ନୂଆଦିଲ୍ଲୀ ୦୯।୦୨: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ‘ପ୍ରବାସୀ ଭାଷା ସମ୍ମାନ’ ୨୦୨୧ ପାଇଁ ଘୋଷଣା କରାଯାଇଛି । ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଡଃ ଭଗବାନ ପ୍ରକାଶ, ଶ୍ରୀ ଅମରେନ୍ଦ୍ର ଖଟୁଆ ଓ ପ୍ର. ଉଦୟନାଥ ସାହୁଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଓ ସ୍ବତନ୍ତ୍ର ଅତିଥି ବିଶ୍ବ ଓଡିଆ ସଂସ୍ଥାନ ତଥା ଓଡିଆ ସୋସାଇଟି ଅଫ ଆମେରିକାର ଅଧ୍ୟକ୍ଷା ଶ୍ରୀମତୀ କୁକୁ ଦାସ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପିକା ଡଃ ସୁବାସିନୀ ବାରିକ ଓ ସଂଗଠନର ସମ୍ପାଦକ ଶ୍ରୀ ଶ୍ୟାମାନୁଜ ଦାସଙ୍କ ଉପସ୍ଥିତିରେ ଓଡିଆ ଭାଷା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ୧୨ ଜଣ ବରିଷ୍ଟ ବ୍ୟକ୍ତିତ୍ବଙ୍କ ନାମ ଘୋଷଣା କରାଯାଇଛି । ଏଥି ସହିତ ୩ ଜଣ ଯୁବ ପ୍ରତିଭା ଓ ୪ ଟି ଅନୁଷ୍ଠାନକୁ ଓଡିଆ ଭାଷା ପ୍ରତି ବିଶେଷ ଅବଦାନ ପାଇଁ ପ୍ରବାସୀ ଭାଷା ସମ୍ମାନରେ ସମ୍ମାନୀତ କରାଯିବ ବୋଲି ନିଷ୍ପତି ନିଆଯାଇଛି ।
ଚଳିତ ବର୍ଷ ଓଡିଆ ଭାଷାରେ ପ୍ରଥମ ସ୍ତମ୍ଭ ସମ୍ମାନ ‘ଆମ ଘରର ହାଲଚାଲ” ପାଇଁ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ । ଓଡିଶୀ ସଙ୍ଗୀତକୁ ବିଶେଷ ଅବଦାନ ପ୍ରଦାନ କରିଥିବା ଶ୍ୟାମାମଣୀ ଦେବୀ, ଓଡିଶୀ ନୃତ୍ୟ ଓ ଓଡିଆ ଭାଷା ସଂସ୍କୃତି ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିବା ଓଡିଶୀ ନୃତ୍ୟଗୁରୁ ଇଲିୟାନା ସିଟାରିଷ୍ଟ ଓ ଓଡିଆ ଭାଷାକୁ ସମାଜର ସର୍ବନିମ୍ନ ସ୍ତରରେ ନିଜ ଲେଖା ମାଧ୍ୟମରେ ଲୋକପ୍ରିୟ କରିବା ସହିତ ଭାଷା ପ୍ରତି ଆବେଗ ସୃଷ୍ଟି କରିବାରେ ସଫଳ ହେବା ସହିତ ୫୦୦ ରୁ ଉର୍ଦ୍ଧ୍ବ ଉପନ୍ୟାସ ରଚନା କରିଥିବା ଲେଖକ ଶ୍ରୀ ଭାଗିରଥି ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।
ଲେଖକ ଓ ସାହିତ୍ୟ ସଂଘଠକ ଇଂ ପ୍ରଭାକର ସ୍ବାଇଁ, ଓଡିଆ ଭାଷା ପ୍ରତି ପ୍ରତିବଦ୍ଧିତ ବରିଷ୍ଟ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥି, ଅନୁବାଦ ପାଇଁ ପ୍ର. ଯତୀନ ନାୟକ, ଭାଷା ବିଶେଷଜ୍ଞ ଡଃ ହରପ୍ରସାଦ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ| ପୁରୁଣା ଓଡିଆ ସଙ୍ଗୀତକୁ ଏକ ଅଭିନବ ଉପାୟରେ ନିରବଚ୍ଛିନ୍ନ ଭାବରେ ସଂରକ୍ଷଣ କରିବାରେ ପ୍ରୟାସ ରତ ଡଃ ସରୋଜ ସିଂ, ଆନ୍ତର୍ଜାତୀୟ ସ୍ତରରେ ଓଡିଆ ପୋଥି ଓ ପାଣ୍ଡୁଲିପି ଆଧାରିତ ବିଶେଷ ଗବେଷଣା ପାଇଁ ଡଃ ଶୋଭାରାଣୀ ଦାସ, ଚିତ୍ରକାର ଶ୍ରୀ ବିଜୟ ବିଶ୍ବାଳ ଓ ବିଦେଶରେ ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ବିଶେଷ ଅବଦାନ ରଖିଥିବା ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କୁ ମଧ୍ୟ ପ୍ରବାସୀ ଭାଷା ସମ୍ମାନ ପ୍ରଦାନ କରାଯିବ । କର୍ପୋରେଟ କ୍ଷେତ୍ରରେ ଓଡିଆ ଭାଷାର ଉନ୍ନତି ପାଇଁ ବିଶେଷ ଅବଦାନ ରଖିଥିବାରୁ ଇଫକୋ ପାରଦୀପର ମାନବ ସମ୍ବଳ ନିର୍ଦେଶକ ଶ୍ରୀ ଜ୍ଞାନ ଚାନ୍ଦ ଆଚାର୍ଜ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।
ଓଡିଆ ଦୈନିକ ଖବର କାଗଜ ‘ପ୍ରମେୟ’ ଓ ସ୍ବାଧୀନତା କାଳରୁ ଭାଷାର ଉନ୍ନତି ପାଇଁ ଅନବରତ କାମ କରୁଥିବା ‘ଜ୍ଞାନମଣ୍ଡଳ’ ଓ ଉପାନ୍ତ ଅଞ୍ଚଳରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ହେଉଥିବା ‘କୋରାପୁଟ ସାହିତ୍ୟ ମହୋତ୍ସବ’କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବ । ଯୁବବର୍ଗକୁ ଓଡିଆ ଭାଷା ପ୍ରତି ଅଭିନବ ଉପାୟରେ ଆକୃଷ୍ଟ କରାଉ ଥିବା ତିନି ଜଣ ଯୁବ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେମାନେ ହେଲେ ଓଡିଆ ରାପର ‘ବିଗଡିଲ’ (ରିଷି ମହାନ୍ତି), ନଟିଆ (କାର୍ଟୁନ ୟୁଟ୍ୟୁବ ଚାନେଲ) ଓ ଗଜପତି (ଟ୍ଵିଟର)।
ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଥିବାରୁ ଏହି ପୁରସ୍କାର ୱେବିନାର ମାଧ୍ୟମରେ ପ୍ରଦାନ କରାଯିବ । ଆସନ୍ତା ପେବୃୟାରୀ ୨୦ ଏବଂ ୨୧ ତାରିଖରେ ଦି ଇଣ୍ଟେଲେକ୍ଟସ ଓ ବିଶ୍ବ ଓଡିଆ ସଂସ୍ଥାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ୪୦ ରୁ ଅଧିକ ଦେଶ, ସମସ୍ତ ୬ ଟି ଭାରତୀୟ ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାର ପ୍ରତିନିଧି ମାନେ ଅଂଶଗ୍ରହଣ କରିବେ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।

