ରାଜ୍ୟ

ପ୍ଲଟିଂ କରିନେଲେ ପୁରୀ ବେଳାଭୂମି: ପୋତା ହୋଇଛି ଶହଶହ ହଳଦିଆ ଖୁଣ୍ଟ

ପୁରୀ: ପୁରୀ ବେଳାମାର୍ଗ ଷ୍ଟର୍ଲିନ୍‌ ଛକ ନିକଟ ବେଳାଭୂମିରେ ପ୍ଲଟିଂ। ଖଣ୍ଡଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଚାଲିଛି ଯୋଜନା। ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଏହି ଜାଗାକୁ ଚିହ୍ନଟ ପାଇଁ ପୋତାହୋଇଛି ଶହଶହ ହଳଦିଆ ଖୁଣ୍ଟି। ଏହା ପଛରେ ବଡ଼ବଡ଼ ଜମି ମାଫିଆମାନଙ୍କ ହାତ ରହିଥିବା କୁହାଯାଉଛି। ସୁଚିନ୍ତିତ ଭାବେ ଜମିମାଫିଆମାନେ ବେଳାଭୂମିର ଏହି ଜାଗାକୁ ବିକ୍ରି ପାଇଁ ବାହାର ରାଜ୍ୟର କିଛି ଗ୍ରାହକ ବି ଠିକ୍‌ କରି ସାରିଛନ୍ତି। ସିଆର୍‌ଜେଡ୍‌ ନିୟମର ଏହା ଖୋଲା ଉଲ୍ଲଂଘନ ଓ ଦଣ୍ଡନୀୟ ଅପରାଧ। ଅପରପକ୍ଷେ ପିକେଡିଏ(ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ) ଏ ସମ୍ପର୍କରେ ଜାଣିବା ପରେ ଏହା ବିରୋଧରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ କରିଛି। ପିକେଡିଏ ପକ୍ଷରୁ ସିଆର୍‌ଜେଡ୍‌ କର୍ତ୍ତୃପକ୍ଷଙ୍କୁ ଏସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଥିବା ପିକେଡିଏ ସଂପାଦକ ମାୟାଧର ବେହେରା କହିଛନ୍ତି।

ପୁରୀ ପେଣ୍ଠକଟାଠାରୁ ଦିଗବାରେଣି ଛକ ହୋଇ ଷ୍ଟର୍ଲିନ୍‌ ପର୍ଯ୍ୟନ୍ତ ଲମ୍ବିଛି ବଙ୍ଗୋପସାଗରର ବିସ୍ତୃତ ବେଳାଭୂମି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ୨୦୧୯ ଗେଜେଟ୍‌ ନୋଟିଫିକେସନ୍‌(ଭାରତ ସରକାରଙ୍କ ରାଜପତ୍ର)ରେ ସ୍ପଷ୍ଟ ଉଲ୍ଲେଖ ରହିଛି, ସମୁଦ୍ର ଜଳରାଶି ତଥା ଏହାର ଜୈବିକ ବିବିଧତାର ସୁରକ୍ଷା ପାଇଁ ଏଠାରେ ସିଆର୍‌ଜେଡ୍‌ ନିୟମ ଲାଗୁ କରାଯାଇଛି। ଚାରିଭାଗରେ ବିଭକ୍ତ ସିଆର୍‌ଜେଡ୍‌ ଭିତରୁ ସମୁଦ୍ର ଜଳରାଶିକୁ ଲାଗି ରହିଥିବା କୂଳବର୍ତ୍ତୀ ଅଞ୍ଚଳ ସିଆର୍‌ଡେଜ୍‌-୧ ଓ ସିଆର୍‌ଜେଡ୍‌-୨ରେ ଆସୁଛି। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି କି ସିଆର୍‌ଜେଡ୍‌ ଆଇନ ଅଧୀନ ପରିବେଶ ଆଇନ-୧୯୮୬ର ସେକ୍ସନ୍‌-୩ ଆଧାରରେ ଏଠାରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ। କଂକ୍ରିଟ୍‌ ନିର୍ମାଣ କୌଣସି ପରିସ୍ଥିତିରେ ହୋଇପାରିବ ନାହିଁ। କିନ୍ତୁ ସିଆର୍‌ଜେଡ୍‌ ନିୟମର ଖୋଲା ଉଲ୍ଲଂଘନ କରି ଷ୍ଟର୍ଲିନ୍‌ ଛକ ବୁଲାଣି ନିକଟରେ ସମୁଦ୍ରକୁ ଲାଗି ବେଳାଭୂମି ଉପରେ କରାଯାଇଛି ପ୍ଲଟିଂ। ଯେଉଁଠି ସମୁଦ୍ର ଜଳରାଶି ବି ଆସି ମାଡ଼ ହେଉଛି। ତଥାପି ଜମି ମାଫିଆମାନେ ଏହା ଉପରେ ଲୋଲୁପ ନଜର ପକାଇଛନ୍ତି। ପୁରୀ ସହର ଓ ସହରତଳି ଅଞ୍ଚଳରେ ସରକାରୀ ଜମିକୁ ଅବାଧ ଦଖଲରେ ଲାଗି ପଡ଼ିଥିବା ଏହି ଜମିମାଫିଆମାନେ ଏବେ ବେଳାଭୂମି ଭଳି ପ୍ରକୃତିର ବିରଳ ପରିବେଶକୁ ଖିନଭିନ୍‌ କରିବାକୁ ସୁଚିନ୍ତିତ ଷଡ୍‌ଯନ୍ତ୍ର କରିଛନ୍ତି।

ପିକେଡିଏ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି, ଏସମ୍ପର୍କିତ ଅଭିଯୋଗ ମିଳିବା ପରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛୁ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ବି ଅବଗତ କରାଯାଇଛି। ଯେଉଁ ଜାଗାରେ ପ୍ଲଟିଂ କରାଯାଉଛି, ତାହା ସିଆର୍‌ଜେଡ୍‌-୨ ଅଞ୍ଚଳରେ ଆସୁଛି। ଏହା ନିଷିଦ୍ଧାଞ୍ଚଳ। ଏଠାରେ କୌଣସି ନିର୍ମାଣ ହୋଇପାରିବନି। ଏଣୁ ସିଆର୍‌ଜେଡ୍‌ କର୍ତ୍ତୃପକ୍ଷଙ୍କୁ ଏସମ୍ପର୍କରେ ଚିଠି କରି ବିହିତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି। ଏଠାରେ ନିର୍ମାଣ ପାଇଁ ଜଣେ ବ୍ୟକ୍ତି ଆମକୁ ଅନୁମତି ମାଗିଥିଲେ। ଏହାକୁ ଖାରଜ କରାଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।