ପାଟଣା ୦୨/୦୧: ବିହାର ରାଜନୀତିର ଏକ ଚର୍ଚ୍ଚିତ ଚେହେରା ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତାଙ୍କର ରାଜନୈତିକ କାର୍ଯ୍ୟକଳାପ ହେଉ ଅବା ଅନ୍ୟ କୌଣସି ପାଇଁ ସେ ସଦାସର୍ବଦା ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ହେଲେ ଏବେ ତାଙ୍କ ପୁଅ ତାଙ୍କ ଠାରୁ ଆଗରେ ରହି ସବୁଠି ଚର୍ଚ୍ଚିତ । କାରଣ ବିହାରର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଅଧିକ ଧନୀ ।
ସୂଚନା ଅନୁଯାୟୀ, ବିହାର ସିଏମ ନୀତିଶଙ୍କ ପୁଅ ନିଶାନ୍ତ ତାଙ୍କ ପିତାଙ୍କଠାରୁ ପାଞ୍ଚ ଗୁଣ ଅଧିକ ଧନୀ । ନୀତୀଶଙ୍କର ୭୫.୩୬ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ପୁଅ ନିଶାନ୍ତ ତାଙ୍କଠାରୁ ପ୍ରାୟ ପାଞ୍ଚ ଗୁଣ ଅଧିକ ଧନସମ୍ପତ୍ତି ଅଛି । ଡିସେମ୍ବର ୩୧ରେ ବିହାର ସରକାରଙ୍କ ୱେବସାଇଟରେ ଅପଲୋଡ୍ ହୋଇଥିବା ତଥ୍ୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସମ୍ପତ୍ତି ବିବରଣୀ ଅନୁଯାୟୀ ନୀତିଶ କୁମାରଙ୍କ ନଗଦ ୨୯,୩୮୫ ଟଙ୍କା ଥିବାବେଳେ ବ୍ୟାଙ୍କରେ ଜମା ରହିଛି ୪୨,୭୬୩ ଟଙ୍କା ।
ତେବେ ପୁଅ ନିଶାନ୍ତଙ୍କର ବ୍ୟାଙ୍କରେ ଫିକ୍ସଡ ଜମା ସହ ଅନ୍ୟ ସମସ୍ତ ଜମାରାଶିକୁ ମିଶାଇ ପ୍ରାୟ ୧.୨୮ କୋଟି ଟଙ୍କା ରହିଛି । ନୀତିଶ କୁମାରଙ୍କର ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୫୮.୮୫ ଲକ୍ଷ ଥବାବେଳେ ପୁଅ ନିକଟରେ ଅଛି ୧.୬୩ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅଛି । ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ପ୍ରାୟ ୧.୯୮କୋଟି ଟଙ୍କା ହେବ ।
ନୂଆଦିଲ୍ଲୀର ଦ୍ୱାରକାଠାରେ ଏକ ସହାୟକ ହାଉସିଂ ସୋସିଇଟରେ ନୀତିଶ କୁମାରଙ୍କର ଏକ ଆବାସିକ ଫ୍ଲାଟ ଥିବାବେଳେ ତାଙ୍କ ପୁଅର କଲ୍ୟାଣ ବିଗା, ହକିକତପୁର ଏବଂ ପାଟନାରେ କଙ୍କାରବାଗରେ କୃଷି ଜମି ଏବଂ ଆବାସିକ ଘର ଅଛି । ସୂଚନା ଅନୁଯାୟୀ ନିଶାନ୍ତଙ୍କ ନିଜ ଗାଁ କଲ୍ୟାଣ ବିଘାରେ କୃଷି ଜମି ରହିଛି । ଗାଁରେ ତାଙ୍କର ଅଣ କୃଷି ଜମି ମଧ୍ୟ ଅଛି । ତାଙ୍କ ପାଖରେ ୧୩ ଟି ଗାଈ ଏବଂ ୧.୪୫ ଲକ୍ଷ ଟଙ୍କା ବିଶିଷ୍ଟ ନଅଟି ବାଛୁରୀ ଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।