ରାଜ୍ୟ

ପିଟିଲା ଟ୍ରକ୍‌, ଜଳିଗଲା କାର୍‌: ରାଜପଥ ଘଣ୍ଟାଏ ଜାମ୍‌

ଭୁବନେଶ୍ୱର: ଆଜି ବିଳମ୍ବିତ ରାତି‌ରେ ବରମୁଣ୍ଡା ପଡ଼ିଆ ସାମ୍ନା ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଘଟିଛି। ରସୁଲଗଡ଼ରୁ ଖୋର୍ଦ୍ଧା ପଟକୁ ଯାଉଥିବା ଏକ କାର୍‌କୁ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେବାରୁ କାର୍‌ଟି ରାଜପଥ ଉପରେ ହୁତ୍‌ହୁତ୍‌ ହୋଇ ଜଳି ଯାଇଛି। ନିଆଁ ଲାଗିବା ପୂର୍ବରୁ ଚାଳକ ଓହ୍ଲାଇପଡ଼ି ଜୀବନ ବଞ୍ଚାଇଛନ୍ତି। ଧକ୍କାରେ ଚାଳକ ଆହତ ହୋଇଥିଲେ ମଧ୍ୟ ନିଆଁ ଚାଳକଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ସେ ଓହ୍ଲାଇପଡ଼ି ଜୀବନ ବଞ୍ଚାଇଛନ୍ତି। ଦମ୍‌କଳ ବାହିନୀ ପହଞ୍ଚିବା ବେ‌ଳକୁ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସୂଚନା ମୁତାବକ, ରାତି ପ୍ରାୟ ୧୨ ଟା ବେଳେ ଜାଗମରା ଅଞ୍ଚଳର ବିଶ୍ୱଜିତ ସିତାର କାମ ସାରି କଟକରୁ ଘରକୁ ଫେରୁଥିଲେ। ଫାୟର ଷ୍ଟେସନ୍ ଓଭର ବ୍ରିଜ ଗଡ଼ିବା ବେଳେ ପଛପଟୁ ଆସୁଥିବା ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ଦ୍ରୁତ ଗତିରେ ଆସୁଥିବାରୁ କାର୍‌କୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ଆଣିଥିଲା। କାର୍‌ ଭାରସାମ୍ୟ ହରାଇ ରାସ୍ତାର ବାମ ପାର୍ଶ୍ବକୁ ଚାଲି ଯିବା ସହ ନିଆଁ ଲାଗି ଯାଇଥିଲା।

ଚାଳକଙ୍କ ମୁଣ୍ଡ ଫାଟି ଯିବା ସହ ସେ କାର୍‌ ଭିତରେ ଫସି ରହିଥିଲେ। ସୁଯୋଗ ପାଇ ଟ୍ରକ୍‌ ଧରି ଚାଳକ ଫେରାର ହୋଇଯାଇଥିଲା। ପ୍ରଚଣ୍ଡ ଶବ୍ଦରେ ଅନ୍ୟ ଗାଡ଼ିଚାଳକମାନେ ଭୟଭୀତ ହୋଇପଡ଼ିଥିଲେ। କେତେଜଣ ସାହସ କରି ବିଶ୍ବଜିତ୍‌ଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ସେବା ସଂସ୍ଥାକୁ ଖବର ଦେଇଥିଲେ। କେତେକ ଜଣ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପିଛା କରିଥି‌ଲେ ମଧ୍ୟ ଧରିବା ସମ୍ଭବ ହୋଇନଥିଲା। ଜଣଙ୍କ ପରେ ଜଣେ ପଥଚାରୀ ଜମା ହେବାରୁ କିଛି ସମୟ ପାଇଁ ରାଜପଥ ଜାମ୍‌ ହୋଇ ଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥରୁ ଗାଡ଼ି ହଟାଇବା ସହ ଆହତ ବିଶ୍ୱଜିତଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ପୁଲିସ ଗାଡ଼ି ଟ୍ରକ୍‌କୁ ପିଛା କରିଥିଲେ ମଧ୍ୟ ସଫଳ ହୋଇନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।