ପୁରୀ ୦୭।୧୦- ଶାରଦୀୟ ଦୂର୍ଗା ପୂଜାକୁ ଗୋଷାଣୀ ଯାତ୍ରା ଭାବେ ପାଳନ କରାଯାଇଥାଏ ପୁରୀରେ। ତେବେ ଏହି ଅବସରରେ ବିଭିନ୍ନ ସାହି ମାନଙ୍କରେ ମା’ ଙ୍କର ମୃଣ୍ମୟ ଗୋଷାଣୀ ପ୍ରିତିମା ସହ ବିରାଟ କାୟ ନାଗାମୁର୍ତ୍ତି ନିର୍ମାଣ ଏବଂ ପୂଜା କରିବାର ପରମ୍ପରା ରହିଛି। ଶହ ଶହ ବର୍ଷ ଧରି ନାଗା ପୁରୀ ବାସିଙ୍କ ପାଇଁ ପୌରୁଷ ଓ ବିରତ୍ୱର ପ୍ରତୀକ ହୋଇଥିବାରୁ ଏହି ଅବସରରେ ନାଗାମୂର୍ତ୍ତି ଗୁଡ଼ିକ ପୂଜା ଓ ଆବାହନ ପୁରୀର ଏକ ନିଆରା ପରମ୍ପରା।
ଶାରଦୀୟ ପୁଜା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେ ବେଶ୍ ଚଳଚଞ୍ଚଳ। ବିଭିନ୍ନ ସାହି ବସ୍ତିରେ ପୂଜା ପାଉଛନ୍ତି ମା’ ଙ୍କର ମୃଣ୍ମୟ ପ୍ରତିମା ଗୋଷାଣୀ। ବିଶେଷ କରି ସହରର ପାରମ୍ପରିକ ଗୋଷାଣୀ ମାନଙ୍କ ସହିତ ଏଠାରେ ଥିବା ନାଗା ପୂଜାର ବିଧି ବ୍ୟବସ୍ଥା ମଧ୍ୟ ବେଶ୍ ନିଆରା। ଏହି ଅବସରରେ ବିରାଟକାୟ ନାଗାମୁର୍ତ୍ତିର ନିର୍ମାଣ ସହ ସାଜସଜ୍ଜାରେ ଲାଗିଛନ୍ତି ସ୍ଥାନୀୟ ଯୁବକ ମାନେ। ନାଗାମୁର୍ତ୍ତି ପୁରୀ ବାସୀଙ୍କ ପାଇଁ ବୀରତ୍ୱ ଓ ପୌରୁଷର ପ୍ରତୀକ ହୋଇଥିବାରୁ ଶାରଦୀୟ ପୂଜାରେ ସେମାନଙ୍କୁ ମଧ୍ୟ ପୂଜା କରିବାର ପରମ୍ପରା ରହିଛି। ନାଗାମୁର୍ତ୍ତି ମାନଙ୍କୁ ବାଘଛାଲ, ବନ୍ଧୁକ, ଢ଼ାଲ, ଓରମାଳ, ହାଣ୍ତିଆ ଏବଂ ଅସ୍ତ୍ରଶସ୍ତ୍ର ପ୍ରଭୃତି ଦ୍ୱାରା ସଜ୍ଜିତ କରିବାର ପରମ୍ପରା ମଧ୍ୟ ରହିଛି।
କିମ୍ୱଦନ୍ତୀ ଅନୁଯାୟୀ ବଳିଷ୍ଠ ବୀର ପୁରୁଷ ନାଗାମାନେ ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରୁଥିଲେ। ନାଗା ମାନଙ୍କର ଏଭଳି ପୌରୁଷତ୍ୱକୁ ନେଇ ଯାଗା ଆଖଡ଼ା ମାନଙ୍କରେ ନାଗା ନୃତ୍ୟର ଶିକ୍ଷା ଦିଆଯାବି ସହିତ ସାହିଯାତ ସମୟରେ ଏହା ପ୍ରଦର୍ଶିତ ହୋଇଥାଏ। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବାର ପରମ୍ପରା ମଧ୍ୟ ରହିଛି। ଏଣୁ ସହରର ପୁରାତ୍ତନ ସାହି ବାଲି ସାହି, ହରଚଣ୍ତୀ ସାହି, ମାର୍କଣ୍ତେଶ୍ୱର ସାହି, ଦୋଳମଣ୍ତପ ସାହି, ହେରାଗୋହିରୀ ସାହି, ନରେନ୍ଦ୍ର କୋଣ ଏବଂ ବଳଗଣ୍ତି ଛକ ପ୍ରଭୃତି ଅଞ୍ଚଳରେ ବିରାଟ କାୟ ନାଗାମୁର୍ତ୍ତି ନିର୍ମାଣ କରାଯାଇ ଭଷାଣୀ ଦିନ ଏମାନଙ୍କୁ ସିଂହଦ୍ୱାର ନିକଟରେ ଏକତ୍ରିତ କରାଯାଇ ପ୍ରଦର୍ଶିତ କରାଯାଏ।
ଶାରଦୀୟ ପୂଜା ଅବସରରେ ନାଗାମୁର୍ତ୍ତି ନିର୍ମାଣ ଶ୍ରୀକ୍ଷେତ୍ରର ଏକ ନିଆରା ପରମ୍ପରା। ସାହି ଗୁଡ଼ିକରେ ଗୋଷାଣୀ ପୂଜା ସହ ନାଗାମୁର୍ତ୍ତି ଗୁଡ଼ିକର ଆକର୍ଷଣୀୟ ପୂଜା ଭକ୍ତ ଓ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ।

