ରାଜ୍ୟ

ପୁରୀ ବେଳାଭୂମିରେ ଖୋଲିବନି ‘ମଦ କୁଡ଼ିଆ’: ଅବକାରୀ ନୀତିକୁ ସଂଶୋଧନ କଲେ ସରକାର

ଭୁବନେଶ୍ବର: ପୁରୀ ବେଳାଭୂମିରେ ବିଚ୍‌ସାକ୍ସ ବା ମଦ କୁଡ଼ିଆ ଖୋଲିବାକୁ ନେଇ ସବୁ ମହଲରୁ ପ୍ରତିବାଦ ହେଲା ପରେ ସରକାର ପଛଘୁଞ୍ଚା ଦେଇଛନ୍ତି। ଏଥି ପାଇଁ ଅବକାରୀ ନୀତିରେ କିଛିଟା ସଂଶୋଧନ କରିଛନ୍ତି। ବେଳାଭୂମିରେ ମଦ କୁଡ଼ିଆ ଖୋଲାଯିବା ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି। କିନ୍ତୁ ସେଥିରେ କେତୋଟି ପ୍ରତିବନ୍ଧକ ଲଗାଯାଇଛି। ନିର୍ଦ୍ଦିଷ୍ଟ ଭାବେ ପୁରୀ ପୌରପାଳିକା ପରିସରରେ ବେଳାଭୂମିରେ ‌ମଦ କୁଡ଼ିଆ ଖୋଲିବ ନାହିଁ। ଏହା ସହ ସାମାଜିକ-ଧାର୍ମିକ-ସାଂସ୍କୃତିକ ଗୁରୁତ୍ବ ବହନ କରୁଥିବା ସ୍ଥାନଗୁଡ଼ିକର ୫ କିଲୋମିଟର ପରିଧି ଭିତରେ ମଦ କୁଡ଼ିଆ ଖୋଲିବ ନାହିଁ। କେଉଁ ସ୍ଥାନଗୁଡ଼ିକ ସାମାଜିକ-ଧାର୍ମିକ-ସାଂସ୍କୃତିକ ଗୁରୁତ୍ବ ବହନ କରୁଛି, ତାହାର ନିଷ୍ପତ୍ତି ପର୍ଯ୍ୟଟନ ବିଭାଗ ନେବ। ଏ ସମ୍ପର୍କରେ ଆଜି ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। 

ଆଜି ରାଜ୍ୟ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସ୍ପଷ୍ଟ କରିଛନ୍ତି ଯେ ପୁରୀ ବେଳାଭୂମିର ପବିତ୍ରତା ନଷ୍ଟ କରିବାକୁ ଦିଆଯିବନାହିଁ। ବିଚ୍‌ସାକ୍ସ ଖୋଲିବାକୁ କିଛି ନିର୍ଦ୍ଦିଷ୍ଟ ଜାଗା ବଛାଯାଇଛି। ବେଳାଭୂମି ନିକଟରେ ଥିବା ବହୁ ଧାର୍ମିକ ଅନୁଷ୍ଠାନ ଆଦୌ ପ୍ରଭାବିତ ହେବ ନାହିଁ କି ପରମ୍ପରା ମଧ୍ୟ କ୍ଷତିଗ୍ରସ୍ତ ହେବ ନାହିଁ। ପ୍ରଥାନୁସାରେ ବେଳାଭୂମିରେ ପାଳିତ ହୋଇଆସୁଥିବା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ସ୍ଥାନରୁ ୫ କିମି ଦୂରରେ ବିଚ୍‌ସାକ୍ସ ଖୋଲାଯିବାକୁ ଅନୁମତି ମିଳିବ। ତେଣୁ ପୁରୀ ପୌରପାଳିକା ଓ ତା’ର ଆଖପାଖ ଅଞ୍ଚଳରେ ମଦ କ୍ୟାବିନ୍‌ ଖୋଲିବାକୁ ଦିଆଯିବ ନାହିଁ। ଯେଉଁଠି ଇକୋ ରିଟ୍ରିଟ୍‌ ଥିଲା, ସେଭଳି ଜାଗାରେ ବିଚ୍‌ସାକ୍ସ ଖୋଲିବ। 

ଅବକାରୀ କମିସନର ନରସିଂହ ଭୋଳ ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ବିଚ୍‌ସାକ୍ସ ପାଇଁ ନୂଆ ଅବକାରୀ ନୀତିରେ ସୁଯୋଗ ରହିଛି। କିନ୍ତୁ ଏହା କୌଣସି ଧର୍ମୀୟ ଭାବନାକୁ ଯେମିତି ପ୍ରଭାବିତ ନ କରେ, ସେଥିପ୍ରତି ଦୃଷ୍ଟି ରଖିବାକୁ ପ୍ରାବଧାନ ରହିଛି। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ୨୦୨୧ ଓ ୨୦୨୨ ରେ ବିଚ୍‌ସାକ୍ସ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ କେବଳ ଓଟିଡିସିକୁ ଲାଇସେନ୍‌ସ ଦିଆଯାଉଥିଲା। ଓଟିଡିସି ସ୍ଥାନ ନିରୁପଣ କରି ଅବକାରୀ ବିଭାଗକୁ ଆବେଦନ କରୁଥିଲା ଏବଂ ତର୍ଜମା କଲା ପରେ ଲାଇସେନ୍‌ସ ପ୍ରଦାନ କରାଯାଉଥିଲା। କିନ୍ତୁ ପୂର୍ବରୁ ବି କେବେ ପୁରୀ ବେଳାଭୂମି ପାଇଁ ଲାଇସେନ୍‌ସ ଦିଆଯାଇନାହିଁ। ଏବେ ବି ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଧର୍ମୀୟ ପରମ୍ପରା ପାଳନ ହେଉଥିବା ସ୍ଥାନର ପବିତ୍ରତା ବଜାୟ ରହିବ।

ପୁରୀରେ ବିଚ୍‌ସାକ୍ସ ପ୍ରସଙ୍ଗକୁ ନେଇ ଗତ କିଛି ଦିନ ହେଲା ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଉଛି। ଶଙ୍କରାଚାର୍ଯ୍ୟ ଏହି ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ବୁଦ୍ଧିଜୀବୀ ମହଲରୁ ବି ସରକାରଙ୍କୁ କଟୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ଏହା ଗୋଆ କିମ୍ବା ଦୀଘା ବେଳାଭୂମି ଭଳି କେବଳ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହି ପବିତ୍ର ବେଳାଭୂମିରେ ଶଙ୍କରାଚାର୍ଯ୍ୟ ବଡ଼ଆଳତି କରନ୍ତି। ମହୋଦଧୀରେ ମହାଆଳତି ଏକ ପରମ୍ପରା। ସେହିଭଳି ଏଠାରେ ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେଇ ବଡ଼ବଡ଼ିଆ ଡକା ହେବାର ବିଧି ରହିଛି। ତେଣୁ ପୁରୀ ବେଳାଭୂମି ସହ ଓଡ଼ିଆ ଜାତିର ଧର୍ମୀୟ ଭାବା‌ବେଗ ଜଡ଼ିତ। ଏଠାରେ ବିଚ୍‌ସାକ୍ସ ଖୋଲି ପାଶ୍ଚାତ୍ୟ ଅପସଂସ୍କୃତିକୁ ଏଠାରେ ପ୍ରବେଶ କରିବାକୁ ଅନୁମତି ନ ମିଳୁ ବୋଲି ଦାବି ହୋଇ ଆସୁଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।