବିଜେଡି ନେତାଙ୍କ ଉପରେ ଭରସା କଲା ଦଳ

ଝାରସୁଗୁଡ଼ା,(ତେଜସ୍କର ମହାପାତ୍ର): ୨୦୨୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବଦଳୁଛି ଝାରସୁଗୁଡ଼ା ବିଜେଡିର ସମୀକରଣ। କିଶୋର ମହାନ୍ତିଙ୍କ ଦେହାନ୍ତ ପରଠାରୁ ଜିଲ୍ଲା ବିଜେଡି ସଭାପତି ପଦ ଖାଲି ପଡ଼ିଥିଲା। ଗତକାଲି ଦଳ ପକ୍ଷରୁ ବରିଷ୍ଠ ନେତା ରବି ସିଂଙ୍କୁ ଜିଲ୍ଲା ବିଜେଡିର ନୂଆ ମଙ୍ଗୁଆଳ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ସଭାପତି ରେସ୍‌ରେ ବରିଷ୍ଠ ନେତା ବିଶ୍ବନାଥ ନାୟକ, ରଘୁମଣି ପଟେଲ ଓ ତ୍ରିନାଥ ଗୁଆଲ ମଧ୍ୟ ରହିଥିବା ସତ୍ତ୍ବେ ଦଳ କାହିଁକି ଶ୍ରୀ ସିଂଙ୍କ ଉପରେ ଭରସା କଲା ତାକୁ ନେଇ ଏବେ ତର୍ଜମା ଆରମ୍ଭ ହୋଇଛି। ତେବେ ଦୌଡ଼ରେ ଥିବା ୩ ନେତାଙ୍କ ରାଜନୈତିକ କ୍ୟାରିୟର୍‌କୁ ଦେଖିଲେ ବିଜୁ ବାବୁଙ୍କ ସହ ଜନତା ଦଳରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ପ୍ରତିଷ୍ଠା ଦିନରୁ ଅଦ୍ୟାବଧି ନିରବଚ୍ଛିନ୍ନ ଭାବେ ରହି ଆସିଥିବା କାରଣରୁ ହିଁ ଶ୍ରୀ ସିଂଙ୍କୁ ଦଳ ଏହି ଗୁରୁଦାୟିତ୍ବ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚ‌ା ହେଉଛି।

ଦଳୀୟ ଘୋଷଣା ପରଠାରୁ ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡିର ପୁରୁଖା ନେତା ଭାବେ ଶ୍ରୀ ସିଂଙ୍କୁ ଜିଲ୍ଲାର ପ୍ରାୟ ସମସ୍ତ ଦଳୀୟ ନେତା ଓ କର୍ମୀ ଜିଲ୍ଲା ସଭାପତି ଭାବେ ଗ୍ରହଣ କରିଛନ୍ତି। କିନ୍ତୁ ସ୍ବର୍ଗତ କିଶୋର ମହାନ୍ତିଙ୍କ ସହ ଜନତା ଦଳରୁ ଅତି ଘନିଷ୍ଠ ଭାବେ ରହି ଆସିଥିବା ଶ୍ରୀ ସିଂଙ୍କୁ ନବ ଗୋଷ୍ଠୀ କେତେ ଗ୍ରହଣ କରିବେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇଛି। ଜିଲ୍ଲା ବିଜେଡିରେ ନବ ଓ କିଶୋର ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ମନୋମାଳିନ୍ୟ କିଛି ନୂଆ କଥା ନୁହେଁ। ଗତ ଉପନିର୍ବାଚନ ତଥା ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବି ଏହି ଗୋଷ୍ଠୀ ବିବାଦ ଅନେକ ସମୟରେ ଗଣମାଧ୍ୟମର ପୃଷ୍ଠାମଣ୍ଡନ କରୁଛି। ଏବେ ଉଭୟ ନବ ଓ କିଶୋରଙ୍କ ଅବର୍ତ୍ତମାନରେ ଏହି ଗୋଷ୍ଠୀ ବିବାଦର ସମାଧାନ କରି ସଂଗଠନକୁ ମଜବୁତ ରଖିବା ଶ୍ରୀ ସିଂଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଦଳ ଭିତରେ ଏମିତି ମନୋମାଳିନ୍ୟ, ଅଭିମାନ ତ ସାଧାରଣ କଥା ବୋଲି ଶ୍ରୀ ସିଂ କହିଛନ୍ତି। ତେବେ ୨-୩ ମାସ ମଧ୍ୟରେ ଏହି ମନୋମାଳିନ୍ୟକୁ ଦୂର କରି ଝାରସୁଗୁଡ଼ା ବିଜେଡିକୁ ଏକ କରି ଆଗକୁ ନେବାରେ ସେ ସମର୍ଥ ‌ହେବେ ବୋଲି ମଧ୍ୟ ଶ୍ରୀ ସିଂ ଦୃଢ଼ୋକ୍ତି ବାଢ଼ିଛନ୍ତି। ବିଜେଡି ପ୍ରତିଷ୍ଠା ସମୟରେ ଶ୍ରୀ ସିଂ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଉପସଭାପତି ଭାବେ ରହିଥିଲେ। ଏହା ପରେ ବି ଦଳୀୟ ସଂଗଠନର ବିଭିନ୍ନ ପଦ ପଦବିରେ ଶ୍ରୀ ସିଂ ରହି ଆସିଛନ୍ତି। ତେବେ ଗତ ୫-୬ ବର୍ଷ ହେବ ଶ୍ରୀ ସିଂ ଜିଲ୍ଲା ବିଜେଡିର ଦଳୀୟ ଚିତ୍ରପଟ୍ଟରୁ ପ୍ରତ୍ୟକ୍ଷ ଭାବେ ଦୂରରେ ରହିଥିଲେ। ଯଦିଓ ତାଙ୍କୁ ରାଜ୍ୟ ପରିଷଦର ସଦସ୍ୟ କରାଯାଇଥିଲା, ଜିଲ୍ଲା ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲା। କିନ୍ତୁ ଗତ ଉପନିର୍ବାଚନ ସମୟରେ ଶ୍ରୀ ସିଂଙ୍କ ସମ୍ପୃକ୍ତି ଦେଖିବାକୁ ମିଳିଥିଲା।

ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍‌ ଗ୍ରହଣର ଦିନ କେଇଟା ପୂର୍ବରୁ ବିଜେପି ଶିବିର ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ବରିଷ୍ଠ ଆଇନଜୀବୀ ତ୍ରିନାଥ ଗୁଆଲ। ଶ୍ରୀ ଗୁଆଲ ବିଜେପିରେ ଥିବା ସମୟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ତେବେ ଶ୍ରୀ ଗୁଆଲଙ୍କର ଏହା ଥିଲା ଘର ବାହୁଡ଼ା। ଶ୍ରୀ ଗୁଆଲ ବିଜେଡିର ସକ୍ରିୟ ସଦସ୍ୟ ଭାବେ ଆରମ୍ଭରୁ ରହିଥିଲେ ହେଁ ୨୦୨୨ ମ୍ୟୁନିସିପାଲଟି ନିର୍ବାଚନ ପୂର୍ବରୁ ସେ ବିଜେପି ଶିବିରକୁ ଲମ୍ପ ମାରିଥିଲେ। ଏହାବ୍ୟତୀତ ଜିଲ୍ଲା ସଭାପତି ରେସ୍‌ରେ ରହିଥିଲେ ଜିଲ୍ଲା ବିଜେଡିର ପୂର୍ବତନ ଉପସଭାପତି ବିଶ୍ବନାଥ ନାୟକ(ମୁନ୍ନା)। ଶ୍ରୀ ନାୟକ ୧୯୯୩ ମସିହାରୁ କିଶୋର ମହାନ୍ତିଙ୍କ ସହ ରହିଥିଲେ। ଏପରିକି ୨୦୧୪ ମସିହାରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ଶ୍ରୀ ନାୟକ ଲଢ଼ିବା ନେଇ ବି ଚର୍ଚ୍ଚା ହେଉଥିଲା। ଏବେ ସେ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ପଦରେ ବି ରହିଥିବାରୁ ଦଳ ତାଙ୍କ ଉପରେ ଭରସା କରିପାରେ ବୋଲି କୁହାଯାଉଥିଲା। ଅନ୍ୟ ଜଣେ ହେଲେ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ରଘୁମଣି ପଟେଲ। ଶ୍ରୀ ପଟେଲ ମଧ୍ୟ ଜନତା ଦଳରୁ କିଶୋର ମହାନ୍ତିଙ୍କ ସଂଗଠନ ସହ ଯୋଡ଼ି ହୋଇ ରହିବା ସହ ପରେ ବିଜେଡିରେ ମିଶିଥିଲେ। ଏବେ ସେ ଜିଲ୍ଲା ବିଜେଡିର ଉପସଭାପତି ପଦରେ ଥିବାରୁ ତାଙ୍କ ନାଁ ବି ଚର୍ଚ୍ଚାକୁ ଆସୁଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।