ରାଜ୍ୟ

ପିସିସି ସଭାପତି ଶରତଙ୍କୁ କାଳିମାଡ଼: କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଛି। କଂଗ୍ରେସ ଭବନରେ ବସିଥିବା ସମୟରେ ମାସ୍କ ପିନ୍ଧିଥିବା କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇ କାଳି ମାଡ଼ କରିଥିଲେ। ସଭାପତିଙ୍କ ବିରୋଧରେ ନାରାବାଜି କରିଥିଲେ। ତେବେ କାଳି ମାଡ଼ ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନାହିଁ। କାଳି ମାଡ଼ ଘଟଣାରେ କଂ‌ଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏଆଇସିସି ନିର୍ଦ୍ଦେଶକ୍ରମେ ଆଜି କଂଗ୍ରେସ ପକ୍ଷରୁ ନିଟ୍‌ ପେପର ଲିକ୍‌ ଘଟଣାରେ ପ୍ରତିବାଦ ଡାକରା ଦିଆଯାଇଥିଲା। ବିକ୍ଷୋଭ ପୂର୍ବରୁ ସଭାପତି ଶ୍ରୀ ପଟ୍ଟନାୟକ ନିଜ ଚାମ୍ବରରେ କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ କିଛି ଯୁବକ ସଭାପତିଙ୍କ ଚାମ୍ବର ଭିତରକୁ ଧସେଇ ପଶିଥିଲେ। କିଏ କିଛି ବୁଝିବା ପୂର୍ବରୁ ହାତରେ ଧରିଥିବା କାଳିକୁ ସଭାପତିଙ୍କୁ ମାଡ଼ କରିଥିଲେ। କେବଳ ସଭାପତି ନୁହନ୍ତି, ଚାମ୍ବରରେ ଥିବା ଅନ୍ୟ ନେତା ମଧ୍ୟ ଏଥିରୁ ବର୍ତି ନାହାନ୍ତି। କାଳି ମାଡ଼ କରାଯିବାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ସଂପୃକ୍ତ ଗୋଷ୍ଠୀ ଏହି ଭିଡିଓ ଉତ୍ତୋଳନ କରୁଥିବା କୁହାଯାଉଛି। ତେବେ କଂଗ୍ରେସ ଭବନରେ ପଶିଥିବା ଏହି ଯୁବକମାନେ କାହାର ସମର୍ଥକ ତାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି। ନିର୍ବାଚନରେ ପୁଞ୍ଜିଭୂତ ଅସନ୍ତୋଷର ଫଳସ୍ବରୂପ କିଛି ନେତାଙ୍କ ସମର୍ଥକ ଏହି କାଣ୍ଡ ଭିଆଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅବଶ୍ୟ ପରେ କଂଗ୍ରେସର ବିକ୍ଷୋଭ କାର୍ଯ୍ୟକ୍ରମରେ ପିସିସି ସଭାପତି କାଳି ପଡ଼ିଥିବା ପୋଷାକ ପିନ୍ଧି ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ କଂଗ୍ରେସର ବରିଷ୍ଠ ନେତା ସନତ ଦାସ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି।

ନିଜ ପ୍ରତିକ୍ରିୟାରେ ପିସିସି ସଭାପତି କହିଛନ୍ତି, ବିଜେପି ସରକାର ସମୟରେ ନିଟ୍‌ ପରୀକ୍ଷା ପେପର ଲିକ୍ ପାଇଁ ଦେଶରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାର ପ୍ରତିବାଦରେ ପ୍ରତ୍ୟେକ ରାଜ୍ୟରେ ଆନ୍ଦୋଳନ କରାଯାଉଛି। କିଛି ଦୁର୍ବୃତ୍ତ ବୋତଲରେ ଆଣିଥିବା କିଛି ଜିନିଷ ଫୋପାଡ଼ିଛନ୍ତି। ରାଜନୈତିକ ଜୀବନରେ କେତେବେଳ ଫୁଲ ମାଳ ମିଳେ ତ ଆଉ କେତେବେଳେ ଚପଲ ଓ ଟେକା ମାଡ଼ ମଧ୍ୟ ହୁଏ। ଏହା ମୋ ପାଇଁ ନୂଆ ନୁହେଁ ଓ ଏଥିରେ ମୁଁ ବିବ୍ରତ ନୁହେଁ। ଛାତ୍ର କଂଗ୍ରେସ ଜୀବନରୁ ସଂଘର୍ଷ କରିବା ଶିଖିଛି। ଏଥିରେ କୌଣସି ଶକ୍ତି ମୋତେ ‌ଦବେଇପାରିବେ ନାହିଁ। ବିଜେପି କିମ୍ବା ଅନ୍ୟ କାହା ପ୍ରରୋଚନାରେ ଆସିଥିବା ଦୁର୍ବୃତ୍ତମାନେ ଯେଉଁ କାଣ୍ଡ କରିଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ହେଲେ ମୁଁ ସେମାନଙ୍କୁ କ୍ଷମା କରିଦେଉଛି। କଂ‌ଗ୍ରେସକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଥିବା ଶକ୍ତିକୁ ବରଦାସ୍ତ କରିବୁ ନାହିଁ। କଂଗ୍ରେସ ରାଜ୍ୟରେ ଉଠିବାକୁ ଚେଷ୍ଟା କରୁଥିବା ବେଳେ କିଛି ଅହଂକାରୀ ଲୋକ ଏଭଳି କାଣ୍ଡ କରିଥିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଉଲ୍ଲେଖ ଯେ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ବିରୋଧର ସ୍ବର ଉଠିଛି। ଦଳ କ’ଣ ପାଇଁ ଦୁର୍ବଳ ପ୍ରଦର୍ଶନ କଲା ତାହାର କାରଣ ଖୋଜିବା ଲାଗି ଏଆଇସିସି ପକ୍ଷରୁ ୨ଜଣିଆ ତଥ୍ୟ ସଂଗ୍ରହକାରୀ କମିଟି ଗଠନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।