ରାଜ୍ୟ ସ୍ପେଶାଲ ରିପୋର୍ଟ

ଫୋନ ଇନ ପ୍ଲିଜ: ମଣିପୁର ହିଂସା ଜାତୀୟ ନିରାପତ୍ତା ପ୍ରତି ଆଶଙ୍କା ସୃଷ୍ଟି କରୁଛି

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍ ଲଗାଯାଇପାରନ୍ତା। ଏବେ ସେଠାକାର ସ୍ଥିତି ଯାହା ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା। କିନ୍ତୁ ତାହା କରାଯାଉନାହିଁ। ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ଏଥିରେ ଜାଣିଶୁଣି ହସ୍ତକ୍ଷେପ କରିବାକୁ ଚାହୁନାହିଁ। ଫଳରେ ହିଂସା ବଢ଼ୁଛି। ଅକାରଣରେ ଗୁଡ଼ାଏ ଧନଜୀବନ ନଷ୍ଟ ହେଉଛି। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ’‌ରେ ଭାଗ ନେଇଥିବା ଭୁବନେଶ୍ବର ରୁରାଲ (‌ଖୋର୍ଦ୍ଧା-ପୁରୀ-ନୟାଗଡ଼)ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

ମଣିପୁର ହିଂସାରେ ୧୦୦ରୁ ଅଧିକ ମୃତ୍ୟୁବରଣ କଲେଣି। ପ୍ରାୟ ୫୦ ହଜାର ବାସିନ୍ଦା ନିଜ ରାଜ୍ୟରେ ଶରଣାର୍ଥୀ ଭଳି ବଞ୍ଚୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରଧାନମନ୍ତ୍ରୀସେଠାକୁ ଯାଇନାହାନ୍ତି।। ମନକି ବାତରେ ମଧ୍ୟ ଏ ସମ୍ପର୍କରେ ପଦଟିଏ କହିନାହାନ୍ତି। ମଣିପୁରକୁ ସବୁବେଳେ ଅବହେଳିତ କରି ରଖାଯାଇଛି। ବିଜେପି ସରକାର ସେଠାରେ ଫେଲ ବୋଲି ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। ସୁଷମା ସ୍ବରାଜ ସଂସଦରେ କହିଥିଲେ ଘର ଭିତରେ ଆଗେ ସୁରକ୍ଷା ଦିଆଯାଉ। କିନ୍ତୁ ଏଥିରେ କେନ୍ଦ୍ର ସମ୍ପୂର୍ଣ୍ଣ ବିଫଳ ହୋଇଛି।
-ସଂଜୀବ ମହାନ୍ତି (ଦଇତାପଡ଼ା ସାହି, ପୁରୀ)

ମଣିପୁର ହିଂସା ଜାତୀୟ ନିରାପତ୍ତା ପ୍ରତି ଆଶଙ୍କା ସୃଷ୍ଟି କରିଛି। ଯଦି ନିୟନ୍ତ୍ରଣକୁ ଆଣିବାରେ ସରକାର ବିଫଳ ହେଉଛନ୍ତି ତେବେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଉଚିତ। କେନ୍ଦ୍ର ତୁରନ୍ତ ମଣିପୁରକୁ ଦଖଲକୁ ନେବା ଆବଶ୍ୟକ। ନଚେତ ବିଦେଶୀ ସରକାର ଏହାର ଫାଇଦା ନେବେ। ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ଦୁଃଖ ଲାଗୁଛି ଯେ ପ୍ରଧାନମନ୍ତ୍ରୀ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉନାହାଁନ୍ତି। ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତରେ ରୋକ ଲଗାଇବା ମଧ୍ୟ ଅଶୋଭନୀୟ। ବୋଧହୁଏ କିଛି ଗୁଢ଼ ରହସ୍ୟ ଅଛି, ଯାହା କେନ୍ଦ୍ର ଲୁଚାଇବାକୁ ଚେଷ୍ଟା କରୁନାହିଁ ତ?
-ମନୋଜ କୁମାର ଦାସ, ପୁରୀ

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ମଣିପୁରରେ ଉପୁଜିଥିବା ହିଂସାକୁ ରୋକିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ। ଏବେ ଏହା ନିୟନ୍ତ୍ରଣକୁ ଆସୁଛି। ତେବେ ମଣିପୁର ହିଂସା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଲୋକଲୋଚନକୁ ଅଣାଯାଉ।
-ଛାୟାକାନ୍ତ ନାୟକ, ବାଲିଘାଟ, ପୁରୀ

ମଣିପୁର ହିଂସାରେ ଶତାଧିକ ଜୀବନ ଯାଇଥିବା ବେଳେ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟହୋଇଛି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ କେନ୍ଦ୍ର ହିଂସା ରୋକିବାରେ ସମସ୍ତ ପଦକ୍ଷେପ ଗ୍ରହଣ କରିବ। ହିଂସାକୁ ଦମନ କରି ଶାନ୍ତି ଫେରାଇ ଆଣିବା ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ଆଲୋଚନା ମାଧ୍ୟମରେ ନିୟନ୍ତ୍ରଣକୁ ଆସିବ ବୋଲି ଆଶା।
-ଶେଖ ୟାକୁବ, ଗୋପ, ପୁରୀ

ମଣିପୁରରେ ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରାଯାଇଛି। ମନ୍ତ୍ରୀଙ୍କ ଘର ପୋଡ଼ି ଦିଆଯାଉଛି। ତଥାପି ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି। ଏହା କୌଣସି ବଡ଼ ବିପର୍ଯ୍ୟୟଠାରୁ କମ୍‌ ନୁହେଁ।
-ଶିବସୁନ୍ଦର ମିଶ୍ର(ଖୁଣ୍ଟିଆ ସାହି, ପୁରୀ)

ମଣିପୁର ହିଂସାକୁ ଦମନ କରିବାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତି ଜନଜାତି ମଧ୍ୟରେ ଶାନ୍ତିପୂର୍ଣ୍ଣ ଚୁକ୍ତି ଓ ସହାବସ୍ଥାନ ପ୍ରୟାସ ନିରନ୍ତର ଭାବେ ଜାରି ରହିଛି। ଏହାକୁ କେବେ ବିଫଳତା ବୋଲି କୁହାଯାଇ ପାରିବ ନାହିଁ। ଆଭ୍ୟନ୍ତରୀଣ ବିଶୃଙ୍ଖଳା ସାଧାରଣ ଜନତାଙ୍କ ସ୍ୱଚ୍ଛନ୍ଦ ଜୀବନଧାରଣ ଦିଗରେ ଅନ୍ତରାୟ। ଗତ ମେ ୩ ତାରିଖରୁ ମଣିପୁର ରାଜ୍ୟରେ ମେଡେଇ ଓ କୁକି ଜନଜାତି ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ହିଂସା ଉତ୍କଟ ରୂପ ନେବା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ଉପରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ ଆଣିବାକୁ ହେଲେ କଠୋର ପଦକ୍ଷେପ ଗ୍ରହଣ କରିବା ନିତାନ୍ତ ଜରୁରୀ।
-ଅଶୋକ କୁମାର ଆଢ଼୍ୟ, ମରୀଚିକୋଟ ଗଳି, ପୁରୀ

ମଣିପୁର ମାମଲାରେ କେନ୍ଦ୍ର ବିଫଳ। ଭାରତ ଶାନ୍ତିପ୍ରିୟ ଦେଶ। ଶାନ୍ତି ଫେରାଇ ଆଣିବା ଦରକାର। ବହୁ ଜୀବନ ଓ ଧନ ସମ୍ପତି ନଷ୍ଟ ହେଲାଣି। ବେଳ ଥାଉଥାଉ ସାବଧାନ ନହେଲେ ଏ ନିଆଁ ପ୍ରସାରିତ ହେବାର ଆଶଙ୍କା ରହିଛି।
-ଦୀନବନ୍ଧୁ ନାୟକ, କଣାସ

କେନ୍ଦ୍ରର ଅସହାୟତା ଜଳଜଳ ଦିଶୁଛି। ନୀରିହ ଲୋକଙ୍କ ଜୀବନ ଓ ଧନ ସମ୍ପତି ପ୍ରତି ବିପଦ ଦେଖା ଦେଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜେ ଏ ବାବଦରେ ପ୍ରତ୍ୟକ୍ଷ ଭାବେ ଆଲୋଚନା ନକରିବା ଓ ଏଥିରେ ରୋକ ଲଗାଇବାରେ ବିଫଳ ହେବା ନିନ୍ଦନୀୟ।
-ମହମ୍ମଦ ହାରୁନ ଖାଁ, ଖୋର୍ଦ୍ଧା

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।