କଟକ : ବଜାରରେ ଛାଇ ଯାଇଛି ନକଲି ଔଷଧ। ବିଶେଷକରି କୋଭିଡ୍ ମହାମାରୀ ଆରମ୍ଭ ପରଠାରୁ ଔଷଧ ବ୍ୟବସାୟ ଆକାଶଛୁଆଁ ହୋଇଥିବା ବେଳେ ଚାହିଦାର ଫାଇଦା ନେବାକୁ ଉଦ୍ୟମ କରି ଆସିଛନ୍ତି ଅସାଧୁ ବ୍ୟବସାୟୀ। ଏବେ ସ୍ଥିତି ଏମିତି ଯେ ଅଧିକାଂଶ ବିଶ୍ବାସ ଆଉ ଭରସାଯୋଗ୍ୟ ଔଷଧର ନକଲି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଇଥିବା ସନ୍ଦେହ କରାଯାଉଛି। ହେଲେ, କୌଣସି ପ୍ରକାର ତଥ୍ୟ ପ୍ରମାଣ ଆଉ ନିଷ୍କର୍ସରେ କର୍ତ୍ତୃପକ୍ଷ ପହଞ୍ଚି ପାରୁ ନଥିବାରୁ ଏବେ ସନ୍ଦେହରେ କେବଳ ବିଭିନ୍ନ ଔଷଧକୁ ବଜାରରୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭୁବନେଶ୍ବରରେ ଏଭଳି ୩୦ ପ୍ରକାର ଔଷଧ ଫେରସ୍ତ ପାଇଁ ଔଷଧ ବ୍ୟବସାୟୀଙ୍କୁ ହ୍ବାଟ୍ସଆପ୍ରେ ସୂଚନା ଦିଆଯାଉଥିବା ବେଳେ କଟକରେ ପ୍ରାୟ ୨୦ ପ୍ରକାର ଔଷଧ ଫେରାଇ ଦେବାପାଇଁ ବିଭିନ୍ନ ଔଷଧ ବ୍ୟବସାୟୀଙ୍କୁ ଫୋନ୍ରେ ସୂଚନା ଦିଆଯାଉଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଅଧିକାରୀ ଫୋନ୍ରେ ଅଥବା ନିଜେ ଦୋକାନରେ ପହଞ୍ଚି ଏଭଳି ସୂଚନା ଦେଉଛନ୍ତି।

ସୂଚନା ଅନୁସାରେ, ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ପକ୍ଷରୁ ବଜାରରୁ ଏଭଳି ଔଷଧକୁ ଫେରସ୍ତ ନେବା(ରି-କଲ୍) ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି। ଗୋଟିଏପଟେ ପରୀକ୍ଷା ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାବେଳେ ଅନ୍ୟପଟେ ଯେଉଁ ବ୍ୟାଚ୍ର ଔଷଧକୁ ନେଇ ବିଭାଗ ସନ୍ଦେହ କରୁଛି, ପଦକ୍ଷେପ ନେଲା ବେଳକୁ ସେହି ସବୁ ଔଷଧ ଅଧାରୁ ଅଧିକ ବଜାରରେ ବିକ୍ରି ହୋଇ ସାରୁଛି। ଏଭଳି ସ୍ଥିତି ଏବେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରାଯାଉଛି। ଯେଉଁସବୁ ଔଷଧର ବ୍ୟବହାର ଅଧିକ ରହୁଛି ସହି ଔଷଧର ହିଁ ଅଧିକ ନକଲି ପ୍ରସ୍ତୁତ କରାଯାଉଛି। କିଛି ମାସ ତଳେ ଟେଲ୍ମା-୪୦, ଟେଲମା ଏଏମ୍ ଭଳି ଔଷଧ ନକଲି ବୋଲି ଜଣାପଡିବା ଓ କିଛିଦିନ ତଳେ କ୍ଲାଭାମ୍-୬୨୫ ମଧ୍ୟ ବଜାରରୁ ଫେରସ୍ତ ନିଆଯିବା ଘଟଣା ଉଦବେଗର କାରଣ ହୋଇଛି। ଇତିମଧ୍ୟରେ ଫେରସ୍ତ ନିଆଯାଇଥିବା କ୍ଲାଭାମ-୬୨୫ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ରିପୋର୍ଟ ଆସିଥିଲେ ବି ତାହାକୁ ଅନେକ ରୋଗୀ ସେବନ କରି ସାରିଛନ୍ତି। ଏବେ ବଜାରରୁ କିଛି ନିର୍ଦ୍ଦିଷ୍ଟ ଏଜେନ୍ସି ପକ୍ଷରୁ ଯୋଗାଣ ହୋଇଥିବା ଓ-୨, ପାନ୍ଟପ୍, ଅଲଟ୍ରାସେଟ୍, ବ୍ରେକ୍ ଭଳି ଅନେକ ଔଷଧ ବଜାରରୁ ଫେରସ୍ତ ନେବା ପାଇଁ ଡ୍ରଗ୍ସ ଇନ୍ସପେକ୍ଟରମାନେ ଦୋକାନୀମାନଙ୍କୁ ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଔଷଧ ବଜାରରୁ ମଧ୍ୟ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ କଟକ, ଭୁବନେଶ୍ବର ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ବି ଏଭଳି ଔଷଧ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ, ଏହାକୁ ଯଥା ସମ୍ଭବ ଗୋପନୀୟ ଢଙ୍ଗରେ କରିବାକୁ ଉଦ୍ୟମ କରାଯାଉଛି।
ତଥ୍ୟ ଅନୁଯାୟୀ କଟକ ବଜାରରୁ ପାଖାପାଖି ୧୪ଲକ୍ଷ ଟଙ୍କାର ଆଣ୍ଟିବାୟୋଟିକ୍ କ୍ଲାଭାମ-୬୨୫ ଔଷଧକୁ ଫେରାଇ ନିଆଯାଇଛି। କଟକକୁ ଏହି ଔଷଧ ୧୨ ହଜାର ଷ୍ଟ୍ରିପ୍ ଆସିଥିବା ବେଳେ ସେଥିରୁ ପାଖାପାଖି ୬ ହଜାର ଷ୍ଟ୍ରିପ୍ ଏଯାଏ ଫେରସ୍ତ ଆସିଥିବାବେଳେ ଏହାର ମୂଲ୍ୟ ୧୩ ଲକ୍ଷ ୨୪ ହଜାର ଟଙ୍କା ହେବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। ନକଲି ଫାବିପିରାଭର, ଟେଲ୍ମା -ଏଏମ୍, ଟେଲ୍ମା-୪୦, କ୍ଲାଭାମ-୬୨୫ ପରେ ଓ-୨, ପାନଟପ୍, ଅଲଟ୍ରାସେଟ୍, ବ୍ରେକ୍…. ଧୀରେଧୀରେ ଏହି ତାଲିକାରେ ଯୋଡ଼ିହେବା ଘଟଣା ବିଭିନ୍ନ ମହଲରେ ଉଦ୍ବେଗର କାରଣ ହୋଇଛି। କିନ୍ତୁ, ଏହି କାରବାରରେ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନଥିବାରୁ ନକଲି ଔଷଧ କାରବାର ଚେର ଲମ୍ବାଉଥିବା କୁହାଯାଉଛି।