ରାଜ୍ୟ

‘ଫନି’ରେ କ୍ଷତିଗ୍ରସ୍ତ: ୫ ବର୍ଷ ପରେ ବି ସୁଧୁରିଲାନି ଅବସ୍ଥା

ଭୁବନେଶ୍ବର: ୨୦୧୯ ମସିହା ବାତ୍ୟା ‘ଫନି’ରେ ଉପକୂଳ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକରେ ସୁଧାର ଆସିଲାଣି। ହେଲେ ବାତ୍ୟାରେ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବା ମାଇକ୍ରୋବାୟୋଲୋଜି ଲ୍ୟାବ୍‌ ଗୃହ ୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିନି। ଭୁବନେଶ୍ବରରେ ଥିବା ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର ଏହି ଲ୍ୟାବ୍ ସେବେଠାରୁ ବନ୍ଦ ରହିଛି। ରାଜ୍ୟରେ ଔଷଧ ନମୁନା ପରୀକ୍ଷଣ ବ୍ୟବସ୍ଥାର ଏହା ଗୋଟିଏ ଉଦାହରଣ ମାତ୍ର। ଏହି ଲ୍ୟାବ୍‌ରେ ଯେଉଁ ନମୁନା ପରୀକ୍ଷା ହେବା କଥା ସେସବୁ ଏବେ କୋଲକାତାସ୍ଥିତ ସିଡିଏଲ୍‌କୁ ପଠାଯାଉଛି। ଏଥିପାଇଁ ଅର୍ଥ ଖର୍ଚ୍ଚ କରୁଛି ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ। ଏଠାରେ ପରୀକ୍ଷା ସୁବିଧା ଅବ୍ୟବସ୍ଥିତ ହୋଇଯିବାରୁ ଅନ୍ୟ ଏକ ଗୁରୁତର ଅଭିଯୋଗ ମଧ୍ୟ ଆସିଲାଣି। ତାହା ହେଲା, ଏବେ ଭେଷଜ ନିରୀକ୍ଷକମାନେ ନିୟମିତ ନମୁନା ସଂଗ୍ରହ କରୁ ନାହାନ୍ତି। ସେପଟେ ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ନ ଥିବା ଯନ୍ତ୍ରପାତିର ଅବସ୍ଥା କ’ଣ ହୋଇଥିବ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତଥ୍ୟ ଅନୁସାରେ, ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପରିସରରେ ରହିଛି ଔଷଧ ପରୀକ୍ଷଣ କେନ୍ଦ୍ର। ଏହାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ମାଇକ୍ରୋବାୟୋଲୋଜି ଲ୍ୟାବ୍। ‘ଫନି’ ବାତ୍ୟାରେ ଏହି ଲ୍ୟାବ୍‌ ଥିବା ଘର ଦୋହଲି ଯାଇଥିଲା। ଯାହା ଫଳରେ ଏଠାରେ କୌଣସି ନମୁନା ପରୀକ୍ଷା କରାଗଲେ ଫଙ୍ଗସ୍ ସୃଷ୍ଟି ହେଉଛି। ଏଣୁ ବାଧ୍ୟହୋଇ କର୍ତ୍ତୃପକ୍ଷ ଲ୍ୟାବ୍‌ ବନ୍ଦ କରି ଦେଇଛନ୍ତି। ଏହି ଲ୍ୟାବ୍‌ରେ ମୁଖ୍ୟତଃ ଆ‌ଣ୍ଟିବାୟୋଟିକ୍ସ, ଫିନାଇଲ୍‌, ଆଣ୍ଟି କ୍ୟାନସର ଔଷଧ ଇତ୍ୟାଦି ପରୀକ୍ଷଣ ହୋଇଥାଏ। ଗତବର୍ଷ ରାଜ୍ୟରେ ଏକାଧିକ ନକଲି ଔଷଧ ଧରପଗଡ଼ ହୋଇଥିଲା। ତହିଁରୁ କିଛି ହାତଗଣତି ଔଷଧକୁ ବାଦ୍ ଦେଲେ ଅନ୍ୟ ସବୁ ଔଷଧ ନମୁନାର ପରୀକ୍ଷା ପାଇଁ ସରକାର ବାହାରକୁ ପଠାଇଲେ। ଏହି ରିପୋର୍ଟ ପାଇବା ଲାଗି ୧ ମାସରୁ ଅଧିକ ସମୟ ଲାଗିଥିଲା। ଯାହାଫଳରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହୋଇଥିଲା। ରାଜ୍ୟରେ ଏବେ ଭେଷଜ ନିର୍ଦ୍ଦେଶାଳୟର ଲ୍ୟାବ୍‌କୁ ବାଦ୍ ଦେଲେ ସମ୍ବଲପୁରରେ ମଧ୍ୟ ଅନ୍ୟ ଏକ ଉଚ୍ଚମାନର ଲ୍ୟାବ୍ ରହିଛି। ହେଲେ ଏଠାରେ ତାଲିମ୍‌ପ୍ରାପ୍ତ ମାନବ ସମ୍ବଳ ନ ଥିବାରୁ ମାଇକ୍ରୋବାୟୋଲୋଜି ସଂପର୍କିତ କୌଣସି ପରୀକ୍ଷା ହୋଇପାରୁନାହିଁ। ରାଜ୍ୟ ଭେଷଜ ନିର୍ଦ୍ଦେଶକ କିମ୍ବା ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଲ୍ୟାବ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ ଲାଗି ବିଶେଷ ଆଗ୍ରହ ଦେଖାଉନଥିବା ଅଭିଯୋଗ ହେଉଛି। ଏପରିକି ଏହି ଲ୍ୟାବ୍‌କୁ ଏନ୍‌ଏବିଏଲ୍‌(ନ୍ୟାସନାଲ ଆକ୍ରିଡେସନ୍‌ ବୋର୍ଡ ଫର ଟେଷ୍ଟିଂ ଏଣ୍ଡ କାଲିବ୍ରେସନ୍ ଲାବ୍ରୋଟୋରିଜ୍‌) ମାନ୍ୟତା ପ୍ରଦାନ ଲାଗି ମଧ୍ୟ ଉଦ୍ୟମ କରାଯାଉନାହିଁ।

ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି, ଫନିରେ ଭୁବନେଶ୍ବରର ଲ୍ୟାବ୍‌ ଗୃହ ଦୋହଲିଯାଇଛି। ଏବେ ମାଇକ୍ରୋବାୟୋଲୋଜି ଲ୍ୟାବ୍‌କୁ କାର୍ଯ୍ୟକ୍ଷମ ପାଇଁ ଏକ ନୂଆ ଗୃହ ନିର୍ମାଣ ଜରୁରୀ ଥିଲା। ଏଥିପାଇଁ ଖର୍ଚ୍ଚ ଅଟକଳ କରାଯିବା ପରେ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ା ଯାଇଥିଲା। ସରକାର ଅର୍ଥ ମଞ୍ଜୁର କରିବା ପରେ ଗୃହ ନିର୍ମାଣ ଆରମ୍ଭ ହୋଇଛି। ଲ୍ୟାବ୍‌ର ଯେଉଁ ଯନ୍ତ୍ରପାତି ରହିଛି ତାହାକୁ ଏୟାର ଟାଇଟ୍‌ କରି ରଖାଯାଇଥିବାରୁ ନଷ୍ଟ ହେବନାହିଁ। ଭେଷଜ ନିରୀକ୍ଷକମାନେ ଯେଉଁ ନମୁନା ସଂଗ୍ରହ କରୁଛନ୍ତି ସେସବୁର ମାଇକ୍ରୋବାୟୋଲୋଜି ପରୀକ୍ଷା ପାଇଁ ସିଡିଏଲ୍‌ ପଠାଯାଉଛି। ଗୋଟିଏ ନମୁନା ପିଛା କେତେ ଟଙ୍କା ଖର୍ଚ୍ଚ ପଡ଼ୁଛି ତାହାର ହିସାବ ଭେଷଜ ନିର୍ଦ୍ଦେଶକଙ୍କ ପାଖରେ ରହିଛି। ଅପରପକ୍ଷରେ ରାଜ୍ୟ ଭେଷଜ ନିର୍ଦ୍ଦେଶକ ଅଶୋକ ପାତ୍ରଙ୍କୁ ବହୁବାର ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ, ଯଦି ସବୁ ଠିକ୍‌ଠାକ୍ ଚାଲେ, ନୂଆ ଘର ନିର୍ମାଣ କରି ଏହାକୁ କାର୍ଯ୍ୟକ୍ଷମ ହେବାକୁ ଆହୁରି ୬ ମାସ ସମୟ ଲାଗିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।