ରାଜ୍ୟ ସ୍ପେଶାଲ ରିପୋର୍ଟ

ପିଲାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଆଜି ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ଏଥିରେ ବାଲେଶ୍ବର ଜିଲ୍ଲାର ୨୩୩ଟି ହାଇସ୍କୁଲ, ନୟାଗଡ଼ ଜିଲ୍ଲାର ୬୪ଟି, ନୂଆପଡ଼ା ଜିଲ୍ଲାର ୫୮ଟି, ସୁନ୍ଦରଗଡ଼ ଜିଲ୍ଲାର ୪୯ଟି ହାଇସ୍କୁଲ ଓ ରାୟଗଡ଼ା ଜିଲ୍ଲାର ୪୫ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହା ଦ୍ବାରା ତୃତୀୟ ପର୍ଯ୍ୟାୟରେ ତିନି ଦିନରେ ସମୁଦାୟ ୧୧୩୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ତିନିଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡ଼ି ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ୫-ଟିର ଉପଯୋଗ ସମ୍ପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ। ଜୀବନର ସବୁ କ୍ଷେତ୍ରକୁ ଟେକ୍‌ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ। ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ। ସେହିପରି ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇ ସେ କହିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ। ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ। ପିଲାମାନେ ମିଳିମିଶି କାମ କଲେ ସଫଳତାର ସମ୍ଭାବନା ବଢ଼ିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ରୂପାନ୍ତର ବା ସଫଳତା ଆସିବ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀମାନଙ୍କ ସଫଳତା ହେଉଛି ଓଡ଼ିଶାର ସଫଳତା। ୫-ଟି ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡ଼ିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବାଲେଶ୍ବର ଜିଲ୍ଲାରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ନୟାଗଡ଼ରେ ବିଧାୟକ ଅରୁଣ କୁମାର ସାହୁ, ନୂଆପଡ଼ାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସୁନ୍ଦରଗଡ଼ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରାୟଗଡ଼ାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଏ ରୂପାନ୍ତର ସାରା ଭାରତବର୍ଷରେ ଗୁଞ୍ଜରଣ ସୃଷ୍ଟି କରିଛି। ବିଧାୟକ ଅରୁଣ ସାହୁ କହିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ଆଜି ସରକାରୀ ସ୍କୁଲର ମର୍ଯ୍ୟାଦା ବୃଦ୍ଧି ପାଇଛି। ବେସରକାରୀ ସ୍କୁଲରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଆଜି ସରକାରୀ ସ୍କୁଲକୁ ଫେରାଇ ଆଣୁଛନ୍ତି। କେବଳ ନୟାଗଡ ଜିଲ୍ଲାରେ ୭୦୦ ପିଲା ବେସରକାରୀ ସ୍କଲରୁ ସରକାରୀ ସ୍କୁଲକୁ ଆସିଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି କେ ପାଣ୍ଡିଆନ କହିଥିଲେ ଯେ ସବୁ ଜିଲ୍ଲାରେ ଆଉ ଯେତେ ସରକାରୀ ହାଇସ୍କୁଲ ରହିଛି, ସେସବୁ ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହେବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସରକାରୀ ସ୍କୁଲକୁ ରୂପାନ୍ତରିତ କରାଯିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ। ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ବାଲେଶ୍ବରର ଗୋପାଳି ପ୍ରିୟଦର୍ଶିନୀ ଜେନା, ନୟାଗଡ଼ର ସାୟଂଶ୍ରୀ ଦାଶ, ନୂଆପଡ଼ାର ନନ୍ଦିନୀ ରାଉତ, ସୁନ୍ଦରଗଡ଼ର ଦିବ୍ୟକାନ୍ତି ଓରାମ ପ୍ରମୁଖ ଛାତ୍ରୀମାନେ ସେମାନଙ୍କ ପାଇଁ ହୋଇଥିବା ସ୍ବତନ୍ତ୍ର ଟଏଲେଟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନେ କହିଥିଲେ, ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିଛି। ଆମ ପାଇଁ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ତା’ ଭିତରେ ସବୁଠାରୁ ଭଲ କଥା ହେଉଛି, ଆମ ଝିଅମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ଟଏଲେଟର ବ୍ୟବସ୍ଥା। ଛାତ୍ରୀମାନଙ୍କ ପାଇଁ ଏହା ଅତି ଜରୁରୀ ଥିଲା। ଏହା ସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାରୁ ସେମାନଙ୍କ ସାକାର ହେବା ଆହୁରି ସହଜ ହୋଇଛି ବୋଲି ସେମାନେ କହିଥିଲେ। ସେମାନେ ସମସ୍ତେ ବଡ଼ ହେଲେ ଡାକ୍ତର, ଶିକ୍ଷକ ଓ ଆଇଏଏସ୍‌ ଅଫିସର ଆଦି ହେବାପାଇଁ ସ୍ବପ୍ନ ଦେଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।